ନୂଆଦିଲ୍ଲୀ: ବିହାରର ଜଣେ ଦଳିତ ଶିଶୁକୁ ପଞ୍ଜାବରେ ଦୁଷ୍କର୍ମ ଏବଂ ଜାଳିଦେବା ଘଟଣାକୁ ନେଇ କଂଗ୍ରେସ ଉପରେ ଭାରତୀୟ ଜନତା ପାର୍ଟି ବର୍ଷିଛି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ନୀରବତାକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଶ୍ନ ଉଠାଇଛନ୍ତି।

ଉତ୍ତରପ୍ରଦେଶର ହାଥରସରେ ଘଟିଥିବା ବହୁର୍ଚ୍ଚିତ ଗଣ ଦୁଷ୍କର୍ମ ମାମଲାକୁ ନେଇ ରାହୁଲ ଗାନ୍ଧି ତତ୍ପରତା ଦେଖାଇଥିଲେ। ରାହୁଲ ଏବଂ ତାଙ୍କ ଭଉଣୀ ପ୍ରିୟଙ୍କା ହାଥରସ ଯାଇ ପୀଡ଼ିତାଙ୍କ ପରିବାର ସହ ଭେଟିଥିଲେ। କିନ୍ତୁ କିଛିଦିନ ତଳେ ବିହାରରେ ରହୁଥିବା ଜଣେ ଦଳିତ ଝିଅକୁ ପଞ୍ଜାବରେ ଦୁଷ୍କର୍ମ ହେଇଥିବା ଘଟଣା ସାମ୍ନାକୁ ଆସିଥିଲା। ହେଲେ କଂଗ୍ରେସ ଏହି ଘଟଣାକୁ ନେଇ ଚୁପ ରହିଥିବାରୁ ଭାରତୀୟ ଜନତା ପାର୍ଟି କଂଗ୍ରେସ ଉପରେ ବର୍ଷିଛି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ନେଇ ରାହୁଲଙ୍କୁ ଆକ୍ଷେପ କରି କହିଛନ୍ତି ଯେ ଟ୍ୱିଟରରେ ସର୍ବଦା ସକ୍ରିୟ ରହୁଥିବା ରାହୁଲ ଗାନ୍ଧୀ ଏହି ଘଟଣାକୁ ନେଇ କାହିଁକି ଚୁପ୍‌ ରହିଛନ୍ତି। କୌଣସି ଟ୍ୱିଟ୍‌ ନାହିଁ କି କୌଣସି ନାରାବାଜି ମଧ୍ୟ ନାହିଁ। କଂଗ୍ରେସ ଏହାର ଜବାବ ରଖିବା ଉଚିତ ବୋଲି ସେ କହିଛନ୍ତି। ଏହା ସହ ସେ କଂଗ୍ରେସ ସହ ମେଣ୍ଟ କରିଥିବା ରାଷ୍ଟ୍ରିୟ ଜନତା ଦଳକୁ ମଧ୍ୟ ଟାର୍ଗେଟ କରିଛନ୍ତି। ଆରଜେଡି ନେତା ତେଜସ୍ୱୀ ଯାଦବଙ୍କୁ ସେ ଏହି ପରିବାର ପ୍ରତି ତାଙ୍କର କର୍ତ୍ତବ୍ୟକୁ ନେଇ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ଯେଉଁମାନେ ପୀଡ଼ିତାଙ୍କ ପରିବାର ସହ ଛିଡ଼ା ହୋଇଛନ୍ତି ବିଜେପି ସେମାନଙ୍କ ସହ ରହିଛି।

ପୂର୍ବରୁ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏହି ଘଟଣାରେ ରାହୁଲ ଗାନ୍ଧୀ ଏବଂ ତେଜସ୍ୱୀଙ୍କ ନିରବତାକୁ ନେଇ ସମାଲୋଚନାକରିଥିଲେ।

ତେବେ କିଛିଦିନ ତଳେ ବିହାରରେ ରହୁଥିବା ଜଣେ ଛଅ ବର୍ଷର ଶିଶୁକୁ ପଞ୍ଜାବ ହୋସିଆରପୁର ଜିଲ୍ଲାର ଟାଂଡାରେ ଦୁଷ୍କର୍ମ କରାଯିବା ପରେ ତାକୁ ଜଳାଇ ଦିଆଯିବା ଘଟଣା ସାମ୍ନାକୁ ଆସିଥିଲା। ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ଦୁଇ ଜଣଙ୍କୁ ଗିରଫ କରିଛି।

 

Other Stories