ଏହି ରାଜ୍ୟର ୨ ଜିଲ୍ଲାରେ ଆଜିଠୁ ଲାଗୁ ହେବ ନାଇଟ୍ କର୍ଫ୍ୟୁ
ପଟିଆଲା: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ପଞ୍ଜାବରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। କରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଆଜିଠୁ ପଞ୍ଜାବର ପଟିଆଲା ଓ ଲୁଧିଆନା ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆଜି ରାତି ୧୧ଟାରୁ ଭୋର ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ଏହି ସମୟରେ କେବଳ ଜରୁରୀ ସେବାକୁ ଅନୁମତି ମିଳିବ।
ନାଇଟ୍ କର୍ଫ୍ୟୁରୁ ପୋଲିସ୍ ଓ ଡ୍ୟୁଟିରେ ଥିବା ଆର୍ମି କର୍ମଚାରୀ, ସରକାରୀ କର୍ମଚାରୀ, ଜରୁରୀ ସେବା, ମେଡିକାଲ୍ ଏମମର୍ଜେନ୍ସିକୁ ବାଦ୍ ଦିଆଯାଇଛି। ଏହାପୂର୍ବରୁ ଶନିବାର ଦିନଠୁ ଜଳନ୍ଧର, ଏସ୍ଭିଏସ୍ ନଗର, ହୋଶିଆର୍ପୁର ଓ କପୁରଥାଲା ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଳାଗୁ କରାଯାଇଛି।
ପଟିଆଲା ଓ ଲୁଧିଆନାରେ କ୍ରମାଗତ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ଗୁରୁବାର ଲୁଧିଆନାରେ ୧୮୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଫଳରେ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୨,୭୯୩ ଓ ମୃତ୍ୟୁ ସଂଖ୍ୟା ୧,୫୭୬ରେ ପହଞ୍ଚିଛି।
ସେହିପରି ପଟିଆଲାରେ ଗୁରୁବାର ୧୧୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୦୮ରେ ପହଞ୍ଚିଛି। ଏବେ ୯୦୭ ଆକ୍ଟିଭ କେସ୍ ରହିଛି।
ଗତକାଲି ରାତିରୁ ମହାରାଷ୍ଟ୍ରର ଔରଙ୍ଗାବାଦରେ ମଧ୍ୟ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ରାତି ୯ଟାରୁ ସକାଳ ୬ଟା ଯାଏ କଟକଣା ଲାଗୁ ହେବ ଓ ଏହି ସମୟରେ କେବଳ ଜରୁରୀ ସେବାକୁ ଅନୁମତି ମିଳିଛି। ଏହାସହ ଏହି ସମୟରେ ବିଭିନ୍ନ ସ୍ଥାନରେ ପୋଲିସ୍ ପକ୍ଷରୁ ପାଟ୍ରୋଲିଂ କରାଯାଉଛି। ଏପ୍ରିଲ ୪ ଯାଏ ଏହି ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ।
ଅନ୍ୟପକ୍ଷରେ, ମାର୍ଚ୍ଚ ୧୫ରୁ ୨୧ ଯାଏ ପୂରା ନାଗପୁରରେ ଲକ୍ଡାଉନ୍କୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଲକ୍ଡାଉନ୍ ସମୟରେ ଜରୁରୀ ସେବା ଓ ସାମଗ୍ରୀ ଦୋକାନ ବ୍ୟତୀତ ଅନ୍ୟ ସବୁ ବନ୍ଦ ରହିବ। ପରିବା ଦୋକାନ, ଫଳ ଓ କ୍ଷୀର ବୁଥ୍ ଲକ୍ଡାଉନ୍ ସମୟରେ ଖୋଲା ରହିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି।