ରାଜକ୍ଷମା ଆବେଦନରେ ଲେଖିଲା ନିର୍ଭୟା ଦୋଷୀ ବିନୟ-ବାପା-ମା’ଙ୍କୁ ଦେଖିବା ପରେ …

ନୂଆଦିଲ୍ଲୀ:ନିର୍ଭୟା ଦୋଷୀ ବିନୟ ଶର୍ମା ବୁଧବାର ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ପାଇଁ ଆବେଦନ କରିଛି। ଏହି ମାମଲାରେ ୪ ଜଣ ଦୋଷୀଙ୍କ ମଧ୍ୟରୁ ମୁକେଶ ପ୍ରଥମେ ରାଜକ୍ଷମା ପାଇଁ ଆବେଦନ କରିଥିଲା। ହେଲେ ରାଷ୍ଟ୍ରପତି ଏହାକୁ ନାମଞ୍ଜୁର କରି ଦେଇଥିଲେ। ଏବେ ବିନୟ ରାଜକ୍ଷମା ଆବେଦନ କରିବା ପରେ ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ ପୁଣି ଘୁଞ୍ଚିପାରେ ବୋଲି କୁହାଯାଉଛି।

ରାଷ୍ଟ୍ରପତିଙ୍କୁ ଦେଇଥିବା ରାଜକ୍ଷମା ଆବେଦନରେ ଉଲ୍ଲେଖ ରହିଛି ଯେ, ବିନୟ ତା’ର ଓକିଲ ଏପି ସିଂହଙ୍କ ମାଧ୍ୟମରେ ନିଜ ମନକଥା ରାଷ୍ଟ୍ରପତିଙ୍କୁ ଜଣାଇବାକୁ ଚାହୁଁଛି। ଜେଲରେ ରହିବା ସମୟରେ ସେ କେତେ ମାନସିକ ଯନ୍ତ୍ରଣା ଭୋଗିଛି ସେ ବିଷୟରେ ସେ ରାଷ୍ଟ୍ରପତିଙ୍କୁ କହିବାକୁ ଚାହୁଁଛି। ରାଷ୍ଟ୍ରପତିଙ୍କୁ ନିବେଦନ କରିଛି, ତାଙ୍କୁ ଯେଉଁ ସମୟରେ ସୁବିଧା ହେବ କହିବେ ଯଦ୍ଦ୍ୱାରା ତାଙ୍କର ଓକିଲ ଏପି ସିଂହ ତାଙ୍କର ପକ୍ଷ ମୌଖିକ ଭାବେ ରାଷ୍ଟ୍ରପତିଙ୍କ ସମ୍ମୁଖେରେ ରଖି ପାରିବେ।

ଏଥିସହିତ ବିନୟ ଏହି ଆବେଦନରେ ତା’ର ମା’, ବାପାଙ୍କ ସାକ୍ଷାତକାର କଥା ଉଲ୍ଲେଖ କରି କହିଛି, ବଞ୍ଚିବା ପାଇଁ ତା’ର ଆଗ୍ରହ କମି ଯାଇଥିଲା। ହେଲେ ବାପାମା’ଙ୍କୁ ଦେଖିବା ପରେ ତା ମନରେ ପରିବର୍ତ୍ତନ ଆସିଛି।  ଯେତେବେଳେ ମା’ ଓ ବାପା ତାକୁ ଦେଖି କହିଥିଲେ-ଆମେ କେବଳ ତୋ ପାଇଁ ବଞ୍ଚିଛୁ ସେହିଦିନଠାରୁ ସେ ମରିବା କଥା ମନରୁ କାଢି ଦେଇଛି। ବିନୟ କହିଛି- ମା’ ଓ ବାପା କହିଥିଲେ-‘ ତତେ ଆମ ପାଇଁ ବଞ୍ଚି ରହିବାକୁ ପଡ଼ିବ ।’

ତେବେ ଦୋଷୀ ବିନୟର ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ପାଖରେ ପହଞ୍ଚିବା ପରେ ପ୍ରଶ୍ନ ଉଠୁଛି, ନିର୍ଭୟା ଦୋଷୀ  ଫେବ୍ରୁଆରୀ ୧ରେ ଫାଶୀ ପାଇବେ ତ ? କାରଣ ସୁପ୍ରିମକୋର୍ଟ ନିୟମ ଅନୁଯାୟୀ, ରାଜକ୍ଷମା ଆବେଦନ ଖାରଜ ହେବା ପରେ ଅପରାଧୀଙ୍କୁ ୧୪ ଦିନ ସମୟ ଦିଆଯିବ।

ଏଠି କହି ରଖିବୁ, ନିର୍ଭୟା ଦୋଷୀଙ୍କୁ ଜାନୁଆରୀ ୨୨ ତାରିଖ ଫାଶୀ ଦିଆଯିବ ବୋଲି କୁହାଯାଇଥିଲା। ହେଲେ ପରବତ୍ତୀ ସମୟରେ ଏହା ଫେବ୍ରୁଆରୀ ୧ ତାରିଖକୁ ଘୁଞ୍ଚିଥିଲା।

 

You might also like