ସହିଦ୍ ସ୍ୱାମୀଙ୍କୁ ଦେଲେ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି : ହେଲେ ଆର୍ମି ଅଫିସର

ନୂଆଦିଲ୍ଲୀ : ସ୍ୱାମୀଙ୍କ ପଥ ଅନୁସରଣ କରି ସେନାରେ ଯୋଗଦେଲେ ମେଜର ବିଭୂତି ଶଙ୍କର ଦୌଣ୍ଡିୟାଲଙ୍କ ପତ୍ନୀ ନିକିତା ଦୌଣ୍ଡିୟାଲ।  ଜଣେ ଲେଫ୍ଟନାଣ୍ଟ ଭାବେ ସେ ଆଜି ଆର୍ମି ଅଫିସର ହୋଇଛନ୍ତି । ଚେନ୍ନାଇରେ OTA ର ପାସିଂ ଆଉଟ୍ ପରେଡ୍ ବେଳେ ତାଙ୍କୁ ସେନା ଅଧିକାରୀଭାବେ ବ୍ୟାଚ ପିନ୍ଧାଇଥିଲେ ଲେଫ୍ଟନାଣ୍ଟ ଜେନେରାଲ ଓ୍ୱାଇ. କେ. ଯୋଶୀ। ନିକିତାଙ୍କ ସ୍ୱାମୀ ମେଜର ବିଭୂତି ଶଙ୍କର ଦୌଣ୍ଡିୟାଲ ୨୦୧୯ ପୁଲଓ୍ୱାମା ଆକ୍ରମଣରେ ସହିଦ ହୋଇଥିଲେ ।

ବିବାହର ମାତ୍ର ୯ ମାସ ପରେ ମେଜର ବିଭୂତି ସହିଦ ହେବା ପରେ ନିତିକା ସେନାରେ ଯୋଗଦେବାକୁ ମନସ୍ଥ କରିଥିଲେ। ଏଥିପାଇଁ ସେ ସଟ୍ ସର୍ଭିସ କମିଶନରେ ଯୋଗଦେବାକୁ ଆବେଦନ କରିଥିଲେ । ପରୀକ୍ଷାରେ ପାସ୍ କରିବା ପରେ ସର୍ଭିସ ସିଲେକସନ ବୋର୍ଡ ଇଣ୍ଟରଭ୍ୟୁ ଦେଇଥିଲେ। ପରୀକ୍ଷା ଓ ଇଣ୍ଟରଭ୍ୟୁରେ ପାସ୍ କରିବା ପରେ ଚେନ୍ନାଇର ଅଫିସର ଟ୍ରେନିଂ ଏକାଡ଼େମୀରେ ଯୋଗଦେଇଥିଲେ ନିକିତା । ଟ୍ରେନିଂ ପୂରା ହେବା ପରେ ସେ ଆଜି ବିଦ୍ଧିବଦ୍ଧ ଭାବେ ଆର୍ମି ଅଫିସର ହୋଇଛନ୍ତି । ଆଜିଠାରୁ ସେ ହୋଇଛନ୍ତି ଲେଫ୍ଟନାଣ୍ଟ ନିକିତା ଦୌଣ୍ଡିୟାଲ।

ପ୍ରତିରକ୍ଷା ମନ୍ତ୍ରଣାଳୟ PRO ଉଦାମପୁର ଏହାର ଅଫିସିଆଲ୍ ଟ୍ୱିଟରରେ କହିଛି ଯେ, “2019 ରେ  ପୁଲୱାମାରେ ସର୍ବୋଚ୍ଚ ବଳିଦାନ ଦେଇଥିବା ମେ.ବିଭୂତ ଶଙ୍କର ଦୌଣ୍ଡିୟାଲଙ୍କୁ ଏସସି (ପି) ପ୍ରଦାନ କରାଯାଇଥିଲା। ଆଜି ତାଙ୍କ ପତ୍ନୀ ନିକିତା ଦୌଣ୍ଡିୟାଲ ଇଣ୍ଡିଆନ ଆର୍ମି ୟୁନିଫର୍ମ ପରିଧାନ କରି ତାଙ୍କ ଅମର ଆତ୍ମାକୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।”

ସ୍ୱାମୀଙ୍କୁ ହରାଇବା ପରେ ସେ ତାଙ୍କ ସ୍ୱାମୀଙ୍କ ବଳିଦାନକୁ ସ୍ମରଣ କରିବା ପାଇଁ ଭାରତୀୟ ସେନାରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିଲେ ଓ ଏସ୍‌ଏସ୍‌ସି ପରୀକ୍ଷା ଦେଇଥିଲେ। ସେ କୁହନ୍ତି ଯେ “ଯେତେବେଳେ ମୁଁ ପରୀକ୍ଷାରେ ଲେଖିଥିଲି ଏବଂ ସାକ୍ଷାତକାର ଦେଇଥିଲି, ସେତେବେଳେ ମୁଁ ଭାବୁଥିଲି ସେ ଏସ୍‌ଏସ୍‌ସି ପରୀକ୍ଷା ଦେଲାବେଳେ କ’ଣ ଅନୁଭବ କରୁଥିବେ। ମୁଁ ତାଙ୍କ ସହିତ, ତାଙ୍କ ଭୟ ଏବଂ ତାଙ୍କ ଚିନ୍ତା ସହିତ ସଂଯୁକ୍ତ ହୋଇଗଲି। କୌଣସି ପ୍ରକାରେ ଏହା ମୋତେ ଶକ୍ତି ଦେଲା।”

ତେବେ ଟ୍ରେନିଂ ଆରମ୍ଭ ପୂର୍ବରୁ ସେ କହିଛନ୍ତି ଯେ “ସଫଳତା ପାଇବା ପାଇଁ ମୁଁ ବହୁତ କଠିନ ପରିଶ୍ରମ କରିଛି। ବର୍ତ୍ତମାନ ମୁଁ ମୋର ଏକ ବର୍ଷର ପ୍ରଶିକ୍ଷଣରେ ଉତ୍କର୍ଷ ହେବାକୁ ଚାହୁଁଛି। ମୁଁ ଜଣେ ଅଧିକାରୀ ହେବାକୁ ଚାହୁଁଛି ଯାହାକୁ ନେଇ ସମସ୍ତେ ଗର୍ବ ଅନୁଭବ କରିବେ। ବିଭୂ ମଧ୍ୟ ଗର୍ବିତ ହୋଇପାରନ୍ତି।”

You might also like