ବଦଳି ଯାଉଛି ନଦୀର ରଙ୍ଗ, ନୀଳ ପରିବର୍ତ୍ତେ ଦିଶୁଛି ରକ୍ତନାଲି

ମସ୍କୋ:  ଆର୍ଟିକ୍‌ ସର୍କଲରେ ଥିବା ଋଷିଆର ଏକ ନଦୀର ରଙ୍ଗ ଆଶ୍ଚର୍ଯ୍ୟଜନକ ଭାବେ ବଦଳି ଯାଇଛି। ନଦୀର ପାଣି ରକ୍ତ ପରି ନାଲି ଦିଶୁଛି। ଏହାର ଫଟୋ ଋଷିଆନ ସୋଶାଲ ମିଡିଆରେ ଦେଖିବାକୁ ମିଳୁଛି।

ଋଷିଆର ନୋରିଲ୍‌ସ୍କ ସହର ଦେଇ ବହି ଯାଇଥିବା ଡାଲ୍‌ଡିକାନ ନଦୀର ପାଣି ନୀଳ ପରିବର୍ତ୍ତେ ବରଗୁଣ୍ଡି ରଙ୍ଗ ପରି ଦିଶୁଛି । ଏପରି ଅସ୍ୱାଭାବିକ ପରିବର୍ତ୍ତନର କାରଣ କ’ଣ ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ତେବେ ମେଟାଲ ପ୍ଲାଣ୍ଟ ଲିକ୍‌ ଯୋଗୁ ଏପରି ନଦୀର ରଙ୍ଗ ବଦଳି ଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ଋଷିଆ ପରିବେଶ ବିଭାଗ ମନ୍ତ୍ରୀ କହିଛନ୍ତି  କୌଣସି ପ୍ଲାଣ୍ଟ ଯୋଗୁ ଏପରି ହୋଇଛି କି ନାହିଁ ତାହା ତଦନ୍ତ ପରେ ଜଣାପଡ଼ିବ।

ଋଷିଆର ନୋରିଲ୍‌ସ୍କ ସହର ପୃଥିବୀର ଅନ୍ୟ ପ୍ରଦୂଷିତ ସହରମାନଙ୍କ ମଧ୍ୟରୁ ଗୋଟିଏ। ଏହାର ଚାରିପଟେ ରହିଛି ଶତାଧିକ ଫ୍ୟାକ୍ଟ୍ରି। ବିଶେଷକରି ମେଟାଲ କମ୍ପାନୀ ଏଠାରେ ବେଶି ଦେଖିବାକୁ ମିଳିଥାଏ। ଏହି ପ୍ଲାଣ୍ଟ ଯୋଗୁ ଏହାର ବାୟୁମଣ୍ଡଳ ଯେତିକି ପ୍ରଦୂଷିତ, ପାଣି ମଧ୍ୟ ସେତିକି ପ୍ରଦୂଷିତ। ପୂର୍ବରୁ ନୋରିଲ୍‌ସ୍କ ସହରବାସୀ ସ୍ଥାନୀୟ ମିଡିଆରେ ଏ ନେଇ ଅଭିଯୋଗ କରିଥିଲେ।

ଏବେ ଏହି ନଦୀପାଣିର ରଙ୍ଗ ଦେଖିବା ପରେ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ଯେ, ‘ହୋପ୍‌’ ମେଟାଲ ପ୍ଲାଣ୍ଟର ଦୂଷିତ ପାଣି  ଲିକ ହୋଇ ନଦୀରେ ମିଶିବାରୁ ପାଣି ଏପରି ନାଲି ରଙ୍ଗ ଦେଖାଯାଉଛି।

ସ୍ଥାନୀୟ ଜଣେ ବାସିନ୍ଦା ଏ ସମ୍ପର୍କରେ ସୋଶାଲ ମିଡିଆରେ ଲେଖିଛନ୍ତି, ପ୍ରଦୂଷଣ ଯୋଗୁ ଶୀତଦିନେ ଏଠାରେ ବରଫ ରଙ୍ଗ ମଧ୍ୟ ନାଲି ହୋଇଯାଏ। ଅବଶ୍ୟ ଦେ‌ଖିବାକୁ ସୁନ୍ଦର ଦିଶେ ହେଲେ ଏହା କେମିକାଲ।

ଗ୍ରଗୋରି ଡୁକାରେଭ ନାମକ ଜଣେ ବ୍ୟକ୍ତି କହିଛନ୍ତି, ସେ ଏ ନେଇ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବେ ଏବଂ ଏହାର ତଦନ୍ତ ପାଇଁ ଦାବି କରିବେ। ଜନବସତି ଅଞ୍ଚଳରେ ଏପରି ପ୍ରଦୂଷଣକୁ ନେଇ ସେ କ୍ଷୋଭ ପ୍ରକାଶ କରି କହିଛନ୍ତି, ଏ ନେଇ ସେ ପୂର୍ବରୁ ଅଭିଯୋଗ କରିଆସୁଥିଲେ ମଧ୍ୟ ତାଙ୍କ କଥା କେହି ଶୁଣୁ ନାହାନ୍ତି।

You might also like