ଜୁଲାଇ ୩୧ ପର୍ଯ୍ୟନ୍ତ ଏହି ୬ ସହରକୁ ବିମାନ ଉଡ଼ାଣ ବନ୍ଦ

କୋଲକାତା: ଆଜି ଦେଶରେ ସର୍ବାଧିକ କରୋନା ପଜିଟିଭ୍ ଚିହ୍ନଟ ପରେ ଦେଶରେ ୧୦ ଲକ୍ଷ ପାର୍ କରିଛି ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ୩୪,୯୫୬ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୬୮୭ ଜଣଙ୍କର ଜୀବନ ଯାଇଛି। ସେହିଭଳି ପଶ୍ଚିମବଙ୍ଗରେ ମଧ୍ୟ ସର୍ବାଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦେଖି ପଶ୍ଚିମଙ୍ଗର ମମତା ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ କୋଲକାତାରୁ ୬ଟି ସହରକୁ ବିମାନ ଉଡ଼ାଣକୁ ବ୍ୟାନ୍ କରିଛନ୍ତି ମମତା ସରକାର। ଏହି ସହରଗୁଡ଼ିକ ହେଲା- ଦିଲ୍ଲୀ, ମୁମ୍ବାଇ, ପୁଣେ, ଚେନ୍ନାଇ, ନାଗପୁର ଓ ଅହମଦାବାଦ।

ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଏହି ୬ଟି ସହରରୁ ଆସୁଥିବା ଫ୍ଲାଇଟ୍‌ କୋଲକାତା ବିମାନବନ୍ଦରରେ ଲ୍ୟାଣ୍ଡ କରିପାରିବ ନାହିଁ କି କୋଲକାତାରୁ ଏହି ସହରଗୁଡ଼ିକ ଫ୍ଲାଇଟ୍ ଯାଇପାରିବ ନାହିଁ।

ଖବର ସରବରାହ ସଂସ୍ଥା ପିଟିଆଇର ସୂଚନାନୁସାରେ, ପଶ୍ଚିମବଙ୍ଗରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୮,୦୧୧ରେ ପହଞ୍ଚିଛି। ଆଜି ଗୋଟିଏ ଦିନରେ ସର୍ବାଧିକ ୧,୮୯୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିଭଳି ମୃତ୍ୟୁ ସଂଖ୍ୟା ୧,୦୪୯ରେ ପହଞ୍ଚିଛି।  ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୮୩୮ ଜଣ ଆରୋଗ୍ୟ ହୋଇଛନ୍ତି।

ସେହିଭଳି ଦେଶରେ ମଧ୍ୟ ହୁହୁ ହୋଇ ବଢ଼ିଚାଲିଛି କରୋନା କେଶ୍‌। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ତଥ୍ୟ ଅନୁସାରେ, ଆଜି ୩୪,୯୫୬ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୬୮୭ ଜଣଙ୍କର ମୃତ୍ୟୁ ହୋଇଛି। ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୩,୮୩୨ରେ ପହଞ୍ଚିଛି। ସେଥିମଧ୍ୟରୁ ୩, ୪୨,୪୭୩ ଆକ୍ଟିଭ୍‌ ରହିଥିବା ବେଳେ ୬,୩୫,୭୫୭ ସୁସ୍ଥ ହୋଇଛନ୍ତି। ସେହିଭଳି ୨୫,୬୦୨ ଜଣଙ୍କର ମୃତ୍ୟୁ ହୋଇଛି।

 

You might also like