ଫାସଟ୍ୟାଗ୍ ଟୋଲ କଲେକ୍ସନରେ ରେକର୍ଡ : ଦିନକୁ ଆଦାୟ ହେଉଛି ୧୦୪ କୋଟିରୁ ଅଧିକ ଶୁଳ୍କ

ଫାସଟ୍ୟାଗ୍ ମାଧ୍ୟମରେ ୟୁଜର୍ ଫି ସଂଗ୍ରହରେ ୨୭% ଅଭିବୃଦ୍ଧି 

ଗତ ଦୁଇ ସପ୍ତାହରେ ଯୋଡ଼ି ହୋଇଛନ୍ତି ଦୁଇ ଲକ୍ଷରୁ  ଅଧିକ ନୂତନ ଫାସଟ୍ୟାଗ୍ ବ୍ୟବହାରକାରୀ 

୬୪ ଲକ୍ଷରୁ ଅଧିକ କାରବାର ହୋଇଛି

ନୂଆଦିଲ୍ଳୀ: ଫାସଟାଗ ମାଧ୍ୟମରେ ଟୋଲ ସଂଗ୍ରହ ରେକର୍ଡ଼ ସ୍ତରରେ ପହଞ୍ଚିଛି। ବର୍ତ୍ତମାନ ପ୍ରତିଦିନ ଫାସଟାଗ ଜରିଆରେ ୧୦୦ କୋଟି ଟଙ୍କାରୁ ଅଧିକ ଟୋଲ ସଂଗ୍ରହ କରାଯାଉଛି। ସାରା ଦେଶରେ ୧୫ ଫେବୃଆରୀରୁ ଫାସଟ୍ୟାଗ୍ ବାଧ୍ୟତାମୂଳକ କରିଥିବା ବେଳେ ଜାତୀୟ ରାଜମାର୍ଗ ପ୍ରାଧିକରଣ (NHAI) ଏନେଇ ସୂଚନା ଦେଇଛି ।

ଦେଶରେ ଧୀରେ ଧୀରେ ଫାସଟ୍ୟାଗ୍ ଜରିଆରେ ଟୋଲ ଶୁଳ୍କ ଆଦାୟ ବଢିବଢି ଚାଲିଛି। ଫାସଟ୍ୟାଗ୍ ମାଧ୍ୟମରେ ଏହି ସପ୍ତାହରେ ୧୦୦ କୋଟିରୁ ଅଧିକ ଟୋଲ୍ ଫି ଆଦାୟ ହୋଇଛି। ତେବେ ୨୫ ଫେବୃଆରୀରେ ଫାସଟ୍ୟାଗ୍ ମାଧ୍ୟମରେ ୧୦୩.୯୪ କୋଟି ଟଙ୍କାର ଟୋଲ୍ ସଂଗ୍ରହ କରାଯାଇଛି। ଏହା ହେଉଛି ଫାସଟାଗ୍ ମାଧ୍ୟମରେ ଟୋଲ୍ ସଂଗ୍ରହର ସର୍ବତ୍ତୋମ ରେକର୍ଡ। ୬୪.୫ ଲକ୍ଷ ଟ୍ରାନଜାକ୍ସନ ଜରିଆରେ ଏହି ଟୋଲ ଆଦାୟ କରାଯାଇଛି |

ଇଲେକ୍ଟ୍ରୋନିକ୍ ଟୋଲ୍ ସଂଗ୍ରହ କାରବାରରେ ୨୦ ପ୍ରତିଶତ ଅଭିବୃଦ୍ଧି ଘଟିଥିବାବେଳେ ଫାସଟାଗ ୟୁଜର୍ ଫି ସଂଗ୍ରହ କ୍ଷେତ୍ରରେ ୨୭ ପ୍ରତିଶତ ଅଭିବୃଦ୍ଧି ପଞ୍ଜିକୃତ ହୋଇଛି। ରାଜପଥ ବ୍ୟବହାରକାରୀଙ୍କ ପାଇଁ ଫାସଟାଗ ଟୋଲ ଆଦାୟ ଏକ ବଡ଼ ଲାଭ ହୋଇଛି। ଗତ ଦୁଇ ସପ୍ତାହ ମଧ୍ୟରେ ପ୍ରାୟ ୨୦ଲକ୍ଷ  ନୂତନ ଗ୍ରାହକ ଫାସଟାଗ ବ୍ୟବହାରକାରୀ ଯୋଡ଼ି ହୋଇଛନ୍ତି। ଫଳରେ ବର୍ତ୍ତମାନ ଦେଶରେ ଫାସଟାଗ ବ୍ୟବହାରକାରୀଙ୍କ ସଂଖ୍ୟା ୨.୮କୋଟିକୁ ବୃଦ୍ଧି ପାଇଛି। NHAI ସୂଚନା ଅନୁସାରେ ଜାତୀୟ ରାଜମାର୍ଗ ବ୍ୟବହାରକାରୀ ମଧ୍ୟ ଏହାକୁ ବେଶ ସମର୍ଥନ କରୁଛନ୍ତି ।

ଫାସଟାଗ ବ୍ୟବହାର ଦ୍ୱାରା ଟୋଲ୍ ପ୍ଲାଜାରେ ଭିଡ଼ ଅପେକ୍ଷାକୃତ ଭାବେ କମିଛି। ଫାଷ୍ଟଟ୍ୟାଗ୍ ବ୍ୟବହାରକାରୀଙ୍କ ସଂଖ୍ୟା ବଢୁଥିବାରୁ ଟୋଲପ୍ଲାଜାରେ ୱେଟିଂ ସମୟ ମଧ୍ୟ ହ୍ରାସ ହୋଇଛି। ଲୋକମାନେ ଏହାର ବ୍ୟବହାର ସହିତ ଏକ ଉତ୍ତମ ଅଭିଜ୍ଞତା ହାସଲ କରୁଛନ୍ତି। ଏହାର ବ୍ୟବହାର ଟୋଲ ଅପରେସନରେ ଯଥେଷ୍ଟ ସ୍ୱଚ୍ଛତା ଆଣିବାର ସମ୍ଭାବନା ରହିଛି।  ସଡକ ସମ୍ପତ୍ତିର ସଠିକ ମୂଲ୍ୟ ପ୍ରଦାନ କରି ଭବିଷ୍ୟତରେ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବ ବୋଲି ଆଶା କରାଯାଉଛି। ଏହି ବିନିଯୋଗ ସହିତ ଦେଶର ରାଜପଥ ଭିତ୍ତିଭୂମିରେ ଉନ୍ନତି ହେବ ବୋଲି NHAI ସୂଚନା ଦେଇଛି।

ଫାସଟାଗ୍ କ’ଣ?

ଫାସଟାଗ ହେଉଛି ଏକ ରେଡିଓ ଫ୍ରିକୁଏନସି ଟାଗ ବା ଷ୍ଟିକର। ଏହା ଗାଡ଼ିର ୱିଣ୍ଡ୍‌ ସ୍କ୍ରିନ୍‌ ବା ଗାଡ଼ି ସାମ୍ନା କାଚରେ ଲଗାଯାଇଥାଏ। ଫାସଟାଗ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ ଟେକ୍ନୋଲୋଜି ଦ୍ୱାରା କାମ କରେ। ଏହି ଟେକ୍ନୋଲୋଜି ମାଧ୍ୟମରେ ଟୋଲ୍ ପ୍ଲାଜାରେ ଥିବା କ୍ୟାମେରା ଷ୍ଟିକରର ବାର୍ କୋଡ୍ ସ୍କାନ୍ କରି ଏବଂ ଫାସଟାଗ ୱାଲେଟରୁ ଟୋଲ୍ ଫି ସ୍ୱୟଂଚାଳିତ ଭାବରେ କଟାଯାଇଥାଏ। ଟୋଲ୍ ଗେଟରେ ପଇସା ଦେବା ପାଇଁ ଲାଇନ୍ ଧରି ଛିଡ଼ା ହେବା ଫଳରେ ଅନେକ ସମୟ ନଷ୍ଟ ହେବା ସାଙ୍ଗକୁ ରାସ୍ତା ମଧ୍ୟ ଜାମ୍ ରହିଥାଏ। ଫାଷ୍ଟାଗର ବ୍ୟବହାର ଦ୍ୱାରା ଡ୍ରାଇଭରକୁ ଟୋଲ ଟ୍ୟାକ୍ସ ଦେବା ପାଇଁ ଗାଡ଼ି ଅଟକାଇବାକୁ ପଡ଼େ ନାହିଁ।

You might also like