ନୂଆ ଚାଲ୍‌ ଚଳାଇଲା ନିର୍ଭୟା ଦୋଷୀ

ନୂଆଦିଲ୍ଲୀ: ଗୋଟିଏ ପଟେ ନିର୍ଭୟା ଦୋଷୀମାନଙ୍କୁ କେବେ ଦିଆଯିବ ଫାଶି ସେନେଇ ସସ୍‌ପେନ୍ସ ଜାରି ରହିଥିବାବେଳେ ଅନ୍ୟପଟେ ଦୋଷୀମାନେ ତାଙ୍କର ଗୋଟିଏ ପରେ ଗୋଟିଏ ଚାଲ୍‌ ଚଳାଇବାରେ ଲାଗିଛନ୍ତି।

୨୨ ତାରିଖରେ ୪ ନର୍ଭୟା ଦୋଷୀଙ୍କୁ ଫାଶି ଦିଆଯାଇଥାନ୍ତା। ହେଲେ ଏହି ଫାଶୀ ଦଣ୍ଡ ଉପରେ ରୋକ ଲାଗିଛି। କାରଣ ଲୋମହର୍ଷଣକାରୀ ନର୍ଭୟା ଗଣଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡ ପାଇଥିବା ୪ ଜଣଙ୍କ ମଧ୍ୟରୁ ମୁକେଶ କ୍ଷମା ଆବେଦନ କରିଥିବାରୁ ଗତକାଲି ଦିଲ୍ଲୀ ହାଇକୋର୍ଟ ସମସ୍ତଙ୍କ ଫାଶୀ ଦଣ୍ଡ କାର୍ଯ୍ୟକାରୀ ଉପରେ ରୋକ ଲଗାଇଛନ୍ତି। ଏହାପରେ ପୁଣି କେବେ ଏମାନଙ୍କୁ ଫାଶି ଦିଆଯିବ ସେନେଇ ସସ୍‌ପେନ୍ସ ଜାରି ରହିଛି। ଏସବୁ ଭିତରେ ଏହି ମାମଲାରେ ଏକ ନୂଆ ଘଟଣା ସାମ୍ନାକୁ ଆସିଛି।

୪ ଜଣ ଦୋଷୀଙ୍କ ମଧ୍ୟରୁ ଜଣେ ଦୋଷୀ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଦୋଷୀ ବିନୟ ବୁଧବାର ଦିନ ଜେଲ୍‌ ଭିତରେ ଥିବା ଟଏଲେଟ୍‌ରେ ଗାମୁଛା ଲଗାଇ ଆତ୍ମହତ୍ୟା କରିବା ପାଇଁ ପ୍ରୟାସ କରିଥିଲା। ହେଲେ ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀଙ୍କ ଆଖିରେ ଏସବୁ ପଡ଼ିବା ପରେ ସେମାନେ ଯାଇ ତାକୁ ଅଟକାଇଥିଲେ।

ସୂଚନା ଅନୁସାରେ, ବିନୟ ଜେଲ୍‌ରେ ଏକ ସିଙ୍ଗଲ୍‌ କୋଠରୀରେ ବନ୍ଦୀ ଭାବେ ରହୁଛି। ସେ ରହୁଥିବା କୋଠରୀ ଓ ଟଏଲେଟ୍‌ ମଧ୍ୟରେ ମାତ୍ର ଏକ ପର୍ଦ୍ଦା ଲାଗିଛି। ଫଳରେ ବୁଧବାର ଦିନ ସକାଳେ ସେ ଟଏଲେଟ୍‌କୁ ଯାଇ ଗାମୁଛାରେ ଫାଶି ଦେବା ପାଇଁ ଉଦ୍ୟମ କରିଥିଲା। ହେଲେ ଏସବୁ ସୁରକ୍ଷାକର୍ମୀଙ୍କ ଆଖିରେ ପଡ଼ିବା ପରେ ସେମାନେ ଯାଇ ତାକୁ ଅଟକାଇଥିଲେ।

ବିନୟ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ନେଇ ତା’ର ଓକିଲ ପକ୍ଷରୁ ଦାବି କରାଯାଇଛି। ହେଲେ ଜେଲ୍‌ ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରଯାଇଛି। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ସିସିଟିଭି ମାଧ୍ୟମରେ ସମସ୍ତ ଦୋଷୀଙ୍କ ଉପରେ ୨୪ ଘଣ୍ଟିଆ କଡ଼ା ନଜର ରଖାଯାଇଛି।

ଅନ୍ୟପକ୍ଷେ ଆତ୍ମହତ୍ୟା ଉଦ୍ୟମ କରି ଏହି ମାମଲାର ଫାଇଦା ଉଠାଇବାକୁ ବିନୟ ଚାହୁଁଥିବା କୁହାଯାଉଛି।

ସୂଚନାଥାଉ କି, ଜାନୁଆରୀ ୭ରେ ସମସ୍ତ ୪ ଦୋଷୀଙ୍କ ନାଁରେ କୋର୍ଟ ଡେଥ୍‌ ୱାରେଣ୍ଟ ଜାରି କରିଥିଲେ। ଏହି ୱାରେଣ୍ଟ ଅନୁଯାୟୀ, ସମସ୍ତଙ୍କୁ ୨୨ ତାରିଖ ସକାଳ ୭ଟାରେ ଫାଶୀ ପାଇଥାଆନ୍ତେ। ହେଲେ ଏହା ଉପରେ ରୋକ ଲଗାଇଇବା ପାଇଁ ମୁକେଶ ପ୍ରଥମେ କ୍ୟୁରେଟିଭ ପିଟିସନ ଓ ପରେ ରାଜକ୍ଷମା ଆବେଦନ କରିଥିଲା। କ୍ୟୁରେଟିଭ ପିଟିସନ ଖାରଜ ହୋଇଥିଲେ ହେଁ ରାଜକ୍ଷମା ଏଯାଏ ଖାରଜ ହୋଇନାହିଁ। ତେଣୁ ଫାଶୀ ଦଣ୍ଡ କାର୍ଯ୍ୟକାରୀ ଉପରେ ରୋକ ଲଗାଇବା ପାଇଁ ମୁକେଶ କୋର୍ଟରେ ଆବେଦନ କରିଥିଲା।

You might also like