ଦୋଷୀ ବିନୟ ଶର୍ମାର ରାଜକ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ନିର୍ଭୟା ଦୋଷୀ ବିନୟ ଶର୍ମାର ରାଜକ୍ଷମା ଆବେଦନକୁ  ଖାରଜ କରିଦେଇଛନ୍ତି। ମୁକେଶ ପରେ ବିନୟ ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କରିଥିଲା। ବିନୟ ରାଜକ୍ଷମା ଆବେଦନ କରିବା ପରେ ୪ ଦୋଷୀଙ୍କ ଫାଶୀ ତାରିଖ ଘୁଞ୍ଚିବା ନେଇ ଯେଉଁ ଅନୁମାନ କରାଯାଉଥିଲା ତାହା ସତ୍ୟ ହୋଇଛି। ଫେବ୍ରୁଆରୀ ୧ରେ ନିର୍ଭୟା ଦୋଷୀ ଫାଶୀ ପାଇବା ପାଇଁ ଦିନ ଧାର୍ଯ୍ୟ ହୋଇଥିବାବେଳେ ତାହାକୁ ଘଞ୍ଚାଇ ଦିଆଯାଇଛି। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ହେଲେ ଦୋଷୀଙ୍କ ପାଖରେ ଫାଶୀ ଦଣ୍ଡକୁ ଚ୍ୟାଲେଞ୍ଜ କରିବା ପାଇଁ ଏକାଧିକ ଆଇନଗତ ମାଧ୍ୟମ ରହିଥିବାରୁ କୋର୍ଟ ବାଧ୍ୟ ହୋଇ ଏଭଳି ରୁଲିଂ ଦେଇଛନ୍ତି।

୨୦୧୨ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ୪ ଜଣଙ୍କୁ ଫାଶୀ ଦଣ୍ଡ ହୋଇଛି। ଆଜି ଏମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବାର ଥିଲା। ହେଲେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଫାଶୀ ଦଣ୍ଡର କାର୍ଯ୍ୟକାରୀକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି।

ସୂଚନା ଥାଉ କି, ପୂର୍ବରୁ ନିର୍ଭୟା ଘଟଣାର ଦୋଷୀ ମୁକେଶ ସିଂହ ରାଜକ୍ଷମା ଆବେଦନ କରିଥିଲା। ହେଲେ ଏହାକୁ ରାଷ୍ଟ୍ରପତି ଏହାକୁ ଖାରଜ କରିଥିଲେ। ସେହିପରି ରାଷ୍ଟ୍ରପତି ରାଜକ୍ଷମା ଆବେଦନକୁ ଖାରଜ କରିଥିବାରୁ ସେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ହେଲେ ଏହାକୁ ମଧ୍ୟ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।

ଏବେ ମୁକେଶ ପାଖରେ ଫାଶୀରୁ ବର୍ତ୍ତିବା ପାଇଁ ଆଉ କୌଣସି ଆଇନଗତ ମାଧ୍ୟମ ନାହିଁ। ବିନୟ ଶର୍ମାର ରାଜକ୍ଷମା ଆବେଦନ ଖାରଜ ହୋଇଥିବାରୁ ସେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିପାରିବ। ଘଟଣାର ଆଉ ଦୁଇ ଦୋଷୀ ଅକ୍ଷୟ ସିଂହ ଠାକୁର ଓ ପବନ ଗୁପ୍ତା ପାଖରେ ଏବେ ଫାଶୀକୁ ଚ୍ୟାଲେଞ୍ଜ କରିବାକୁ ଏକାଧିକ ଆଇନଗତ ମାଧ୍ୟମ ରହିଛି।

ଅକ୍ଷୟ ସିଂହର କ୍ୟୁରେଟିଭ ପିଟିସନ ଖାରଜ ହୋଇଛି। ହେଲେ ତା’ ପାଖରେ ରାଜକ୍ଷମା ଆବେଦନର ବିକଳ୍ପ ରହିଛି। ସେହିପରି ପବନ ଗୁପ୍ତା ପାଖରେ ଉଭୟ କ୍ୟୁରେଟିଭ ଓ ରାଜକ୍ଷମା ଆବେଦନ କରିପାରିବାର ବିକଳ୍ପ ରହିଛି। ଏସବୁ ଆଇନଗତ ବିକଳ୍ପ ଶେଷ ହେବା ପରେ ଯାଇ ସମସ୍ତ ଦୋଷୀଙ୍କୁ ଏକାଠି ଫାଶୀ ଦିଆଯିବ। କାରଣ ସମାନ ଅପରାଧରେ ଦଣ୍ଡିତ ଏକରୁ ଅଧିକ ଦୋଷୀଙ୍କୁ ଏକା ସମୟରେ ହିଁ ଫାଶୀ ଦେବାର ନିୟମ ରହିଛି।

You might also like