କେହି ରାଜି ନହେବାରୁ ନିଜେ ମ୍ୟାନ୍‌ହୋଲ୍‌ ଭିତରେ ପଶି ଅଳିଆ ସଫା କଲେ ବିଜେପି କର୍ପୋରେଟର୍

ମାଙ୍ଗାଲୁରୁ: କେହି ରାଜି ନହେବାରୁ ବାଧ୍ୟ ହୋଇ ରାସ୍ତା ମଝିରେ ଥିବା ମ୍ୟାନ୍‌ ହୋଲ୍ ଭିତରେ ପଶି ପାଣି ପାଇପରୁ ଅଳିଆ ସଫା କଲେ ବିଜେପି କର୍ପୋରେଟର ମନହୋର ଶେଟ୍ଟୀ। ଡ୍ରେନ୍ ଭିତରୁ ବାହାରିବା ସମୟର ତାଙ୍କ ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।। ଏପରି କାର୍ଯ୍ୟ ପାଇଁ ସୋସିଆଲ୍ ମିଡିଆରେ ପ୍ରଶଂସାର ସୁଅ ଛୁଟିଛି।

ଘଟଣା ଅନୁସାରେ, କାଦ୍ରି- କମ୍ବଲା ୱାର୍ଡରେ ଥିବା ଏକ ମ୍ୟାନ୍‌ହୋଲ୍‌ ଦେଇ ପାଣି ରାସ୍ତା ଉପରକୁ ବାହାରି ଆସୁଥିଲା। ପାଇପ୍‌ରେ ଅଳିଆ ଯମି ଯିବାରୁ ପାଣି ବାହାରକୁ ବାହାରି ଆସି ରାସ୍ତାସାରା ପାଣି ହେଇଯାଉଥିଲା। ଫଳରେ ଟ୍ରାଫିକ୍ ସମସ୍ୟା ଉପୁଜିବା ସହିତ ପାଦଚଲା ଲୋକଙ୍କୁ ନାନା ଅସୁବିଧା ହେଉଥିଲା। ସମସ୍ୟାର ସମାଧାନ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ କର୍ପୋରେଟର ମନହୋର ଶେଟ୍ଟୀ।

ମ୍ୟାନ୍‌ହୋଲ୍ ଭିତରେ ପଶି ପାଇ ସଫା କରିବାକୁ ଶ୍ରମିକଙ୍କୁ ଡକାଯାଇଥିଲା। କିନ୍ତୁ ମୈସୁମୀ ସମୟରେ ପାଣି ବହୁତ ଥିବାରୁ ଏଭଳି ପରିସ୍ଥିତିରେ କେହି ବି ଏ କାର୍ଯ୍ୟ କରିବାକୁ ରାଜି ହୋଇନଥିଲେ। ପରେ ପାଇପ୍‌ ସଫା କରିବା ପାଇଁ ମନୋହର ହାଇସ୍ପିଡ୍‌ ୱାଟର୍‌ ଜେଟ୍‌ ଯୁକ୍ତ ଏକ ଗାଡ଼ି ଡକାଇଲେ। କିନ୍ତୁ ଏହି ଆଇଡିଆ ବି କାମ କଲା ନାହିଁ। ଶେଷରେ ନିଜେ ମ୍ୟାନ୍‌ହୋଲ୍ ଭିତରେ ପଶି ନାଳ ସଫା କରିବା ପାଇଁ ନିଷ୍ପତ୍ତି ନେଇଥିଲେ କର୍ପୋରେଟର୍‌ ମନୋହର ଶେଟ୍ଟୀ।

ଏ ସମ୍ପର୍କରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସେ କହିଛନ୍ତି “ କେହି ମ୍ୟାନ୍‌ହୋଲ୍ ଭିତରକୁ ପଶିବାକୁ ରାଜି ହୋଇନଥିଲେ। ପରେ ମୁଁ ନିଜେ ପଶି ପାଇପ ସଫା କରିବାକୁ ନିଷ୍ପତ୍ତି ନେଇଥିଲି।” ଏହାପରେ ୪ ଜଣ ଶ୍ରମିକଙ୍କ ସହିତ ମିଶି ଦିନ ଅଧଘଡ଼ି ପର୍ଯ୍ୟନ୍ତ ପାଇପ୍‌ରେ ଫସିଥିବା ଅଳିଆକୁ ମ୍ୟାନ୍‌ହୋଲ୍ ଭିତରେ ପଶି ନିଜେ ସଫା କରିଥିଲେ କର୍ପୋରେଟର୍‌।

ଶେଟ୍ଟୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, “ ଆମ ପାଇଁ ମ୍ୟାନହୋଲ୍ ଭିତରେ ପଶି ପାଇପ ସଫା କରିବାକୁ ଆମେ ଗରିବ ଲୋକମାନଙ୍କୁ ବାଧ୍ୟ କରିପାରିବା ନାହିଁ। ଯଦି କିଛି ସମସ୍ୟା ହୁଏ ତେବେ କିଏ ଦାୟୀ ରହିବ ? ସେଥିପାଇଁ ମୁଁ ନିଜେ ଏହି କାର୍ଯ୍ୟ କରିବି ବୋଲି ନିଷ୍ପତ୍ତି ନେଲି। ସବୁ କ୍ଷେତ୍ରରେ ଆମେ ସରକାରଙ୍କ ଉପରେ ନିର୍ଭର କରି ପାରିବା ନାହିଁ।”

ତେବେ ଲୋକପ୍ରିୟତା ପାଇଁ ସେ ଏପରି କରି ନାହାଁନ୍ତି, ଏହା ତାଙ୍କ କର୍ତ୍ତବ୍ୟ ବୋଲି ଗଣମାଧ୍ୟମକୁ କହିଛନ୍ତି ମନହୋର। ଯଦି ପୁଣି ଥରେ ଏପରି କରିବାକୁ ପଡ଼େ ତେବେ ସେ କରିବେ ବୋଲି ଶ୍ରୀ ଶେଟ୍ଟୀ କହିଛନ୍ତି।

 

You might also like