ଡାକ୍ତରଖାନାରେ ଗୋଟିଏ ଦିନରେ ଆଖିବୁଜିଲେ ୯ ନବଜାତକ

କୋଟା: ରାଜସ୍ଥାନର କୋଟା ସହରର ଏକ ସରକାରୀ ଡାକ୍ତରଖାନାରେ ମାତ୍ର କେଇ ଘଣ୍ଟାରେ ୯ ନବଜାତ ଶିଶୁଙ୍କର ମୃତ୍ୟୁ ଘଟିଛି। ଅଧିକାରୀଙ୍କ କହିବା ଅନୁଯାୟୀ ଜେକେ ଲୋନ ଡାକ୍ତରଖାନାରେ ୧ରୁ ୪ ଦିନ ମଧ୍ୟରେ ଜନ୍ମ ହୋଇଥିବା୫ ଜଣ ଶିଶୁଙ୍କର ବୁଧବାର ରାତିରେ ମୃତ୍ୟୁ ଘଟିଛି। ଅନ୍ୟ ୪ ଜଣଙ୍କର ଗୁରୁବାର ମୃତ୍ୟୁ ଘଟିଛି। ଘଟଣାର ଯାଞ୍ଚ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ରଘୁ ଶର୍ମା ନିର୍ଦ୍ଦେଶ ଦେବା ସହ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ତୁରନ୍ତ ରିପୋର୍ଟ ଦେବାକୁ କହିଛନ୍ତି।

ସୂଚନାଥାଉ କି, ଶିଶୁ ମୃତ୍ୟୁକୁ ନେଇ ଏହି ଡାକ୍ତରଖାନା ଗତବର୍ଷ ଡିସେମ୍ବରରେ ଚର୍ଚ୍ଚାକୁ ଆସିଥିଲା। ଜେକେ ଲୋନ୍‌ ଡାକ୍ତରଖାନାର ସୁପରିଣ୍ଟେଣ୍ଡେଣ୍ଟ ସୁରେଶ ଦୁଲାରା କହିଛନ୍ତି, ସମସ୍ତ ଶିଶୁଙ୍କ ମୃତ୍ୟୁ ସ୍ୱାଭାବିକ ଥିଲା। ସେମାନଙ୍କ ମୃତ୍ୟୁ କୌଣସି ଇନ୍‌ଫେକ୍ସନ କିମ୍ବା ଅନ୍ୟ କୌଣସି ରୋଗ କାରଣରୁ ହୋଇନାହିଁ। କୋଟା ମେଡିକାଲ କଲେଜ ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରାଳୟ ଯେଉଁ ରିପୋର୍ଟ ଦେଇଛି, ସେଥିରେ ଉଲ୍ଲେଖ ରହିଛି, ତିନି ଜଣ ନବଜାତ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ମୃତ୍ୟୁ ବରଣ କରି ସାରିଥିଲେ। ଅନ୍ୟ ତିନି ଜଣଙ୍କ ମୃତ୍ୟୁ ସ୍ୱାଭାବିକ ଥିଲା।

ଖବର ପାଇବା ପରେ ଗୁରୁବାର ଡିଭିଜନାଲ କମିଶନର ଏବଂ କୋଟା ଜିଲ୍ଲା ଅଧିକାରୀ ଡାକ୍ତରଖାନା ଗସ୍ତ କରିଥିଲେ। ପରେ ଏକ ବୈଠକ ଡକାଇ ୬ ଜଣ ଅତିରିକ୍ତ ଡାକ୍ତର ଏବଂ ୧୦ ଜଣ ନର୍ସଙ୍କୁ ସେଠାକୁ ପଠାଯାଇଛି। ସ୍ଥିତି ଉପରେ ନଜର ରଖିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି।  ଏଥିସହିତ ଶୁକ୍ରବାର ଅକ୍ରାନ୍ତ ଶିଶୁଙ୍କ ପାଇଁ ଏକ ସ୍ୱତନ୍ତ୍ର ୱାର୍ଡ ଖୋଲିବା ପାଇଁ କହିଛନ୍ତି।

ଏଠି କହିରଖିବୁ, ଗତବର୍ଷ ଡିସେମ୍ବର ଜେକେ ଲୋନ ଡାକ୍ତରଖାନାରେ ୧୦୦ରୁ ଅଧିକ ପିଲାର ମୃତ୍ୟୁ ଘଟିଥିଲା ଏହାକୁ ନେଇ ସେତେବେଳେ ଜାତୀୟ ରାଜନୀତି ବେଶ ସରଗରମ ହୋଇଥିଲା।

You might also like