ଆଜିଠୁ ଆସନ୍ତା ୧୫ ଦିନ ପାଇଁ ଏହି ରାଜ୍ୟରେ ଲାଗୁ ହେବ ୧୪୪ ଧାରା

ମୁମ୍ବାଇ: ଆଜିଠାରୁ ସାରା ମହାରାଷ୍ଟ୍ରରେ ଲାଗିବ ୧୪୪ ଧାରା। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏହି ଘୋଷଣା କରିଛନ୍ତି। ଆଜି ରାତି ୮ଟାରୁ ଆସନ୍ତା ୧୫ ଦିନ ପାଇଁ ଏହି କଟକଣା ଲାଗୁ ହେବ। କରୋନାର ‘ବ୍ରେକ୍ ଦ ଚେନ୍’ ଅଭିଯାନ ଆରମ୍ଭ ହେବ ବୋଲି ଉଦ୍ଧବ ଠାକ୍‌ରେ କହିଛନ୍ତି।

ପୁରା ମହାରାଷ୍ଟ୍ରରେ ଯା’ଆସ ଉପରେ ପ୍ରତିବନ୍ଧକ ଲାଗୁ ହେବ। ବିନା କାରଣରେ ଲୋକମାନେ ଘରୁ ନ ବାହାରିବାକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଅପିଲ୍‌ କରିଛନ୍ତି। ରେଷ୍ଟୁରାଣ୍ଟରେ ଖାଇବା ଉପରେ କଟକଣା ଲାଗି ଥିବାବେଳେ ହୋମ୍ ଡେଲିଭେରିକୁ ଅନୁମତି ମିଳିଛି। ଜରୁରୀ ସେବାକୁ ଛାଡ଼ି ଅନ୍ୟ ସମସ୍ତ ଅଫିସ୍ ଏହି ୧୫ ଦିନ ବନ୍ଦ ରହିବ। ଇ-କମର୍ସ ସେବା, ପେଟ୍ରୋଲ ପମ୍ପ, ବ୍ୟାଙ୍କ ଓ ପରିବହନ ସେବା ଚାଲୁ ରହିବ। ଏହାସହ ଗଣମାଧ୍ୟମ ପ୍ରତିନିଧିଙ୍କ ଯିବାଆସିବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ସକାଳ ୭ଟାରୁ ରାତି ୮ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସେବା ମିଳିବ। ସପିଂ ସେଣ୍ଟର, ମଲ୍, ଫିଲ୍ମ ସୁଟିଂ, ବେଳାଭୂମି ବନ୍ଦ ରହିବ।

ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବେକାବୁ ହେବା ପରେ ପୁଣି ଥରେ କୋଭିଡ୍ ବିରୋଧରେ ଯୁଦ୍ଧ ଆରମ୍ଭ ହେଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କହିଛନ୍ତି। ଏହା ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ନୁହେଁ ବରଂ କଡ଼ା କଟକଣା। ଜୀବିକା ଭଳି ଲୋକଙ୍କ ଜୀବନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏଭଳି କଡ଼ା ପଦକ୍ଷେପ ନେବାକୁ ପଡ଼ିଲା ବୋଲି ଉଦ୍ଧବ ଠାକ୍‌ରେ କହିଛନ୍ତି।

ଗତକାଲି ମହାରାଷ୍ଟ୍ରରେ ୬୦ ହଜାର ୨୧୨ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୮୧ ଜଣଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ରୋଗୀଙ୍କ ଚିକିତ୍ସା ପାଇଁ ଅକ୍ସିଜେନ୍ ଓ ମେଡିସିନ୍ ଯୋଗାଇବା ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିବା ସହ ସେନାର ସହାୟତା ଲୋଡ଼ିଛନ୍ତି। ସଡ଼କପଥ ପରିବର୍ତ୍ତେ ହସ୍ପିଟାଲ ଗୁଡ଼ିକୁ ଆକାଶ ପଥରେ ଅକ୍ସିଜେନ୍ ଯୋଗାଇଦେବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଅନ୍ୟପକ୍ଷେ, ମହାରାଷ୍ଟ୍ରରୁ ପ୍ରବାସୀ ଶ୍ରମିକଙ୍କ ପଳାୟନ ଜାରି ରହିଛି। କରୋନା ସ୍ଥିତି ନେଇ ଆଜି ରାତି ୮ଟାରୁ କର୍ଫ୍ୟୁ ଜାରି ହେଉଥିବାବେଳେ ପ୍ରବାସୀ ଶ୍ରମିକ ମହାରାଷ୍ଟ୍ର ଛାଡ଼ୁଥିବା ଦେଖିବାକୁ ମିଳିଛି। ଗତତାଲି ରାତିରେ ମୁମ୍ବାଇର ଲୋକମାନ୍ୟ ତିଲକ ଟର୍ମିନସରେ ଶହ ଶହ ସଂଖ୍ୟାରେ ପ୍ରବାସୀ ଶ୍ରମିକ ନିଜ ନିଜ ରାଜ୍ୟକୁ ଫେରିବାକୁ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା। ମୁମ୍ବାଇର ବିଭିନ୍ନ ଷ୍ଟେସନରେ ହଜାର ହଜାର ସଂଖ୍ୟାରେ ଶ୍ରମିକ ଧାଡି ଲଗାଇ ଷ୍ଟେସନରେ ଅପେକ୍ଷା କରିଥିବା ନଜର ଆସିଥିଲା।

You might also like