ଶେଷ ଇଚ୍ଛାକୁ ନେଇ ଚୁପ୍‌ ରହିଲେ ନିର୍ଭୟା ଦୋଷୀ !

ନୂଆଦିଲ୍ଲୀ: ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଫାଶୀ ପାଇବାକୁ ଥିବା ୪ ଦୋଷୀଙ୍କ ଶେଷ ଇଚ୍ଛା କ’ଣ ? ଏହା ସେମାନଙ୍କୁ ପଚରାଯାଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ତିହାର ଜେଲ୍‌ରେ ଥିବା ଏହି ୪ ଦୋଷୀଙ୍କୁ ସେମାନଙ୍କର ଶେଷ ଇଚ୍ଛା ସମ୍ପର୍କରେ ପଚରା ଯାଇଥିଲା। ଶେଷଥର ପାଇଁ ଘର ଲୋକଙ୍କୁ କେବେ ସାକ୍ଷାତ କରିବାକୁ ଚାହୁଁଛନ୍ତି ବୋଲି ପଚରା ଯାଇଥିଲା। ହେଲେ ଏନେଇ ସେମାନେ ଚୁପ୍‌ ଥିବା ଜଣାପଡ଼ିଛି। କାହିଁକି ନା ୪ ଜଣଙ୍କୁ ମଧ୍ୟରୁ କେହି ଜଣେ ବି ହେଲେ ବର୍ତ୍ତମାନ ସୁଦ୍ଧା ଏସମ୍ପର୍କରେ କିଛି କହି ନାହାନ୍ତି।

ଫେବୃଆରୀ ୧ ସକାଳ ୬ଟାରେ ସମସ୍ତଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ କୋର୍ଟ ଡେଥ ୱାରେଣ୍ଟ ଜାରି କରିଛନ୍ତି।

ନିୟମ ଅନୁସାରେ, ଯେଉଁମାନଙ୍କୁ ଫାଶୀ ଦିଆଯାଇଥାଏ, ତାହା ପୂର୍ବରୁ ସେମାନଙ୍କୁ ସେମାନଙ୍କର ଶେଷ ଇଚ୍ଛା ସମ୍ପର୍କରେ ପଚରା ଯାଇଥାଏ। ଅର୍ଥାତ୍‌ ଶେଷଥର ପାଇଁ ସେମାନେ ପରିବାରର କେଉଁ ସଦସ୍ୟଙ୍କୁ ଓ କେବେ ଭେଟିବା ପାଇଁ ଚାହୁଁଛନ୍ତି? ଏହାସହ ସେମାନଙ୍କୁ ଆହୁରି ମଧ୍ୟ ପଚରା ଯାଇଥାଏ, ସେମାନେ ତାଙ୍କର ସମ୍ପତ୍ତିକୁ କାହା ନାଁରେ କରିବାକୁ ଚାହୁଁଛନ୍ତି ? ଇତ୍ୟାଦି…

ମିଳିଥିବା ସୂଚନା ଅନୁସାରେ, ଯେତେବେଳେ ଏହି ସବୁ ପ୍ରଶ୍ନ ନିର୍ଭୟା ମାମଲାର ୪ ଦୋଷୀ ମୁକେଶ ସିଂ, ବିନୟ ସିଂ, ଅକ୍ଷୟ ସିଂ ଓ  ପବନ ଗୁପ୍ତାକୁ ପଚରାଯାଇଥିଲା ସେମାନଙ୍କ ନିକଟରୁ କିଛି ଉତ୍ତର ମିଳି ନ ଥିଲା। ଏଥିରୁ ଜଣାପଡ଼ୁଛି ଯେ, ସେମାନେ ଆଶା ରଖିଛନ୍ତି ଯେ ଏବେବି ସେମାନଙ୍କୁ ଆହୁରି ସମୟ ମିଳିପାରିବ। ଅର୍ଥାତ୍‌ ସେମାନେ ଆଇନର ଗଳାବାଟ ବ୍ୟବହାର କରି ଫାଶୀ ପ୍ରକ୍ରିୟାକୁ ଆହୁରି ବିଳମ୍ବିତ କରିବାକୁ ଲକ୍ଷ୍ୟ ରଖିଥିବା କୁହାଯାଉଛି।

ଏସବୁ ଭିତରେ ୪ ଜଣଙ୍କ ମଧ୍ୟରୁ ଜଣେ ଫାଶୀ ପାଇବା ଭୟରେ ଖାଇବା ଛାଡ଼ି ଦେଇଛି। ସେହିପରି ଆଉ ଜଣେ ଦୋଷୀ ଧୀରେଧୀରେ ତା’ର ଖାଦ୍ୟର ପରିଣାମ କମାଇବାରେ ଲାଗିଛି। ଜେଲ ସୂତ୍ର ଅନୁଯାୟୀ, ଦୋଷୀ ବିନୟ ଶର୍ମା ଦୁଇ ଦିନ ହେଲା କୌଣସି ଖାଦ୍ୟ ଖାଇ ନ ଥିଲା। କିନ୍ତୁ ବୁଧବାର ତାକୁ ଜେଲ କର୍ତ୍ତୃପକ୍ଷ ବାରମ୍ବାର ଖାଦ୍ୟ ଖାଇବାକୁ କହିବାରୁ ସେ ଅଳ୍ପ ଖାଦ୍ୟ ଖାଇଛି। ପବନ ଗୁପ୍ତା ମଧ୍ୟ ଫାଶୀ ପାଇବା ଭୟରେ ଅଳ୍ପ ଖାଦ୍ୟ ଖାଉଛି।

ହେଲେ ଫାଶୀ ଦଣ୍ଡର ପ୍ରଭାବ ଅକ୍ଷୟ ଓ ମୁକେଶ ଉପରେ କୌଣସି ପ୍ରକାରର ପଡ଼ି ନଥିବା ଜଣାପଡ଼ିଛି। ସେମାନେ ପୂର୍ବଭଳି ଠିକ୍ ଭାବେ ଖାଉଛନ୍ତି ଓ ସବୁ କାମ କରୁଛନ୍ତି। ୪ ଜଣଙ୍କ ମଧ୍ୟରୁ ମୁକେଶ ଏକମାତ୍ର ଦୋଷୀ ଯିଏ ଆଇନର ସବୁ କିଛି ମାଧ୍ୟମ ବ୍ୟବହାର କରି ସାରିଛି। ସେ କ୍ୟୁରେଟିଭ ପିଟିସନ ଠାରୁ ରାଜକ୍ଷମା ଆବେଦନ କରି ସେ ନିରାଶ ହୋଇଛି। ଏବେ ତା’କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ପଥ ସଂପୂର୍ଣ୍ଣ ଭାବେ ପରିଷ୍କାର ହୋଇଯାଇଛି।

୪ ଜଣ ଦୋଷୀଙ୍କୁ ଜେଲ ନଂ ୩ର ଅଲଗା ଅଲଗା ସେଲରେ ରଖାଯାଇଛି। ପ୍ରତି କଏଦୀର ସେଲ ବାହାରେ ୨ ଜଣ ଲେଖାଏ ସିକ୍ୟୁରିଟି ଗାର୍ଡ ମୁତୟନ ହୋଇଛନ୍ତି। ପ୍ରତି ଦୁଇ ଘଣ୍ଟାରେ ଗାର୍ଡ ମାନଙ୍କୁ ବିଶ୍ରାମ ଦିଆଯାଉଛି। ପ୍ରତି ଦୋଷୀଙ୍କ ସେଲ୍‌ ବାହାରେ ୨୪ ଘଣ୍ଟା ମୁତୟନ ହେବା ପାଇଁ ୮ ଜଣ ଲେଖାଏ ସିକ୍ୟୁରିଟି ଗାର୍ଡକୁ ନିୟୋଜିତ କରାଯାଇଛି। ଅର୍ଥାତ ୪ ଜଣଙ୍କ ପାଇଁ ୩୨ ଜଣ ସିକ୍ୟୁରିଟି ଗାର୍ଡ ରହିଛନ୍ତି। ସେହିପରି ୨୪ ଘଣ୍ଟାରେ ୪୮ଟି ସିଫ୍ଟ କରାଯାଉଛି।

ଅନ୍ୟପକ୍ଷରେ, ନିର୍ଭୟା ମାମଲାରେ ଦଣ୍ଡ ବିଳମ୍ବିତ ହେଉଥିବାରୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କେନ୍ଦ୍ର ସରକାର। ନିର୍ଭୟା ଦୋଷୀଙ୍କୁ ଫାଶୀ ପାଇଁ ୭ ଦିନ ଡେଡ୍‌ଲାଇନ୍‌ ଧାର୍ଯ୍ୟ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି।

You might also like