ଅନ୍ତର୍ଜାତୀୟ ବିମାନବନ୍ଦରରୁ ସୁନା ଜବତ ଘଟଣାର ତଦନ୍ତ କରିବ NIA

ଥିରୁଅନନ୍ତପୁରମ୍‌:  କେରଳ ସୁନା ଜବତ ଘଟଣାର ତଦନ୍ତ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା ବା NIA । କେନ୍ଦ୍ର ଗୃହ ମନ୍ତ୍ରାଳୟ NIAକୁ ଏହି ତଦନ୍ତ ଦାୟିତ୍ୱ ଦେଇଛି । ସଙ୍ଗଠିତ ସ୍ମଗଲିଂ କାରବାର ଯୋଗୁ ଜାତୀୟ ସୁରକ୍ଷା ପ୍ରତି ବିପଦ ଥିବା ଦର୍ଶାଇ NIAକୁ ତଦନ୍ତ ଭାର ଦେଇଛି ଗୃହ ମନ୍ତ୍ରାଳୟ ।

ଜୁଲାଇ ୪ରେ କେରଳ ଥିରୁବନନ୍ତପୁରମ୍ ଅନ୍ତର୍ଜାତୀୟ ଏୟାରପୋର୍ଟରେ କଷ୍ଟମ ବିଭାଗ ହାତରେ ଏହି ସୁନା ଚାଲାଣ ଧରାପଡିଥିଲା।  ଏକ ମାଲବାହୀ ବିମାନରେ ବିପୁଳ ପରିମାଣର ସୁନା ଆସୁଥିବା ଖବର ପାଇ କଷ୍ଟମ ବିଭାଗ କର୍ମଚାରୀ ଯାଞ୍ଚ କରିଥିଲେ। ଏହି ସମୟରେ ଏକ ବ୍ୟାଗରୁ ୩୦ କେଜି ଓଜନର ସୁନା ମିଳିଥିଲା। ଯାହାର ଆନୁମାନିକ ମୂଲ୍ୟ ହେବ ୧୫ କୋଟି ଟଙ୍କା। ଘଟଣାରେ ସରିତ କୁମାର ନାମକ ଜଣେ ୟୁଏଇ ଦୂତାବାସ କର୍ମଚାରୀଙ୍କୁ ଧରିଥିଲେ।

ସରିତ୍ କୁମାରଙ୍କୁ ଧରି କଷ୍ଟମ ବିଭାଗ ପଚରାଉଚରା ପରେ ସ୍ୱପ୍ନା ସୁରେଶ ନାମକ ଜଣେ ମହିଳାଙ୍କ ପାଇଁ ଏହି ସୁନା ଆସିଥିବା ସେ କହିଥିଲେ। ସ୍ୱପ୍ନା ସୁରେଶ ହେଉଛନ୍ତି ୟୁଏଇ ଦୂତାବାସର ଜଣେ ପୂର୍ବତନ କର୍ମଚାରୀ।

ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘଟଣାର ସିବିଆଇ ତଦନ୍ତ ପାଇଁ ଅନୁରୋଧ କରିବା ପରେ ଗୃହ ମନ୍ତ୍ରାଳୟ NIAକୁ  ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି।  ସୂଚନାଥାଉ କି,  ସୁନା ଚୋରି ମାମଲାରେ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।

 

You might also like