‘ନିର୍ଦ୍ଦିଷ୍ଟ ମାନଦଣ୍ଡ ସ୍ଥିର ନ ହେବା ଯାଏ ଜରୁରୀ ଶୁଣାଣି ହେବ ନାହିଁ’

ନୂଆଦିଲ୍ଲୀ: ନିର୍ଦ୍ଦିଷ୍ଟ ମାନଦଣ୍ଡ ସ୍ଥିର ନ ହେବା ଯାଏ ମାମଲାଗୁଡ଼ିକର ଜରୁରୀ ଶୁଣାଣି ହେବ ନାହିଁ। ଦାୟିତ୍ୱ ନେବା ପରେ ଏହା କହିଛନ୍ତି ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ। ତେବେ ଅଧିକାଂଶ ଜନସ୍ୱାର୍ଥ ମାମଲାର ଶୁଣାଣି ଲାଗି ସେ ନିଜ ପାଖରେ ରଖିଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୁପ୍ରିମକୋର୍ଟର ୪୬ ତମ ପ୍ରଧାନ ବିଚାରପତି ଭାବେ ଆଜି ଜଷ୍ଟିସ୍‌ ଗୋଗୋଇଙ୍କୁ ଶପଥ ପାଠ କରାଇଛନ୍ତି। ଏହି ଅବସରରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, ମନ୍ତ୍ରିମଣ୍ଡଳର ସଦସ୍ୟ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।  ଆସନ୍ତା ବର୍ଷ ନଭେମ୍ବରରେ ଜଷ୍ଟିସ୍‌ ଗୋଗୋଇଙ୍କ କାର୍ଯ୍ୟକାଳ ଶେଷ ହେବ।

୧୯୫୪ ନଭେମ୍ବର ୧୮ରେ ଆସାମର ଦିବ୍ରୁଗଡ଼ରେ ଜଷ୍ଟିସ୍‌ ଗୋଗୋଇଙ୍କ ଜନ୍ମ ହୋଇଥିଲା। ଉତ୍ତର ପୂର୍ବାଞ୍ଚଳ ରାଜ୍ୟରୁ  ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ହେବାରେ ସେ ହେଉଛନ୍ତି ପ୍ରଥମ। ୧୯୭୮ରେ ସେ ଗୌହାଟୀ ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ।

୨୦୦୧ ସେ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୧୦ ସେପ୍ଟେମ୍ବର୍ ୯ରେ ପଞ୍ଜାବ ଓ ହାରିୟାଣା ହାଇକୋର୍ଟକୁ ତାଙ୍କର ବଦଳି ହୋଇଥିଲା।

୨୦୧୧ ମସିହା ଫେବ୍ରୁଆରୀ ୧୨ ତାରିଖରେ ତାଙ୍କୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା। ୨୦୧୨ ଏପ୍ରିଲ୍‌ ୧୩ରେ ପଦନ୍ନୋତି ପାଇ ସୁପ୍ରିମକୋର୍ଟ ବିଚାରପତି ହୋଇଥିଲେ ଜଷ୍ଟିସ ଗୋଗୋଇ।

 

You might also like