ଆଜି ଦିନିକିଆ ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ: ଆଜି ଦିନିକିଆ ବ୍ୟାଙ୍କ୍‌ ଧର୍ମଘଟ ଡାକରା ଦିଆଯାଇଛି। ଦରମା ସଂଶୋଧନ ଦାବି ଏବଂ ବ୍ୟାଙ୍କ ଅଫ୍‌ ବରୋଦା, ବିଜୟା ବ୍ୟାଙ୍କ ଓ ଦେନା ବ୍ୟାଙ୍କର ମିଶ୍ରଣକୁ ବିରୋଧ କରି ୟୁନାଇଟେଡ୍‌ ଫୋରମ୍‌ ଅଫ୍ ବ୍ୟାଙ୍କ ୟୁନିଅନ୍‌ସ୍‌ ପକ୍ଷରୁ ଦେଶବ୍ୟାପୀ ଏହି ଧର୍ମଘଟ ଡାକରା ଦିଆଯାଇଛି।

ଗତକାଲି ବଡ଼ଦିନ ଯୋଗୁ ବ୍ୟାଙ୍କ୍‌ ଛୁଟି ଥିବାରୁ ଆଜି ପୁଣି ଧର୍ମଘଟ ଫଳରେ ବ୍ୟାଙ୍କ୍‌ ସେବା ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

୯ଟି ସଂଘ ଏହି ଧର୍ମଘଟରେ ସାମିଲ ହେଉଛନ୍ତି। ଏହା ପୂର୍ବରୁ ଗତ ୨୧ ତାରିଖରେ ଏହି ଦୁଇଟି ଦାବି ନେଇ ଅଲ୍ ଇଣ୍ଡିଆ ବ୍ୟାଙ୍କ୍‌ ଅଫିସର୍ସ କନ୍‌ଫେଡେରେସନ୍‌ର ପକ୍ଷରୁ ଦିନିକିଆ ଧର୍ମଘଟ କରାଯାଇଥିଲା।

ସ୍କେଲ୍‌ ଓ୍ୱାନ୍ ଅଫିସରଙ୍କଠାରୁ ଆରମ୍ଭ କରି ସ୍କେଲ୍‌ ସେଭେନ୍ ପର୍ଯ୍ୟନ୍ତ ଅଧିକାରୀଙ୍କ ଦରମା ପୁନଃ ନିର୍ଦ୍ଧାରଣ, ସପ୍ତାହକୁ ୫ ଦିନ କାର୍ଯ୍ୟ ଦିବସ ଦାବି ସହିତ ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ଧର୍ମଘଟ କରାଯାଇଥିଲା।

You might also like