ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ନିଜକୁ ନାବାଳକ କହିଲା ନିର୍ଭୟା ଦୋଷୀ

ନୂଆଦିଲ୍ଲୀ: ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ଜଣଙ୍କ ପରେ ଜଣେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ନୂଆ ନୂଆ ବାହାନା ଦେଖାଇବା ଆରମ୍ଭ କରିଛନ୍ତି। ଫାଶୀ ଦଣ୍ଡରେ ଦଣ୍ଡିତ ହୋଇଥିବା ପବନ ଗୁପ୍ତା ନାମକ ଯୁବକ ନିଜକୁ ନାବଳକ ଦର୍ଶାଇ ସୁପ୍ରିମକୋର୍ଟରେ ଆଜି ଆବେଦନ କରିଛି।

୨୦୧୨ ନିର୍ଭୟା ଓ ଗଣଦୁଷ୍କର୍ମ ବେଳେ ସେ ନାବାଳକ ଥିଲା ବୋଲି ପ୍ରଥମେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲା। ହେଲେ କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ଆସନ୍ତା ୨୨ ତାରିଖରେ ଫାଶୀ ଦଣ୍ଡ ହେବାକୁ ଥିବାରୁ ଏହାକୁ ବିଳମ୍ବିତ କରିବା ପାଇଁ ପବନ ଏବେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି।

ଗତବର୍ଷ ଡିସେମ୍ବର ୧୯ରେ ଦିଲ୍ଲୀ ହାଇକୋର୍ଟ ପବନର ଆବେଦନକୁ ଅଗ୍ରାହ୍ୟ କରିଥିଲେ। ଏହା ପୂର୍ବରୁ ଟ୍ରାଏଲ କୋର୍ଟ ମଧ୍ୟ ସମାନ ଢଙ୍ଗରେ ତା’ର ଆବେଦନକୁ ଖାରଜ କରିଥିଲେ।

୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ୬ ଜଣ ଗିରଫ ହୋଇଥିଲେ। ତେବେ ଏମାନଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ବେଳେ ଦୋଷୀ ରାମ ସିଂହ ଆତ୍ମହତ୍ୟା କରିଥିଲା। ଅନ୍ୟ ୪ ଜଣଙ୍କୁ ୨୦୧୩ରେ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।

୩ ବର୍ଷ ଜେଲରେ ରହିବା ପରେ ନାବାଳକଟିକୁ ଛଡ଼ା ଯାଇଥିଲା। ଏବେ ପବନ ଗୁପ୍ତା ଘଟଣା ସମୟରେ ସେ ନାବାଳକ ଥିବା ନିଜକୁ ଦର୍ଶାଇଛି।

୨୦୧୭ରେ ସୁପ୍ରିମକୋର୍ଟ ଦୋଷୀ ସାବ୍ୟସ୍ତ ହୋଇଥିବା ମୁକେଶ, ବିନୟ, ପବନ ଓ ଅକ୍ଷୟର ଫାଶୀ ଦଣ୍ଡ କାଏମ ରଖିଥିଲେ। ଏହାପରେ ସେମାନେ ଦାଖଲ କରିଥିବା କ୍ୟୁରେଟିଭ ଓ ରିଭ୍ୟୁ ପିଟିସନ ସୁପ୍ରିମକୋର୍ଟ ଖାରଜ କରି ସାରିଛନ୍ତି। ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ମୁକେଶ କରିଥିବା ରାଜକ୍ଷମା ଆବେଦନକୁ ଆଜି ଖାରଜ କରିଛନ୍ତି।

ଅନ୍ୟପକ୍ଷେ ପବନର ବାପା ହୀରାଲାଲ ଗୁପ୍ତା ମଧ୍ୟ ନିଜ ପୁଅର କିଛି ଭୁଲ ନାହିଁ ବୋଲି କହିଛନ୍ତି। ନିର୍ଭୟା କେସକୁ ସେ ଏକ ନୃଶଂସ ଘଟଣାର ବୋଲି ସ୍ୱୀକାର କଲେ ମଧ୍ୟ ଏହି ଘଟଣାରେ ତାଙ୍କ ପୁଅର ସଂପୃକ୍ତି ନାହିଁ ବୋଲି କହିଛନ୍ତି।

 

 

You might also like