ମହାରାଷ୍ଟ୍ରରେ କରୋନାର ବିସ୍ଫୋରଣ ! ବଡ଼ ପଦକ୍ଷେପ ନେଲେ ସରକାର

ମୁମ୍ବାଇ: ମହାରାଷ୍ଟ୍ରରେ ନାଇଟ୍ କର୍ଫ୍ୟୁ ଜାରି ହେବାନେଇ ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି। ଦିନକୁ ଦିନ ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ରୂପ ନେଉଥିବାରୁ ଏହି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଭିଡ଼ ହ୍ରାସ, ଦିନକୁ ଦିନ ବଢଥିବା ସଂକ୍ରମଣକୁ ରୋକିବା ପାଇଁ କିଛି କଡ଼ା ପଦକ୍ଷେପ ନେବା ପାଇଁ ଓ ଏହାକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି।

ତେବେ ଆସନ୍ତା ମାର୍ଚ୍ଚ ୨୮ ରବିବାର ଠାରୁ ଏହା ଲାଗୁ କରାଯିବ ବୋଲି ଜଣାଯାଇଛି। ଖୁବ ଶୀଘ୍ର ବିପର୍ଯ୍ୟୟ ପରିଚାଳନା ଓ ଥଇଥାନ ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହେବ ବୋଲି କୁହାଯାଇଛି। ନୂଆ ନିୟମ ଅନୁସାରେ ମଲ୍‌ଗୁଡ଼ିକ ରାତି ୮ଟାରୁ ସକାଳ ୭ଟା ଯାଏ ବନ୍ଦ ହେବ। ନାନ୍ଦେଡ ଓ ଭିଡ୍ ଜିଲ୍ଲାରେ ୧୦ ଦିନ ପାଇଁ ସଂପୂର୍ଣ୍ଣ ଲକ୍‌ଡାଉନ୍ ସରକାର ଘୋଷଣା କରିଛନ୍ତି।

ଆଜି ସବୁ ଜିଲ୍ଲାର ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ସହିତ କୋଭିଡ ସ୍ଥିତି ନେଇ ଭିଡିଓ କନ୍ଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଲୋଚନା କରିଛନ୍ତି। ୪ ଦିନରେ ମହାରାଷ୍ଟ୍ରରେ ୧ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଦେଶରେ ଉପରମୁହାଁ ହେଉଛି କରୋନା ସଂକ୍ରମଣ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ, ଭାରତରେ ଗତ ୨୪ ଘଣ୍ଟା ଭିତରେ ୫୯ ହଜାର ୧୧୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୮ ଲକ୍ଷ ପାର କରିଯାଇଛି। ଦେଶରେ ବର୍ତ୍ତମାନ କରୋନା ରୋଗୀଙ୍କ ସଂଖ୍ୟା ୧ କୋଟି ୧୮ ଲକ୍ଷ ୪୬ ହଜାର ୬୫୨ ଛୁଇଁଛି।

You might also like