ମନେ ପଡେ ଠିକ୍‌ ୭ ବର୍ଷ, ୩ ମାସ, ୩ ଦିନ ତଳର ସେଇ ରାତି….

ନୂଆଦିଲ୍ଲୀ: ଆଜି ସକାଳ ସାଢେ ୫ଟା ବେଳେ ଫାଶିଖୁଣ୍ଟରେ ଝୁଲିଛନ୍ତି ନିର୍ଭୟା ଦୋଷୀ ଅକ୍ଷୟ କୁମାର, ପବନ ଗୁପ୍ତା, ବିନୟ, ଶର୍ମା ଏବଂ ମୁକେଶ କୁମାର । ଏହା ପୂର୍ବରୁ ଅନେକ ଥର ସେମାନଙ୍କ ବିରୋଧରେ ଡେଥ ୱାରେଣ୍ଟ ଜାରି  ହୋଇଥିଲେ ହେଁ ସେମାନେ ଏହାକୁ କୌଣସି ନା କୌଣସି ବାହନା ଦେଖାଇ ଟାଳି ଆସୁଥିଲେ। ଶେଷରେ ଆଜି ଫାଶିଖୁଣ୍ଟରେ ଝୁଲିଲେ।

ଆଜି ସକାଳୁ ତିହାର ଜେଲ ସମ୍ମୁଖରେ ଖୁବ ଭିଡ ଦେଖିବାକୁ ମିଳିଥିଲା। ଫାଶି ପରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା। ଲୋକେ ମିଠା ବାଣ୍ଟିଥିଲେ। ଆଜିର ସକାଳକୁ ନ୍ୟାୟର ସକାଳ ବୋଲି ଲୋକେ କହୁଥିବା ଶୁଣିବାକୁ ମିଳିଥିଲା। ଫାଶି ପରେ ନିର୍ଭୟାଙ୍କ ମା’ ଓ ବାପା ମଧ୍ୟ ଖୁସି ପ୍ରକଟ କରିଛନ୍ତି। ବିଳମ୍ବରେ ହେଉ ପଛେ ନ୍ୟାୟ ମିଳିଲା ଏବଂ ଆମ ଝିଅର ଆତ୍ମାକୁ ଶାନ୍ତି ମିଳିବ ବୋଲି କହିଛନ୍ତି।

ଫାଶି ଖୁଣ୍ଟରେ ଝୁଲିବା ପରେ ୪ ଦୋଷୀଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ଦିନ ଦୟାଲ ଉପାଧ୍ୟାୟ ହସ୍‌ପିଟାଲକୁ ପଠା ଯାଇଥିଲା। ସେଠାରେ ଡାକ୍ତର ବିଏନ ମିଶ୍ରଙ୍କ ନେତୃତ୍ୱରେ ୫ ଜଣିଆ ମେଡିକାଲ ଟିମ୍‌ ବ୍ୟବଚ୍ଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବେ। ଯଦି ପରିବାର ଲୋକେ ଶବ ନ ନେବେ ତେବେ ତିହାର ଜେଲ ପ୍ରଶାସନ ସେମାନଙ୍କର ଅନ୍ତିମ ସଂସ୍କାର କରିବେ।

ଆଜିକୁ ଠିକ୍‌ ୭ ବର୍ଷ, ତିନି ମାସ ଏବଂ ତିନି ଦିନ ତଳେ ଅର୍ଥାତ୍‌ ୨୦୧୨ ଡିସେମ୍ବର ୧୬ ତାରିଖ ରାଜଧାନୀ ଦିଲ୍ଲୀରେ ଚଳନ୍ତା ବସ୍‌ରେ ପାରା ମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ଗଣବଳାତ୍କାର ପରେ ଅତି ନିର୍ଦ୍ଦୟ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣା ସାରା ଦେଶରେ ଚହଳ ପକାଇ ଦେଇଥିଲା। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ୪ ଜଣ ମୁକେଶ,ପବନ, ଅକ୍ଷୟ ଓ ବିନୟଙ୍କୁ ଫାଶି ଦେବା ପାଇଁ ୭ ବର୍ଷ ଧରି ଚାଲିଥିଲା ଆଇନଗତ ସଂଘର୍ଷ। ଶେଷରେ ଆଜି ସକାଳୁ ସେମାନଙ୍କୁ ଫାଶି ଖୁଣ୍ଟରେ ଝୁଲାଇ ଦିଆଯାଇଛି। ଏହା ପୂର୍ବରୁ ଅନ୍ୟଜଣେ ଦୋଷୀ ରାମ ସିଂ ଆତ୍ମହତ୍ୟା କରି ଦେଇଥିଲା।

ଦୁଷ୍କର୍ମ ଘଟଣାରୁ ଦୋଷୀଙ୍କୁ ଫାଶି ଯାଏ

  • ଡିସେମ୍ୱର ୬, ୨୦୧୨: ଦିଲ୍ଲୀର ମୁନିରକାରେ ପାରାମେଡିକାଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ । ବସରେ ପାରାମେଡିକାଲ ଛାତ୍ରୀ ଏବଂ ତାଙ୍କର ବନ୍ଧୁ ଯାଉଥିଲେ। ୬ ଜଣ ଦୁଷ୍କର୍ମ କରିବା ସହ ତାଙ୍କ ବନ୍ଧୁଙ୍କ ସହ ମାଡ଼ ପିଟ୍ କରିଥିଲେ। ଏହାପରେ ଉଭୟ ପୀଡ଼ିତା ଏବଂ ତାଙ୍କ ବନ୍ଧୁଙ୍କୁ ବସରୁ ଫିଙ୍ଗି ଦେଇଥିଲେ ଦୁଷ୍କର୍ମକାରୀ।
  • ଡିସେମ୍ୱର ୧୮, ୨୦୧୨: ଦିଲ୍ଲୀ ପୁଲିସ ୪ ଦୋଷୀ ରାମ ସିଂହ , ମୁକେଶ, ବିନୟ ଶର୍ମା ଏବଂ ପବନ ଗୁପ୍ତାକୁ ଗିରଫ କରିଥିଲା।
  • ଡିସେମ୍ୱର ୨୧, ୨୦୧୨: ଏହି ଦୁଷ୍କର୍ମ ମାମଲାରେ ଆଉ ଜଣେ ନାବାଳକ ଗିରଫ ହୋଇଥିଲେ ଏବଂ ବିହାରରୁ ମଧ୍ୟ ଅକ୍ଷୟ ସିଂହ ଠାକୁରଙ୍କୁ ଗିରଫ କରାଯାଇଥିଲା।
  • ଡିସେମ୍ୱର ୨୯, ୨୦୧୨: ପୀଡ଼ିତା ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ହେଲେ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ ସିଙ୍ଗାପୁରର ଏକ ହସ୍ପିଟାଲକୁ ପଠାଇ ଦିଆଯାଇଥିଲା। ସେଠାରେ ପୀଡ଼ିତାଙ୍କ ମୃତ୍ୟୁ ଘଟିଥିଲା।
  • ଜାନୁଆରୀ ୩, ୨୦୧୩: ପୁଲିସ୍ ପାଞ୍ଚ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା, ଗଣ ଦୁଷ୍କର୍ମ, ହତ୍ୟା ଷଡ଼ଯନ୍ତ୍ର, ଅପହରଣ ମାମଲା ରୁଜୁ କରିବା ପରେ ଚାର୍ଜଶିଟ୍ ଦାଖଲ କରିଥିଲେ।
  • ଜାନୁଆରୀ ୧୭, ୨୦୧୩: ଫାଷ୍ଟ ଟ୍ରାକ କୋର୍ଟରେ ୫ ଅଭିଯୁକ୍ତଙ୍କୁ ଦୋଷୀ ବୋଲି ଦର୍ଶାଯାଇଥିଲା।
  • ମାର୍ଚ୍ଚ ୧୧, ୨୦୧୩: ଏହି ସମୟରେ ତିହାର ଜେଲରେ ରାମ ସିଂହ ଆତ୍ମହତ୍ୟା କରି ଦେଇଥିଲା।
  • ଅକ୍ଟୋବର ୩୧, ୨୦୧୩: ବାକି ୪ ଦୋଷୀଙ୍କ ବାଦ୍ ଜଣେ ନାବାଳକ ଥିଲା। ଜୁଭେନାଇଲ ବୋର୍ଡ ମଧ୍ୟ ନାବାଳକକୁ ଦୋଷୀ ବୋଲି ସାବ୍ୟସ୍ତ କରିଥିଲା। ଏହାପରେ ସୁଧାର ଗୃହକୁ ପଠାଇ ଦିଆଯାଇଥିଲା।
  • ସେପ୍ଟେମ୍ୱର ୧୦, ୨୦୧୩: ଫାଷ୍ଟ ଟ୍ରାକ କୋର୍ଟ ମୁକେଶ, ବିନୟ, ପବନ ଏବଂ ଅକ୍ଷୟକୁ ଦୋଷୀ ସାବ୍ୟସ୍ତ କରିଥିଲେ।
  • ସେପ୍ଟେମ୍ୱର ୧୩, ୨୦୧୩: କୋର୍ଟ ୪ ଦୋଷୀ ମୁକେଶ, ବିନୟ, ପବନ ଏବଂ ଅକ୍ଷୟକୁ ଫାଶି ଦଣ୍ଡାଦେଶ ।
  • ମାର୍ଚ୍ଚ ୧୩, ୨୦୧୪: ଫାଷ୍ଟ୍ର ଟ୍ରାକ କୋର୍ଟର ରାୟକୁ ବଳବତ୍ତର ରଖିଲେ ଦିଲ୍ଲୀ ହାଇକୋର୍ଟ ।
  • ମାର୍ଚ୍ଚ ୧୫, ୨୦୧୪: ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଦୋଷୀଙ୍କ ଉପରେ ସୁପ୍ରିମକୋର୍ଟ ଲଗାଇଲେ ପ୍ରତିବନ୍ଧକ ।
  • ଡିସେମ୍ବର୨୦,୨୦୧୫: ନାବାଳକ ଅପରାଧୀ  ଶିଶୁ ସୁଧାର ଗୃହରୁ ମୁକ୍ତ , ଏହାକୁ ବିରୋଧ କରି ସାରା ଦେଶରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ ।
  • ମାର୍ଚ୍ଚ ୨୭, ୨୦୧୬: ଦୋଷୀମାନଙ୍କ ବିରୋଧରେ ଦାୟର ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ସଂରକ୍ଷିତ ରଖିଥିଲେ।
  • ମେ ୫, ୨୦୧୭: ସୁପ୍ରିମକୋର୍ଟ ୪ ଦୋଷୀଙ୍କ ବିରୋଧରେ ତଳ କୋର୍ଟ ଦେଇଥିବା ମୃତ୍ୟ ଦଣ୍ଡାଦେଶକୁ ବଳବତ୍ତର ରଖିଲେ।
  • ନଭେମ୍ୱର ୯, ୨୦୧୭: ସୁପ୍ରିମକୋର୍ଟଙ୍କ ଫାଶି ଦଣ୍ଡାଦେଶ ଉପରେ ପୁନର୍ବାର ବିଚାର ପାଇଁ ଦୋଷୀ ମୁକେଶ ଆବେଦନ କରିଥିଲା। କୋର୍ଟ ଏହାକୁ ଖାରଜ କରିଦେଇଥିଲେ।
  • ଡିସେମ୍ୱର ୨୦୧୯: ଦେଢ଼ ବର୍ଷ ପରେ ଦୋଷୀ ଅକ୍ଷୟ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲା। ଜବାବରେ ପୀଡ଼ିତାଙ୍କ ମା’ ମଧ୍ୟ କ୍ୟୁରେଟିଭ ପିଟିସନ ବିରୋଧରେ ଆବେଦନ କରିଥିଲେ।
  • ଜାନୁଆରୀ ୭, ୨୦୨୦: ଦିଲ୍ଲୀର ଏକ କୋର୍ଟ ୪ ଦୋଷୀଙ୍କୁ ୨୨ ଜାନୁଆରୀ ସକାଳ ୭ଟାରେ ଫାଶି ଦେବା ପାଇଁ ଡେଥ୍ ଓ୍ୱାରେଣ୍ଟ ଜାରି କରିଥିଲେ।
  • ଜାନୁଆରୀ ୮,୨୦୨୦: ଏହାପରେ ପ୍ରଥମେ ପବନ ତା’ପରେ ମୁକେଶ କୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ।
  • ଜାନୁଆରୀ ୧୪,୨୦୨୦: ମୁକେଶ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ପାଇଁ ଆବେଦନ କରିଥିଲା। ହେଲେ ଏହା ଖାରଜ ହୋଇଯାଇଥିଲା। ଯେହେତୁ ରାଜକ୍ଷମା ପାଇଁ ଆବେଦନ ହୋଇଥିଲା ତେଣୁ ଫାଶି ତାରିଖ ୧ ଫେବୃଆରୀ ସକାଳ ୬ଟାକୁ ଘୁଞ୍ଚାଇ ଦେଇଥିଲେ କୋର୍ଟ।
  • ଜାନୁଆରୀ ୩୦, ୨୦୨୦: ପବନ, ଅକ୍ଷୟ ଏବଂ ବିନୟ ତିନି ଦୋଷୀ ନିଜ ଓକିଲଙ୍କ ଜରିଆରେ ଫାଶିରୁ ବର୍ତ୍ତିବା ପାଇଁ ବିଭିନ୍ନ କାରଣ ଦେଖାଇ ଆଇନର ସହଯୋଗ ନେଇଥିଲେ। ଏହାପରେ ପଟିଆଲା ହାଉସ କୋର୍ଟ ଡେଥ୍ ଓ୍ୱାରେଣ୍ଟ ତାରିଖକୁ ଟାଳି ଦେଇଥିଲେ। ଏହାପରେ ମାର୍ଚ୍ଚ ୩ରେ ଫାଶି ଦିଆଯିବ ବୋଲି କୋର୍ଟ ତାରିଖ ସ୍ଥିର କରିଥିଲେ।
  • ମାର୍ଚ୍ଚ ୨, ୨୦୨୦: ପବନ ଗୁପ୍ତା ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିବାରୁ ପୁଣିଥରେ ଫାଶି ତାରିଖ ୩ ମାର୍ଚ୍ଚକୁ ଘୁଞ୍ଚାଯାଇ ୨୦ ମାର୍ଚ୍ଚ ସ୍ଥିର କରାଯାଇଥିଲା।
  • ମାର୍ଚ୍ଚ ୧୯, ୨୦୨୦: ଫାଶି ପ୍ରକ୍ରିୟା ଟାଳିବା ପାଇଁ ଦୋଷୀଙ୍କ ଓକିଲ ଏ.ପି. ସିଂହ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ ଏହା ଖାରଜ ହୋଇଯାଇଥିଲା।
  • ମାର୍ଚ୍ଚ ୨୦, ୨୦୨୦: ଓକିଲ ଏ.ପି. ସିଂହ ବିଳମ୍ୱିତ ରାତିରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ରାତିରେ ସ୍ୱତନ୍ତ୍ର ଖଣ୍ଡପୀଠ ଦୋଷୀଙ୍କ ଆବେଦନର ଶୁଣାଣି କରି ଖାରଜ କରି ଦେଇଥିଲେ। ଏହାପରେ ସକାଳ ୫ଟା ୩୦ରେ ଦୋଷୀଙ୍କୁ ଫାଶି ଦିଆଯାଇଥିଲା।

 

You might also like