ନିର୍ଭୟା ଦୋଷୀ ମୁକେଶର ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ

ନୂଆଦିଲ୍ଲୀ:ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିବା ନିର୍ଭୟା ଦୋଷୀ ମୁକେଶ ସିଂହକୁ ସୁପ୍ରିମ୍‌କୋର୍ଟଙ୍କ ଝଟ୍‌କା। ସୁପ୍ରିମକୋର୍ଟ ଆଜି ମୁକେଶର ଆବେଦନକୁ ଖାରଜ କରି ଦେଇଛନ୍ତି। ରାଷ୍ଟ୍ରପତି ମୁକେଶର ରାଜକ୍ଷମା ଆବେଦନକୁ ଖାରଜ କରି ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ମୁକେଶ ସୁପ୍ରିମ୍‌କୋର୍ଟ ଯାଇଥିଲା। ସୁପ୍ରିମକୋଟ ଏହି ଆବେଦନ ଖାରଜ କରିବା ପରେ ନିର୍ଭୟା ମାମଲାର ୪ ଦୋଷୀ ଫାଶି ପାଇବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି।

ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ଏହି ଆବେଦନର କୌଣସି ଯଥାର୍ଥତା ନାହିଁ। ସେ ଏଥିରେ ଦର୍ଶାଇଥିବା ନିର୍ଯାତନାକୁ ଆଳ କରିବା ମଧ୍ୟ ଭିତ୍ତିହୀନ। ରାଷ୍ଟ୍ରପତିଙ୍କ ପାଖରେ ସମସ୍ତ ତଥ୍ୟ ଦାଖଲ କରାଯାଇଥିଲା ଏବଂ ସେ ସେସବୁକୁ ବିଚାରକୁ ନେଇସବୁ ଦିଗରୁ ଅନୁଧ୍ୟାନ କରିଛନ୍ତି।

ତେବେ ଜେଲ୍‌ରେ ତାଙ୍କ ସହ ହେଉଥିବା ଅତ୍ୟାଚାର ଘଟଣାକୁ ବିଚାରକୁ ନିଆଯିବ ବୋଲି କୋର୍ଟ କହିଛନ୍ତି । ଅନ୍ୟପକ୍ଷେ ମୁକେଶ ସିଂହର ଓକିଲ ଯୁକ୍ତି ଦର୍ଶାଇଥିଲେ ଯେ, ରାଷ୍ଟ୍ରପତିଙ୍କ ପାଖକୁ ଯାଇଥିବା ସମସ୍ତ ଦସ୍ତାବିଜ ଓ ପ୍ରମାଣ ଉପସ୍ଥାପନ କରାଯାଇ ନଥିଲା ତେଣୁ ଏକତରଫା ଭାବେ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ନିଆଯାଇଥିଲା । ଏହା ସହିତ ମୁକେଶକୁ ଜେଲ ଭିତରେ ମାଡ ମରାଯାଉଥିବା, ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଛନ୍ତି ତାର ଓକିଲ।

ସୂଚନାଯୋଗ୍ୟ, ନିର୍ଭୟା ମାମଲାରେ ଦୋଷୀ ସାବ୍ୟସ୍ତ ୪ ଜଣଙ୍କ ମଧ୍ୟରୁ ଅନ୍ୟ ଜଣେ ଦୋଷୀ ଅକ୍ଷୟ ମଧ୍ୟ ଏବେ ରିଭ୍ୟୁ ପିଟିସନ ଦାଖଲ କରିଛି। ଅନ୍ୟପକ୍ଷେ ନିର୍ଭୟା ମା’ ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତି ଶୁଣିବା ପରେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି। ତାଙ୍କୁ ନ୍ୟାୟ ନିଶ୍ଚୟ ମିଳିବ ବୋଲି ଆସ୍ଥା ପ୍ରକଟ କରିଛନ୍ତି।

You might also like