କେନ୍ଦ୍ର ଗୃହ ମନ୍ତ୍ରାଳୟର କଡ଼ା ନିର୍ଦ୍ଦେଶ ! ନିର୍ବିଘ୍ନରେ ଯାଆସ କରିବ ଅକ୍ସିଜେନ ଗାଡ଼ି, କେହି ଅଟକାଇ ପାରିବେ ନାହିଁ..

ନୂଆଦିଲ୍ଲୀ: ଏଣିକି ଅକ୍ସିଜେନ ଗାଡ଼ିକୁ କେହି ଅଟକାଇ ପାରିବେ ନାହିଁ। ଏନେଇ କଡ଼ା ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଅକ୍ସିଜେନ ଗାଡ଼ି ଯେଭଳି ନିର୍ବିଘ୍ନରେ ଯାଆସ କରିପାରିବ ସେନେଇ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଗଲା ବେଳେ ବାଧା ନ ଦିଆଯାଉ ବୋଲି କେନ୍ଦ୍ର ସରକାର ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଆହୁରି କୁହାଯାଇଛି ଯେ, ମେଡିକାଲ ଅକ୍ସିଜେନ ଗାଡ଼ିକୁ ମୁକ୍ତ ଅନ୍ତଃରାଜ୍ୟ ଯାଆସ ଅନୁମତି ଦିଆଯାଉ। ଘରୋଇ ବ୍ୟତୀତ ଅନ୍ୟ ରାଜ୍ୟକୁ ଯୋଗାଣ ପାଇଁ ଉତ୍ପାଦକଙ୍କୁ ବାରଣ କରାନଯାଉ। ତେବେ ସବୁଠୁ ବଡ଼ କଥା ହେଉଛି କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ସ୍ଥିତି ନସୁଧୁରିବା ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ଆଦେଶ ନ ଦିଆଯିବା ପର୍ଯ୍ୟନ୍ତ ଶିଳ୍ପ ଅନୁଷ୍ଠାନ ଗୁଡ଼ିକୁ ଅକ୍ସିଜେନ ଯୋଗାଣ ବନ୍ଦ ରହିବ।

ତେବେ କିଛି ଦିନ ପୂର୍ବରୁ ଏହି ଅକ୍ସିଜେନ ଯୋଗାଣକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଏକ ମାମଲାର ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଥିଲେ କୋର୍ଟ। କେନ୍ଦ୍ର ସରକାରଙ୍କୁ କୋର୍ଟ ସିଧା ସିଧା କହିଥିଲେ ଯେ, ‘ଗୁହାରି କର, ଧାର କରଜ କର କିମ୍ବା ଚୋରି କର, ଯାହା ବି କରୁଛ କର କିନ୍ତୁ ଅମ୍ଳଜାନ ଆଣି ଲୋକଙ୍କୁ ଯୋଗାଆ। ଅମ୍ଳଜାନ ଅଭାବରୁ କରୋନା ରୋଗୀମାନଙ୍କର ଏଭଳି ମୃତ୍ୟୁକୁ ଦେଖି ହେବ ନାହିଁ। ବୁଧବାର ଦିଲ୍ଲୀର କେତେକ ଡାକ୍ତରଖାନାରେ ଅମ୍ଳଜାନର ଜରୁରୀ ଆବଶ୍ୟକତାକୁ ନେଇ ଶୁଣାଣି କରୁଥିବା ବେଳେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ବିରୋଧରେ ଏଭଳି କଠୋର ମନ୍ତବ୍ୟ ଦେଇଛନ୍ତି।

ଏହାସହ କୋର୍ଟ କହିଥିଲେ ଯେ, କାହିଁକି କେନ୍ଦ୍ର ସରକାର ଏହାକୁ ଗମ୍ଭୀରତାର ସହ ନେଉ ନାହାନ୍ତି। ଶିଳ୍ପସଂସ୍ଥା ଗୁଡିକ ଅକ୍ସିଜେନ ନପାଇ ଅନେକ ଦିନ ଅପେକ୍ଷା କରିପାରିବେ। କିନ୍ତୁ ମେଡିକାଲ ଗୁଡ଼ିକରେ ଏବେ ଯେଉଁଭଳି ସ୍ଥିତି ରହିଛି, ସେଥିପାଇଁ ଅକ୍ସିଜେନ ନିହାତି ଆବଶ୍ୟକ। ହାଇକୋର୍ଟ ଆହୁରି କହିଥିଲେ ଯେ, ଯଦି ଟାଟା କମ୍ପାନୀ ଏହାର ଅମ୍ଳଜାନ କୋଟାକୁ ବଦଳାଇ ଲୋକଙ୍କୁ ଯୋଗାଇ ପାରୁଛି ତେବେ ଅନ୍ୟ କମ୍ପାନୀମାନେ କାହିଁକି ଏହା କରିପାରିବେ ନାହିଁ ? ସେମାନଙ୍କର କ’ଣ ମାନବିକତା ବୋଲି କିଛି ନାହିଁ ?

ସୂଚନାଯୋଗ୍ୟ, ଓଡ଼ିଶାରୁ ଏବେ ଦୈନିକ ଦିଲ୍ଲୀ ପଠାଯିବ ଅକ୍ସିଜେନ। ରାଉରକେଲା ଷ୍ଟିଲ ପ୍ଲାଣ୍ଟ (RSP) ପକ୍ଷରୁ ଦୈନିକ ୪୦ ମେଟ୍ରିକ ଟନ୍ ଅକ୍ସିଜେନ ଯୋଗାଇ ଦିଆଯିବା ନେଇ ସ୍ଥିର ହୋଇଥିବା ବେଳେ, କଳିଙ୍ଗ ନଗର ଟାଟା ଷ୍ଟିଲ ପକ୍ଷରୁ ଦୈନିକ ୩୦ ମେଟ୍ରିକ ଟନ୍ ଅକ୍ସିଜେନ ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି। ଏହି ଅକ୍ସିଜେନ ପରିବହନ ପାଇଁ ଓଡ଼ିଶା ସରକାର ସମସ୍ତ ସହାୟତା ଯୋଗାଇବେ ବୋଲି କହିଛନ୍ତି।

You might also like