ଆମେରିକା ନିର୍ବାଚନ: ଭାରତୀୟ ବଂଶୋଦ୍ଭବ କାର୍ଡ ଖେଳିବେ କି ଟ୍ରମ୍ପ ?

ୱାଶିଂଟନ:ଆମେରିକା ଉପରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ ବଂଶୋଦ୍ଭବଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଅସ୍ୱୀକାର କରିହେବନି। ରାଷ୍ଟ୍ରପତି ପଦ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ନିର୍ବାଚନ ଲଢୁଥିବା ଜୋ ବିଡେନ (Joe Biden) ଏହି ଦିଗ ଉପରେ ଅଧିକ ଧ୍ୟାନ ଦେଇଛନ୍ତି। ସେଥିପାଇଁ ଜୋ ବିଡେନ ଉପରାଷ୍ଟ୍ରପତି ପଦ ପାଇଁ ଭାରତୀୟ ବଂଶୋଦ୍ଭବ କମଲା ହେରିଶ(Kamala Harris)ଙ୍କୁ ପ୍ରାର୍ଥୀ କରିବା ସହ ଭାରତ ସପକ୍ଷରେ ମତ ରଖୁଛନ୍ତି।

ଏହାକୁ ଦେଖିବା ପରେ ଟ୍ରମ୍ପ ମଧ୍ୟ ଭାରତୀୟ ବଂଶୋଦ୍ଭବ କାର୍ଡ ଖେଳି ପାରନ୍ତି ବୋଲି ଆମେରିକା ଭୋଟରଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ଉପରାଷ୍ଟ୍ରପତି ପଦ ପାଇଁ ଟ୍ରମ୍ପ ଯଦିଓ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହାନ୍ତି, ତେବେ ଅନୁମାନ କରାଯାଉଛି, ଟ୍ରମ୍ପ କମଲାଙ୍କ ବିରୋଧରେ ନିକୀ ହେଲି(Nikki Haley) ଙ୍କ ନାମ ଉଠାଇ ପାରିନ୍ତି। ନିକୀ ଭାରତୀୟ ବଂଶୋଦ୍ଭବ ଅଟନ୍ତି। ତେବେ ଦୁଇ ଭାରତୀୟ ବଂଶୋଦ୍ଭବ ମହିଳାଙ୍କ ମଧ୍ୟରୁ ଆମେରିକାବାସୀ କାହାକୁ ଗ୍ରହଣ କରିବେ ତାହା ଦେଖିବାର କଥା।

କମଲା ଏବଂ ନିକୀ ଦୁଇ ଭାରତୀୟ ମୂଳ ମହିଳାଙ୍କର ପ୍ରଥମ ପୀଢି। ଏହି ଦୁଇ ଅଶ୍ୱେତ ମହିଳା ନିଜ ସ୍ଥାନକୁ ଦଳରେ ବେଶ ମଜବୁତ୍ କରିପାରିଛନ୍ତି। ଏବେ ଡେମୋକ୍ରାଟିକ ପାର୍ଟିରୁ କମଲାଙ୍କ ପ୍ରାର୍ଥୀତ୍ୱକୁ ନେଇ ରାଜନୈତିକ ବିଶେଷଜ୍ଞମାନେ ଅନେକ ଆଶା ରଖିଥିବାବେଳେ ଟ୍ରମ୍ପ  ଅଧିକରୁ ଅଧିକ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ଉପରାଷ୍ଟ୍ରପତି ମାଇକ୍‌ ପେନ୍‌ସଙ୍କ ସ୍ଥାନରେ ନିକୀ ହେଲିଙ୍କୁ ଆଣିପାରନ୍ତି ବୋଲି ଆଲୋଚନା ହେଉଛି।

ଏଠି କହିରଖିବୁ, ସଂଯୁକ୍ତ ରାଷ୍ଟ୍ରର ଆମ୍ବାସଡର ତଥା ସାଉଥ କେରୋଲିନାର ପୂର୍ବତନ ଗଭର୍ଣ୍ଣର ନିକୀ ହେଲିଙ୍କ ଜନ୍ମ ଆମେରିକାର ଏକ ପଞ୍ଜାବୀ ପରିବାରରେ। ବାପା ସର୍ଦ୍ଦାର ଅଜିତ୍‌ ସିଂହ ରନ୍ଧୱା ଏବଂ ମା ରାଜ କୌର ରନ୍ଧୱାଙ୍କ କନ୍ୟା ନିକୀ ମାଇକେଲ ହେଲି ନାମକ ଜଣେ ଆମେରିକୀୟଙ୍କୁ ବିବାହ କରିଥିଲେ । ମାଇକେଲ ହେଲି ଆର୍ମି ନାଶନାଲ ଗାର୍ଡରେ କ୍ୟାପ୍‌ଟେନ ଥିଲେ।

୨୦୧୦ରେ ମାତ୍ର ୩୭ ବୟସରେ ସେ ଗଭର୍ଣ୍ଣର ହୋଇଥିଲେ। ୨୦୧୮ରେ ୟୁନାଇଟେଡ ନେଶନର ଆମ୍ବାସଡର ପଦରୁ ଇସ୍ତଫା ଦେଇଥିଲେ। ତେବେ ସେ ଟ୍ରମ୍ପଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ ବୋଲି ସ୍ପଷ୍ଟ କହିଥିଲେ।

 

You might also like