ଅମ୍ବାନୀଙ୍କ ଘର ନିକଟରୁ ବିସ୍ଫୋରକ ଭର୍ତ୍ତି ଗାଡି ଘଟଣାରେ NIA ହାତରେ ଲାଗିଲା ଚାଞ୍ଚଲ୍ୟକର ତଥ୍ୟ

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ବିସ୍ଫୋରକ ଭର୍ତ୍ତି ଗାଡ଼ି ମିଳିବା ମାମଲାରେ ତଦନ୍ତକୁ ଜୋରଦାର କରିଛି ଏନ୍ଆଇଏ। ତଦନ୍ତରେ ଏନଆଇଏ ହାତରେ ଲାଗିଛି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ।  ଗିରଫ ପୋଲିସ ଅଧିକାରୀ ସଚିନ ବଜେଙ୍କ କାର୍ଯ୍ୟାଳୟରେ ଛାନ୍‌ଭିନ୍ କରିବା ସହ ଏକ କଳା ରଙ୍ଗର କାର୍ ଜବତ କରିଛି।  କାର୍ ଭିତରୁ ୫ ଲକ୍ଷ ଟଙ୍କା ସହ ଟଙ୍କା ଗଣିବା ମେସିନ୍, ବିସ୍ଫୋରକ ଭର୍ତ୍ତି କାରର ନମ୍ବର ପ୍ଲେଟ୍ ଏବଂ ଏକ ଚେକ୍‌ ଟି ସାର୍ଟ ଜବତ କରାଯାଇଛି ।

ଗୁରୁତ୍ୱପୂର୍ଣ୍ଣ କଥା କାର୍ ଭିତରୁ ଯେଉଁ ଟି ସାର୍ଟ ମିଳିଛି, ପିପିଇ କିଟ୍ ପିନ୍ଧି ଯେଉଁ ବ୍ୟକ୍ତି ଯାଉଥିଲେ ସେ ମଧ୍ୟ ସେହି ରଙ୍ଗର ଟି ସାର୍ଟ ପିନ୍ଧିଥିବା ନେଇ ସିସିଟିଭି ଫୁଟେଜ୍‌ରେ ସାମ୍ନାକୁ ଆସିଥିଲା । କାର୍ ଭିତରୁ ଏକ ତେଲ ବୋତଲ ମଧ୍ୟ ଜବତ କରାଯାଇଛି । ସନ୍ଦେହ କରାଯାଉଛି ପିପିଇ କିଟ୍ ଜଳାଇବା ପାଇଁ ଏହି ତେଲ ବ୍ୟବହାର କରାଯାଇ ଥାଇପାରେ।

ଏକଥା ବି ସନ୍ଦେହ କରାଯାଉଛି, ମାର୍ଚ୍ଚ ୧୭ ତାରଖ ମନସୁଖ ହିରେନ ନିଜ ସ୍କର୍ପିଓ କାର ରାସ୍ତା ଉପରେ ରଖି କ୍ରାଫର୍ଡ ମାର୍କେଟ ଯାଇଥିଲେ। ସେତେବେଳେ ସେ ଏବଂ ସଚିନ ବଜେ ଏହି କାରରେ ବସି କଥା ହୋଇଥିଲେ। ସମ୍ଭବତଃ ମନସୁଖ ସ୍କର୍ପିଓ ଚାବି ସଚିନ ବଜେଙ୍କୁ ଦେଇଥିଲେ।

ତେବେ ଜବତ ଏହି କାର୍‌ର ମାଲିକ ସଚିନ ବଜେ ହୋଇନଥିଲେ ମଧ୍ୟ ସେ ଏହାକୁ ସେ ବ୍ୟବହାର କରୁଥିବା ନେଇ ତଦନ୍ତରୁ ଜଣାପଡିଛି । ଧୁଲେ ସହରରେ ରହୁଥିବା ମର୍ସଡିଜ କାର୍‌ର ପୂର୍ବତନ ମାଲିକଙ୍କ କହିବା ମୁତାବକ, ଏହି କାର୍‌ଟିକୁ ସେ ଫେବ୍ରୁଆରୀ ମାସରୁ ବିକ୍ରି କରିଥିଲେ । ତେବେ ଏହାକୁ କିଣିଥିବା ବ୍ୟକ୍ତି ବାଜେ ନୁହନ୍ତି।  ଏହି ଗାଡ଼ିକୁ ସଚିନ ପ୍ରମାଣ ନଷ୍ଟ କରିବା ପାଇଁ ବ୍ୟବହାର କରିଥିବା ସନ୍ଦେହ କରାଯାଉଛି।

ସୂଚନାଥାଉ କି,  ଗତ ୨୫ ତାରିଖରେ ମୁକେଶ ଅମ୍ବାନୀଙ୍କ ବାସଭବନ ନିକଟରୁ ବିସ୍ଫୋରକ ଭର୍ତ୍ତି କାର ଜବତ କରାଯାଇଥିଲା। କାର୍‌ଟି ଥାଣେର ଅଟୋ ପାଟର୍ସ ଡିଲର ମନସୁଖ ହିରଣଙ୍କର ବୋଲି ଜଣାପଡ଼ିଥିଲା । ତେବେ କାର୍ ଚୋରି ହେବା ନେଇ ମନସୁଖ ଫେବ୍ରୁଆରି ୧୭ ତାରିଖରେ ଅଭିଯୋଗ ମଧ୍ୟ କରିଥିଲେ । ତେବେ ମାର୍ଚ୍ଚ ୫ ତାରିଖରେ ସନ୍ଦେହଜନକ ଭାବେ ମନସୁଖଙ୍କ ମୃତ୍ୟୁ ଘଟିଥିଲା । ତେବେ ମନସୁଖଙ୍କ ମୃତ୍ୟୁ ପଛରେ ମଧ୍ୟ ସଚିନ ଓ୍ୱାଜେଙ୍କ ହାତ ଥିବା ତାଙ୍କ ସ୍ତ୍ରୀ ଅଭିଯୋଗ ଆଣିଛନ୍ତି।

ଏନଆଇଏ ହାତରେ ମଧ୍ୟ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି। ଏହି ଘଟଣାର ଯାଞ୍ଚ ଯେତେବେଳେ ସଚିନ ୱାଜେ କରୁଥିଲେ, ସେତେବେଳେ ସେ ନିଜେ ରହୁଥିବା ସୋସାଇଟିର CCTV ଫୁଟେଜ DVR ଜବତ କରିଥିଲେ। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା, ଏହି DVR ରୁ ଫୁଟେଜକୁ ହଟାଇ ଦିଆଯାଇଛି।

ଏହାକୁ ନେଇ ପ୍ରଶ୍ନ ଉଠିଛି, ଯାଞ୍ଚ ଅଧିକାରୀ ନିଜ ବିଲ୍‌ଡିଂର CCTV ଫୁଟେଜ କାହିଁକି ଜବତ କରିଥିଲେ ? ଏବେ ଏନଆଇଏ ଏହି ପ୍ରଶ୍ନର ଉତ୍ତର ଖୋଜୁଛି, ସଚିନ ୱାଜେ ନିଜେ ଏହି ଗାଡି ନେଇ ନିଜ କମ୍ପାଉଣ୍ଡରେ ରଖି ନାହାନ୍ତି ତ ? ଏନଆଇଏ ଏହାର ତଦନ୍ତ ଚଳାଇଛି।

 

You might also like