ରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲା ନିର୍ଭୟା ଦୋଷୀ

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଦ୍ୱାରା ଖାରଜ୍ ହୋଇଥିବା ରାଜକ୍ଷମା ଆବେଦନକୁ ପୁଣି ଥରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି ନିର୍ଭୟା ଗଣ ଦୁଷ୍କର୍ମର ଦୋଷୀ ମୁକେଶ ସିଂ। ଜାନୁଆରୀ ୧୭ରେ ରାଷ୍ଟ୍ରପତି ମୁକେଶର ପିଟିସନକୁ ଖାରଜ୍‌ କରିଦେଇଥିଲେ। ଏବେ ମୁକେଶ, ରାଷ୍ଟ୍ରପତିଙ୍କ ନିଷ୍ପତ୍ତିର ଆଇନଗତ ତର୍ଜମା କରିବା ଲାଗି ସୁପ୍ରିମକୋର୍ଟରେ ଆବେଦନ କରିଛି।

ତେବେ କୋର୍ଟ ନିର୍ଦ୍ଦେଶ ଅନୁସାରେ ଫେବ୍ରୁଆରୀ ୧ ସକାଳ ୬ଟାରେ ଫାଶୀ ଦିଆଯିବ। ତେଣୁ ଏହି ଫଶୀ ଦଣ୍ଡକୁ ଟାଳିବା ପାଇଁ ବାରମ୍ବାର ଦୋଷୀଙ୍କ ପକ୍ଷରୁ ଏଭଳି କିଛି ନା କିଛି ଗୋଟେ କୌଶଳ ପ୍ରୟୋଗ କରାଯାଉଛି।

ଗତ ୧୭ ତାରିଖ ଦିନ ମୁକେଶର ରାଜକ୍ଷମା ଆବେଦନ ଖାରଜ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏଭଳି ଏକ ଆବେଦନର ତ୍ୱରିତ ବିଚାର କରି ରାଷ୍ଟ୍ରପତି କୋବିନ୍ଦ ରାଜକ୍ଷମା ଆବେଦନ ଖାରଜ କରିଥିଲେ। ତେବେ ରାଜକ୍ଷମା ଆବେଦନ ଯୋଗୁ ଜାନୁଆରି ୨୨ରୁ ଫେବ୍ରୁଆରି ୧କୁ ଫାଶି ଦିନ ଘୁଞ୍ଚିଥିଲା।

ଅନ୍ୟପଟେ ମୁକେଶ ସୁପ୍ରିମକୋର୍ଟରେ ଆବେଦନ କରିବାର କିଛି ସମୟ ପୂର୍ବରୁ ଅନ୍ୟ ତିନି ଅଭିଯୁକ୍ତଙ୍କ ଓକିଲ କରିଥିବା ଏକ ଆବେଦନକୁ ଦିଲ୍ଲୀ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି।

କ୍ୟୁରେଟିଭ୍ ପିଟିସନ ଓ ରାଜକ୍ଷମା ଆବେଦନ ପାଇଁ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଜେଲ୍ କର୍ତ୍ତୃପକ୍ଷ ଦେଉନଥିବା ଅଭିଯୋଗ କରି ଦୋଷୀଙ୍କ ଓକିଲ କୋର୍ଟରେ ଆବେଦନ କରିଥିଲେ। ହେଲେ ସମସ୍ତ ଡକ୍ୟୁମେଣ୍ଟ ଦିଆଯାଇଥିବା ନେଇ ଜେଲ୍‌ କର୍ତ୍ତୃପକ୍ଷଙ୍କ ଉତ୍ତରେ ସନ୍ତୋଷ ପ୍ରକାଶ କରି ବିଚାରପତି ଏ. କେ. ଜୈନ୍ ଏହି ଆବେଦନକୁ ଖାରଜ କରିଦେଇଛନ୍ତି।

You might also like