ଏଥର ମୁଖ୍ୟମନ୍ତ୍ରୀ ହୋଇ ରେକର୍ଡ କରିବେ ନୀତୀଶ କୁମାର

ପାଟନା: ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେବେ ନୀତିଶ କୁମାର। ପାଟନାରେ ଅନୁଷ୍ଠିତ ଏନ୍‌ଡିଏ ବୈଠକ ପରେ ମୁଖ୍ୟମନ୍ତ୍ରୀ ଭାବେ ନୀତୀଶଙ୍କ ନାଁ ଘୋଷଣା କରିଛନ୍ତି ଦଳୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ।

ମିଳିଥିବା ସୂଚନା ଅନୁସାରେ ଆଉ କିଛି ସମୟ ପରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଦାବି ରଖିବେ ନୀତୀଶ। ପୂର୍ବରୁ ଜେଡିୟୁ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଆଜି ବିଜେପିର ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ ବିଜେପିର ସମସ୍ତ ନବ ନିର୍ବାଚିତ ବିଧାୟକ ଯୋଗ ଦେଇଥିଲେ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବିହାର ବିଜେପି ପ୍ରଭାରୀ ଦେବେନ୍ଦ୍ର ଫଡନାବିସ ଏହି ବୈଠକରେ ସାମିଲ ହୋଇଥିଲେ। ଚଳିତ ବିହାର ବିଧାନସଭା ନିର୍ବାଚନରେ ମୋଟ୍ ୨୪୩ରୁ ୧୨୫ ସିଟ୍‌କୁ ଅକ୍ତିଆର କରିଛି ଏନ୍‌ଡିଏ।

ଏକାକୀ ବିଜେପି ୭୪ ଆସନରେ ଜିତିଥିବା ବେଳେ ଜେଡିୟୁକୁ ମିଳିଛି ୪୩ ଆସନ। ବିକାଶଶୀଳ ଇନ୍‌ସାନ୍ ପାର୍ଟି ଓ ହିନ୍ଦୁସ୍ତାନ ଆଓ୍ୱାମ ମୋର୍ଚ୍ଚା ୪ଟି ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି। ଅନ୍ୟପଟେ ମହାଗଠବନ୍ଧନକୁ ମିଳିଛି ୧୧୦ ସିଟ୍ ମହାଗଠବନ୍ଧନରେ ସାମିଲ ତେଜସ୍ୱୀ ଯାଦବଙ୍କ ଆର୍‌ଜେଡି ସର୍ବାଧିକ ୭୫ ଆସନରେ ବିଜୟୀ ହେବା ସହ ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଛି। କଂଗ୍ରେସ ଖାତାକୁ ଯାଇଛି ୧୯ ଆସନ ସେହିପରି ବାମ ଦଳ ୧୬ଟି ଆସନ ଅକ୍ତିଆର କରିଛନ୍ତି। ଅନ୍ୟପଟେ ଏଆଇଏମ୍ଆଇଏମ୍ ୫ଟିରେ ବିଜୟ ଲାଭ କରିଥିବା ବେଳେ ବିଏସ୍‌ପି, ଏଲ୍‌ଜେପି ଓ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି।

ବିହାର ସବୁଠାରୁ ଲମ୍ବା ଅବଧିର ମୁଖ୍ୟମନ୍ତ୍ରୀ ହେବେ

ନୀତିଶ ବନିବାକୁ ଯାଉଛନ୍ତି ବିହାରର ସବୁଠୁ ଲମ୍ବା ଅବଧିର ମୁଖ୍ୟମନ୍ତ୍ରୀ। ୬ ଥର ମୁଖ୍ୟମନ୍ତ୍ରୀ ଓ ଲଗାତାର ୩ ଥର ପୂର୍ଣ୍ଣ କାର୍ଯ୍ୟକାଳ ସାରିଥିବା ନୀତିଶ ବିହାରର ପ୍ରଥମ ମୁଖ୍ୟମନ୍ତ୍ରୀ ଶ୍ରୀକୃଷ୍ଣ ସିହ୍ନାଙ୍କ ରେକର୍ଡ ଭାଙ୍ଗିବାକୁ ଯାଉଛନ୍ତି।

ଶ୍ରୀକୃଷ୍ଣ ୧୭ ବର୍ଷ ୫୨ ଦିନ ମୁଖ୍ୟମନ୍ତ୍ରୀ ଥିଲେ। ୨୦ ବର୍ଷ ମଧ୍ୟରେ ୭ ଥର ମୁଖ୍ୟମନ୍ତ୍ରୀ ସହ ସବୁଠୁ ଅଧିକ ବର୍ଷ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ରଚିବେ ନୀତିଶ।

୨୦୦୦ ମସିହା ଝୁଲା ସରକାରରେ ମୁଖ୍ୟମନ୍ତ୍ରୀ ଭାବେ ବିହାରର ମଙ୍ଗ ଧରିଥିଲେ ନୀତିଶ। ତେବେ ସଂଖ୍ୟାଗରିଷ୍ଠତା ଅଭାବରୁ ଇସ୍ତଫା ଦେଇଥିଲେ।  ୨୦୦୫ରେ ପୂର୍ଣ୍ଣ ବହୁମତ ସହ କ୍ଷମତାକୁ ଫେରିଥିଲା ଏନ୍‌ଡିଏ। ଏବଂ ନୀତିଶ ବନିଥିଲେ ମୁଖ୍ୟମନ୍ତ୍ରୀ।

୨୦୧୪ ସାଧାରଣ ନିର୍ବାଚନରେ ଜେଡିୟୁର ଶୋଚନୀୟ ପରାଜୟ ପରେ ନୈତିକତା ଦୃଷ୍ଟିରୁ ପଦରୁ ଓହରି ଯାଇଥିଲେ। ହେଲେ ବର୍ଷକ ଭିତରେ ପୁଣି ମୁଖ୍ୟମନ୍ତ୍ରୀ ହେଲେ।

ନଭେମ୍ବର ୨୦୧୫ରେ ଜେଡିୟୁ, ଆରଜେଡି ଏବଂ କଂଗ୍ରେସ ମହାମେଣ୍ଟ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲା। ଏବଂ ନିଷ୍ପତି ମୁତାବକ ନୀତିଶ ପୁଣି ମୁଖ୍ୟମନ୍ତ୍ରୀ ଚୌକିରେ ବସିଥିଲେ। ତେବେ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଅଭିଯୋଗ ଆସିବା ପରେ  ଜୁଲାଇ, ୨୦୧୭ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ହେଲେ ଦିନକ ପରେ ବିଜେପି ସହ ମେଣ୍ଟ କରି ପୁଣି ନୂଆ ସରକାର ଗଢ଼ିଥିଲେ।

You might also like