‘ପାକିସ୍ତାନକୁ ମିଳିବନି ଟୋପେ ପାଣି’

କଡ଼ା ଚେତାବନୀ ଦେଲେ ଗଡକରୀ

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୨ ଭାରତୀୟ ଯବାନ ସହିଦ ହେବା ପରେ ପାକିସ୍ତାନ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଭାରତ। ସିନ୍ଧୁ ନଦୀର ଟୋପେ ବି ପାଣି ପାକିସ୍ତାନକୁ ନ ଦେବାକୁ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରି ଟ୍ୱିଟ୍ କରି କଡ଼ା ଚେତାବନୀ ଦେଇଛନ୍ତି। ପରବର୍ତ୍ତୀ ନିଷ୍ପତ୍ତି ଭାରତ ସରକାର, ପ୍ରଧାନମନ୍ତ୍ରୀ ଏବଂ ଉଚ୍ଚସ୍ତରୀୟ ଅଧିକାରୀ ନେବେ ବୋଲି   ସେ କହିଛନ୍ତି। ଏନେଇ ଟେକ୍ନିକାଲ ଡିଜାଇନ ପ୍ରସ୍ତୁତ କରିବା ପାଇଁ ନିଜ ବିଭାଗକୁ ସେ ନିର୍ଦ୍ଦେଶ ଦେଇ ସାରିଛନ୍ତି।

ଭାରତର ଏଭଳି ନିଷ୍ପତ୍ତି ପରେ ପାକିସ୍ତାନ ପକ୍ଷରୁ ବି ପ୍ରତିକ୍ରିୟା ଆସିଛି। ସିନ୍ଧୁ ଜଳ ଚୁକ୍ତି ଆୟୋଗର ଉପମୁଖ୍ୟ ସେରାଦ ମେମନ କହିଛନ୍ତି ଯେ, ଭାରତର ଏଭଳି ପଦକ୍ଷେପ ନେଇ ତାଙ୍କ ପାଖରେ କୌଣସି ଖବର ନାହିଁ।  ଭାରତ ଯଦି ଏମିତି କିଛି କରେ ତେବେ ଏହା ଠିକ୍ ହେବନାହିଁ । ପାକିସ୍ତାନ ଭାଗର ପାଣିକୁ ଅନ୍ୟତ୍ର ବଦଳାଇବାର କ୍ଷମତା ଭାରତ ପାଖରେ ନାହିଁ ବୋଲି ସେ କହିଛନ୍ତି। ୧୯୬୦ ମସିହାରେ ପାକିସ୍ତାନ ସହ ଭାରତ ସରକାର ସିନ୍ଧୁ ନଦୀ ଜଳ ଚୁକ୍ତି ସ୍ୱାକ୍ଷରିତ କରିଥିଲେ।

ସିନ୍ଧୁ ନଦୀ ଜଳ ବଣ୍ଟନ ଚୁକ୍ତି ଅନୁସାରେ ଭାରତ ପୂର୍ବରେ ପ୍ରବାହିତ ବ୍ୟାସ, ରାବି ଓ ସତ୍‌ଲେଜ୍‌ ନଦୀ ପାଣି ବ୍ୟବହାର କରୁଛି।  ପାକିସ୍ତାନ ପଶ୍ଚିମରେ ପ୍ରବାହିତ ସିନ୍ଧୁ, ଚେନାବ୍ ଓ ଝେଲମର ପାଣି ଉପରେ ହକ୍ ପାଇଛି । ତେବେ ଭାରତ ଏହି ନଦୀଗୁଡିକ ଉପରେ ଜଳବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ କରିପାରିବ ନାହିଁ କି ବ୍ୟବସାୟିକ ବ୍ୟବହାର କରିପାରିବ ନାହିଁ ବୋଲି ଚୁକ୍ତିରେ ବ୍ୟବସ୍ଥା ରହିଛି । ମାତ୍ର ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ କରିବାର ନାଁ ନେଉ ନଥିବାରୁ ଜଳ ବଣ୍ଟନ ଚୁକ୍ତିରୁ ଓହରି ଯିବା ଲାଗି ଭାରତ ବାରମ୍ବାର ଚେତାବନୀ ଦେଇଆସୁଛି ।

You might also like