ଭଗବାନ କହିଲେ ବି ଏ ନରରାକ୍ଷସଙ୍କୁ କ୍ଷମା ଦେବିନି-ଇନ୍ଦିରାଙ୍କ ପରାମର୍ଶ ଶୁଣି ପ୍ରତିକ୍ରିୟା ରଖିଲେ ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କୁ କ୍ଷମା କରିଦେବା ପାଇଁ ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହ ନିର୍ଭୟା ମା’ ଆଶା ଦେବୀଙ୍କୁ ପରାମର୍ଶ ଦେବା ପରେ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି ଆଶା ଦେବୀ।

ସାରା ଦେଶ ଦୋଷୀଙ୍କୁ ଫାଶୀ ଦେବାକୁ ଚାହୁଁଥିବାବେଳେ ଇନ୍ଦିରା ଏପରି ପରାମର୍ଶ ଦେବାକୁ କିଏ ବୋଲି ସେ ପ୍ରଶ୍ନ କରିଛନ୍ତି। ତାଙ୍କ ପରି କେତେଜଣଙ୍କ ଯୋଗୁ ବଳାତ୍କାର ପୀଡ଼ିତାଙ୍କୁ ନ୍ୟାୟ ମିଳୁ ପାରୁନାହିଁ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ‘ଏପରି ନରରାକ୍ଷସଙ୍କୁ ମୁଁ କେବେହେଲେ କ୍ଷମା କରିପାରିବି ନାହିଁ। ଭଗବାନ ବି ଯଦି ଆସି କହିବେ ତେବେ ବି ମୁଁ ତାଙ୍କ କଥା ରଖି ପାରିବିନି।’ ଏଠି କହି ରଖିବୁ, ଶୁକ୍ରବାର ସୁପ୍ରିମ୍‌ କୋର୍ଟର ଓକିଲ ଇନ୍ଦିରା ଜୟସିଂହ ସୋନିଆ ଗାନ୍ଧିଙ୍କ ଉଦାହରଣ ଦେଇ କହିଥିଲେ,  ସେ ଯେମିତି ତାଙ୍କ ସ୍ୱାମୀ ରାଜୀବ ଗାନ୍ଧିଙ୍କ ହତ୍ୟାକାରୀଙ୍କୁ କ୍ଷମା କରିଦେଇ ଥିଲେ ସେମିତି ନିର୍ଭୟା ମା’  କରିବା ଉଚିତ୍‌।

ଅନ୍ୟପକ୍ଷେ ନିର୍ଭୟା ମା’ ଆଶା ଦେବୀ ଇନ୍ଦିରା ଜୟସିଂହଙ୍କ ଉପରେ ଟିପ୍ପଣୀ ଦେଇ କହିଛନ୍ତି, ମୋର ବିଶ୍ୱାସ ହେଉନାହିଁ, ସେ ଏପରି ପରାମର୍ଶ କେମିତି ଦେଲେ ? ବିଗତ ଦିନମାନଙ୍କରେ ସୁପ୍ରିମ୍‌ କୋର୍ଟରେ ତାଙ୍କ ସହ ଅନେକ ଥର ସାକ୍ଷାତ ହୋଇଛି। ସେ କେବେ ବି ତାଙ୍କ ହାଲଚାଲ ପଚାରି ବୁଝି ନାହାନ୍ତି। ଆଉ ଆଜି ଦୋଷୀଙ୍କ ସପକ୍ଷରେ କହୁଛନ୍ତି ! ଏପରି ଲୋକ ରେପିଷ୍ଟମାନଙ୍କୁ ସମର୍ଥନ କରି ସେମାନଙ୍କ ଜୀବିକା ଉପାର୍ଜ୍ଜନ କରୁଛନ୍ତି। ଆଉ ଏହି କାରଣରୁ ବଳାତ୍କାର ଘଟଣା ବଢୁଛି।

ସୂଚନାଥାଉ କି, ୨୦୧୨ ଡିସମ୍ବର ୧୬ରେ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ପରେ ସୁପ୍ରିମ୍‌କୋର୍ଟ ୪ ଜଣ ଦୋଷୀଙ୍କ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ସେମାନଙ୍କୁ ଫେବୃଆରୀ ୧ରେ ଫାଶୀ ଦିଆଯିବା ପାଇଁ ତାରିଖ ଘୋଷଣା କରାଯିବା ପରେ ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ଡେଥ୍ ୱାରେଣ୍ଟ ଜାରି କରିଛନ୍ତି।

 

 

You might also like