କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା କାଟ ହେବ ନାହିଁ !

ନୂଆଦିଲ୍ଲୀ:ଦେଶରେ କରୋନା ଭାଇରସ ପ୍ରଭାବ ବଢି ବଢି ଚାଲିଛି। ଭାରତରେ ୬୭ ହଜାରରୁ ଅଧିକ ଲୋକଙ୍କର ସଂକ୍ରମିତ ହୋଇଛନ୍ତି। ୨୨୦୦ରୁ ଅଧିକ ଲୋକଙ୍କର ବର୍ତ୍ତମାନ ସୁଦ୍ଧା ପ୍ରାଣ ଗଲାଣି। ତେବେ କୌଣସି କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା କଟାଯିବାର ପ୍ରସ୍ତାବ ନାହିଁ ବୋଲି ସ୍ପଷ୍ଟ କରିଛି ଅର୍ଥ ମନ୍ତ୍ରାଳୟ।

ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏକ ଟ୍ୱିଟରେ କୁହାଯାଇଛି, କେନ୍ଦ୍ର ସରକାରଙ୍କ ଅଧିନରେ କାମ କରୁଥିବା କୌଣସି କର୍ମଚାରୀଙ୍କର ପାଉଥିବା ବେତନରେ କୌଣସି ପ୍ରକାର କାଟ୍‌ ହେବାର ପ୍ରସ୍ତାବ ନାହିଁ। ମିଡିଆରେ ଏ ନେଇ ଯେଉଁ ଖବର ପ୍ରକାଶ ପାଉଛି ତାହାର କୌଣସି ଆଧାର ନାହିଁ ବୋଲି କୁହାଯାଇଛି।

କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି,  କେନ୍ଦ୍ରୀୟ କର୍ମଚାରୀଙ୍କ କୌଣସି ପ୍ରକାର ଦରମାକାଟ ପ୍ରସ୍ତାବ ସରକାରଙ୍କ ବିଚାରକୁ ଆସିନାହିଁ।ମିଡିଆରେ ପ୍ରସାରିତ ଏପରି କୌଣସି ଖବରକୁ ବିଶ୍ୱାସ ନ କରିବା ପାଇଁ ସେ ନିବେଦନ କରିଛନ୍ତି।

ସୂଚନାଥାଉ କି, କରୋନା ଭାଇରସର ପ୍ରକୋପରେ ଲୋକଙ୍କ ଜୀବନ ଜୀବିକା ବିପନ୍ନ ହୋଇଛି। ଏପରି ପରିସ୍ଥିତିରେ ସରକାରୀ କର୍ମଚାରୀମାନଙ୍କୁ ଦରମା କାଟ ଚିନ୍ତା ଘାରିଥିଲା। ତେବେ ଅର୍ଥ ମନ୍ତ୍ରାଳୟର ଏପରି ସ୍ପଷ୍ଟୋକ୍ତି ସେମାନଙ୍କୁ ଆଶ୍ୱସ୍ତି ଦେଇଛି।

You might also like