ସାନିଟାଇଜ୍ ହେଲା ନିଜାମୁଦ୍ଦିନ ମରକଜ୍ କୋଠା

ନୂଆଦିଲ୍ଲୀ:  ଦିଲ୍ଲୀର ନିଜାମୁଦ୍ଦିନ ମରକଜ୍ କୋଠାକୁ ସାନିଟାଇଜ୍ କରାଯାଇଛି।  ପୁରା ଅଞ୍ଚଳକୁ ବିଶୋଧନ କରିବା ସହ ଅଞ୍ଚଳରେ ଯାଞ୍ଚ କରାଯାଇଛି। ବିଲ୍ଡିଂ ଖାଲି କରିବା ସହ ସେହି ଅଞ୍ଚଳକୁ ସିଲ୍ କରାଯାଇଛି।

ଯେପରି ବାହାର ଲୋକ କୋଠା ଭିତରକୁ ଯିବେନି ସେ ନେଇ ବିଶେଷ ଧ୍ୟାନ ଦିଆଯାଇଛି। ଏଯାଏ କୋଠାରୁ ୨ ହଜାର ୩୬୧ ଲୋକଙ୍କୁ ଉଦ୍ଧାର କରାଯାଇଛି। ଏମାନଙ୍କ ମଧ୍ୟରୁ ୬୧୭ ଜଣ ଲୋକଙ୍କ ନିକଟରେ କରୋନା ଲକ୍ଷ୍ୟଣ ଦେଖାଦେଇଛି। ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ଦେଇଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ।

ଏହାସହ ଏମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ଏବଂ ପରିବାର ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ମରକଜ୍ ବିଲ୍ଡିଂରେ ଗତ ୩୬ ଘଣ୍ଟା ଧରି ଅପରେସନ୍ ଚାଲିଥିବା ସିସୋଦିଆ ସୂଚନା ଦେଇଛନ୍ତି। ଯଦି କୌଣସି ବ୍ୟକ୍ତିଙ୍କ ପାଖରେ କରୋନ ଲକ୍ଷଣ ଥିବା ସତ୍ତ୍ୱେ ସରକାରଙ୍କ ସହ ଯୋଗାଯୋଗ ନରଖିବେ, ତେବେ ତାଙ୍କ ବିରୋଧରେ କାର୍ଯ୍ୟେନୁଷ୍ଠାନ ହେବ ବୋଲି କଡ଼ା ଚେତାବନୀ ଦେଇଛନ୍ତି ସିସୋଦିଆ। 

ଅନ୍ୟପକ୍ଷେ ଏହି ମସ୍‌ଜିଦ୍‌ ଖାଲି କରିବା ପାଇଁ ପୋଲିସକୁ ନାକେଦମ୍‌ ହେବାକୁ ପଡ଼ିଥିଲା। ଏହି ମସ୍‌ଜିଦ୍‌କୁ ଖାଲି ନ  କରିବା ପାଇଁ ମୌଲାନା ଏପରି ଜିଦ୍‌ରେ ଅଡି ବସିଥିଲେ ଯେ, ଦିଲ୍ଲୀ ପୋଲିସ ଓ ସୁରକ୍ଷା ଏଜେନ୍ସିକୁ ମଧ୍ୟ ଫେରାଇ ଦେଇଥିଲେ। ଖବର ପାଇବା ପରେ ଗୃହ ମନ୍ତ୍ରୀ ଅମିତ ଶାହ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲଙ୍କୁ ବିଳମ୍ବିତ ରାତିରେ ମୌଲାନାଙ୍କୁ ବୁଝାଇବା ପାଇଁ ପଠାଇଥିଲେ।

You might also like