ଭୟଙ୍କର ଭାବେ ବିଗିଡ଼ିଛି ଦେଶର ଅର୍ଥ ବ୍ୟବସ୍ଥା; ୭୦ ବର୍ଷରେ ସବୁଠାରୁ ଖରାପ ସ୍ଥିତି

ନୂଆଦିଲ୍ଲୀ: ଦେଶର ଆର୍ଥିକ ସ୍ଥିତି ଏବେ ଭୟଙ୍କର ଭାବେ ବିଗିଡ଼ିଯାଇଛି। ବିଗତ ୭୦ ବର୍ଷ ମଧ୍ୟରେ ଏହା ସବୁଠାରୁ ଖରାପ ସମୟ। ଜିଏସ୍‌ଟି ଓ ବିମୁଦ୍ରାକରଣ ପରେ ଦେଶର ଆର୍ଥିକ ସ୍ଥିତି ଖରାପ ହୋଇଯାଇଥିବା କହିଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର।

ଦେଶରେ ପୂର୍ବରୁ ୩୫ ପ୍ରତିଶତ ଜମାରାଶି ରହୁଥିବା ବେଳେ ଏବେ ଏହା ଖୁବ୍‌ କମିଗଲାଣି। ପୂର୍ବରୁ କେବେ ଏମିତି ଆର୍ଥିକ ମାନ୍ଦାବସ୍ଥା ଦେଖାଯାଇ ନଥିଲା।

ବର୍ତ୍ତମାନ ସମୟରେ ଆର୍ଥିକକାରବାରରେ ନମନୀୟତା ଗୁଣ କମିଗଲାଣି। ପ୍ରାଇଭେଟ୍‌ ସେକ୍ଟର୍‌ଗୁଡ଼ିକରେ କୌଣସି କମ୍ପାନୀ ଋଣ ଦେବାକୁ ବିଶ୍ୱାସ କରୁନାହାଁନ୍ତି। ସମସ୍ତେ ନଗଦ କାରବାର ଉପରେ ଭରସା କରୁଛନ୍ତି। କାହାର କାହା ପ୍ରତି ବିଶ୍ୱାସ ନାହିଁ। ଦେଶର ଏମିତି ସ୍ଥିତିରେ ସରକାରଙ୍କୁ କିଛି ପଦକ୍ଷେପ ନେବା ଆବଶ୍ୟକ ବୋଲି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି।

ବିଚାରବିମର୍ଷ ନକରି ୧୦୦୯- ୧୪ ବର୍ଷରେ ଦିଆଯାଇଥିବା ଋଣ ଯୋଗୁ ଆଜି ଏପରି ପରିସ୍ଥିତି ସୃଷ୍ଚି ହୋଇଛି ବୋଲି ରାଜୀବ କୁମାର କହିଛନ୍ତି। ୨୦୧୪ ପରଠାରୁ ନନ୍‌ ପରଫର୍ମିଂ ଏସେଟ୍‌ (ଏନ୍‌ପିଏ) ବଢ଼ିଯିବାରୁ ବ୍ୟାଙ୍କ୍‌ଗୁଡ଼ିକ ଋଣ ଦେବାର କ୍ଷମତା ମଧ୍ୟ କମିଯାଇଛି। ନିକଟରେ ପାର୍ଲେଜୀ କମ୍ପାନୀ ୧୦ ହଜାର କର୍ମଚୀଙ୍କୁ ଛଟେଇ କରି ସାରିଥିବା ବେଳେ ଅଟୋ ସେକ୍ଟର୍ ବି ମାନ୍ଦା ଅବସ୍ଥା ଦେଖା ଦେଇଛି। ଆଉ ଏବେ ପୁଣି ଟେକ୍‌ସଟାଇଲ୍‌ କ୍ଷେତ୍ରରେ ଭାରତର ସ୍ଥିତି ଗମ୍ଭୀର ରହିଛି।

ଦେଶର ଆର୍ଥିକ ସ୍ଥିତିକୁ ସୁଧାରିବାକୁ ହେଲେ ସରକାରଙ୍କୁ କିଛି ଅବିଶ୍ୱାସନୀୟ ପଦକ୍ଷେପ ନେବାକୁ ପଡ଼ିବ ବୋଲି ରାଜୀବ ପରାମର୍ଷ ଦେଇଛନ୍ତି।

 

 

You might also like