ଏଣିକି ସାରା ଦେଶରେ ଗୋଟିଏ ମେଡିକାଲ ଏଣ୍ଟ୍ରାନ୍ସ

ଭୁବନେଶ୍ୱର: ଏଣିକି ଡାକ୍ତରୀ ପଢ଼ିବା ପାଇଁ ସାରା ଦେଶରେ ଗୋଟିଏ ପ୍ରବେଶିକା ପରୀକ୍ଷା ହେବ। ତାହା ହେଉଛି  ‘ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ’ ବା ନିଟ୍ । ଆସନ୍ତା ବର୍ଷଠାରୁ ଏହି ନିୟମ ଲାଗୁ ହେବ।  କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଛାତ୍ରଛାତ୍ରୀମାନେ ଏବେ ଚିନ୍ତାରେ ପଡ଼ିଛନ୍ତି।

ସୂଚନାଥାଉ କି,  ପୂର୍ବରୁ ଏମ୍‌ସ, ଜିପ୍‌ମର୍‌ (ଜବାହାରଲାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ପୋଷ୍ଟ ଗ୍ରାଜୁଏଟ୍‌ ମେଡିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ), ପିଜିଆଇମର୍‌ (ପୋଷ୍ଟ୍ ଗ୍ରାଡୁଏଟ୍‌ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଡୁକେସନ୍ ଆଣ୍ଡ୍ ରିସର୍ଚ୍ଚ, ଚଣ୍ଡିଗଡ଼) ଭଳି ପ୍ରତିଷ୍ଠାନରେ ଡାକ୍ତରୀ ଶିକ୍ଷା ପାଇଁ ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା ହେଉଥିଲା। ମାତ୍ର ସବୁ ଛାତ୍ରଛାତ୍ରୀଙ୍କୁ ସମାନ ସୁଯୋଗ ଓ ଶିକ୍ଷାକ୍ଷେତ୍ରରେ ସମାନ ମାନ ଧାର୍ଯ୍ୟ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗୋଟିଏ ପ୍ରବେଶିକା ପରୀକ୍ଷା କରିବାକୁ ସ୍ଥିର କରିଛି।

ପୂର୍ବରୁ ଏମ୍ସ, ପିଜିଆଇମର୍‌ ଓ ଜିପ୍‌ମର୍ ପରି ଅନୁଷ୍ଠାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନରେ ଆସୁଥିବାରୁ ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା କରାଯାଉଥିଲା। ତେବେ ଏ ତିନିଟି ଡାକ୍ତରୀ ଶିକ୍ଷା ଅନୁଷ୍ଠାନରେ ଆାସନ୍ତାବର୍ଷ ୟୁଜି ପ୍ରବେଶିକା ପରୀକ୍ଷା ନ କରାଇବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସମ୍ପୃକ୍ତ ନିର୍ଦ୍ଦେଶକମାନଙ୍କୁ ଚିଠି କରାଯାଇଛି । ଏହା ଫଳରେ ନିଟ୍ ରାଙ୍କ୍ ଆଧାରରେ ଛାତ୍ରଛାତ୍ରୀମାନେ ଏହି ସବୁ ମେଡିକାଲ୍ କଲେଜରେ ମଧ୍ୟ ନାମ ଲେଖାଇବାର ସୁଯୋଗ ପାଇବେ। ଖାଲି ସେତିକି ନୁହେଁ, କମନ୍ କାଉନସେଲିଂ ଓ ଏମ୍‌ବିବିଏସ୍ ଶେଷ ବର୍ଷ ପରୀକ୍ଷା ସବୁ ମେଡିକାଲ୍ କଲେଜ୍ ପାଇଁ ସମାନ ରହିବ।

You might also like