ଆଗାମୀ ଯୁଦ୍ଧ ମିସାଇଲ ନୁହେଁ, ଭାଇରସ ସହ ହେବ- ବିଲ୍‌ ଗେଟ୍‌ସ

ନୂଆଦିଲ୍ଲୀ: ଗତବର୍ଷରୁ ଆରମ୍ଭ ହୋଇଛି କରୋନା ଭାଇରସ୍‌ ବିରୋଧରେ ଯୁଦ୍ଧ। ଏହି ଜୈବିକ ଯୁଦ୍ଧରେ ଅନେକ ଜୀବନ ଗଲାଣି। କରୋନା ଲୋକଙ୍କ ଆଖିରୁ ନିଦ ହଜାଇ ଦେଲାଣି। ତେବେ ଏପରି ହେବ ବୋଲି ବହୁ ଆଗରୁ ଅନୁମାନ କରାଯାଇଥିଲା । ମାଇକ୍ରୋସପ୍ଟର ସହ ସଂସ୍ଥାପକ ତଥା ସମାଜସେବୀ ବିଲ୍‌ ଗେଟ୍‌ସ ୨୦୧୫ରେ ବିଶ୍ୱକୁ ମହାମାରୀ ସମ୍ପର୍କରେ ସଚେତନ କରାଇଥିଲେ। ଏବେ ବିଲ୍‌ ଗେଟ୍‌ସଙ୍କର ଆଉ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ କହିଛନ୍ତି, ଆଗାମୀ ଯୁଦ୍ଧରେ ମିସାଇଲ ବା ନ୍ୟୁକ୍ଲିୟର ସହ ନୁହେଁ, ଭାଇରସ ସହ ଆମକୁ ଲଢିବାକୁ ପଡ଼ିପାରେ।

କରୋନା ମହାମାରୀକୁ ନେଇ କେହି ବି ଚିନ୍ତା କରି ନ ଥିଲେ। ହେଲେ ଏବେ ବିଲ୍ ଗେଟ୍‌ସଙ୍କ ଅନୁମାନ କିଛିଟା ସତ ସାବ୍ୟସ୍ତ ହୋଇଛି।  ଅବଶ୍ୟ ସେ ନିଜ ଭବିଷ୍ୟବାଣୀକୁ ନେଇ ସନ୍ତୁଷ୍ଟ ନ ଥିଲେ। ଲୋକପ୍ରିୟ ୟୁଟ୍ୟୁବ ଚାନେଲ ଭେରିଟାସି୍ରମମ୍‌ରେ ଡେରେକ୍‌ ମୁଲରଙ୍କ ସହ ଭିଡିଓ କଲରେ ନିଜ ଭବିଷ୍ୟବାଣୀକୁ ନେଇ ସେ ସନ୍ତୁଷ୍ଟ ନୁହଁନ୍ତି ବୋଲି କହିଥିଲେ।

ବିଲ୍‌ ଗେଟ୍‌ସ କହିଥିଲେ, ଯେଉଁ ମହାମାରୀ ଆସିବ ତାହା ପୂରା ଦୁନିଆରୁ ମଣିଷ ଜାତିକୁ ଶେଷ କରିବା ପାଇଁ ଯଥେଷ୍ଟ। ‘୨୦୧୫ରେ ଆଗାମୀ ସଙ୍କଟ, ଆମେ ପ୍ରସ୍ତୁତ ନାହୁଁ’ ଶୀର୍ଷକ ଟକ୍‌ରେ ବିଲ୍‌ ଗେଟସ  କୋଭିଡ ୧୯ ପରି ଏକ ଶକ୍ତିଶାଳୀ ସକ୍ଷମ ଭାଇରସ୍‌ ସଂକ୍ରମଣ ସମ୍ପର୍କରେ ଆଲୋଚନା କରିଥିଲେ। ସେ ଏକଥା ମଧ୍ୟ ଜୋର ଦେଇ କହିଥିଲେ ଯେ, ଏମିତି ଏକ ପରିସ୍ଥିତିର ମୁକାବିଲା କରିବା ପାଇଁ ବିଶ୍ୱ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବା ଦରକାର।

ଗେଟ୍‌ସ କହିଥିଲେ, ଆଗାମୀ କିଛି ଦଶକ ମଧ୍ୟରେ ଯଦି କୌଣସି ଜିନିଷ ଏକ କୋଟିରୁ ଅଧିକ ଲୋକଙ୍କୁ ମାରି ଦିଏ ତେବେ ଏହା ଯୁଦ୍ଧ ନୁହେଁ ବରଂ ଏକ ବହୁତ ବଡ଼ ସଂକ୍ରାମକ ଭାଇରସ ହୋଇଥିବ। ଏହା ମିଜାଇଲ ନୁହେଁ, ସୂକ୍ଷ୍ମଜୀବୀ ହୋଇଥିବ। ଏହି ଭିଡିଓ ୨୦୨୦ ମାର୍ଚ୍ଚରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେତେବେଳକୁ କୋଭିଡ ମହାମାରୀ ସାରା ବିଶ୍ୱରେ ବ୍ୟାପି ସାରିଥିଲା। ଏବେ ବି ବିଲ୍‌ ଗେଟ୍‌ସ ମହାମାରୀ ସମ୍ପର୍କରେ ବିଶ୍ୱକୁ ସଚେତନ କରାଉଛନ୍ତି। ୨୦୧୭ରେ ବିଲ୍‌ ଗେଟ୍‌ସ ଫ୍ୟାନ୍ସଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ, ସେ ଜୈବିକ ଉପକରଣକୁ ନେଇ ଚିନ୍ତିତ ଅଛନ୍ତି ଯାହାକୁ ବାୟୋଟେରରିଷ୍ଟ ଭାବେ ଉପଯୋଗ କରାଯିବାର ଆଶଙ୍କା ରହିଛି।

୨୦୧୭ରେ ଟେଲିଗ୍ରାଫକୁ କହିଥିଲେ, ଏକ ଫ୍ଲୁର ଷ୍ଟ୍ରେନ ପ୍ରସ୍ତୁତ କରିବା ନ୍ୟୁକ୍ଲିୟର ଯୁଦ୍ଧ ତୁଳନାରେ ବେଶୀ ସହଜ। ଥରେ  ରୋଗ ବ୍ୟାପିଗଲେ, ଲୋକଙ୍କ ମୃତ୍ୟୁକୁ ନିୟନ୍ତ୍ରଣ କରିହେବନି। ପ୍ରାକୃତିକ ମହାମାରୀ ତଥା ଜୈବୀଆତଙ୍କର ସଂକ୍ରମଣ ବେଶି ମାରାତ୍ମକ ବୋଲି ସେ କହିଛନ୍ତି।

ବିଲ୍‌ଙ୍କର ଏହି ଆଶଙ୍କାକୁ କୋଭିଡ-୧୯ ମହାମାରୀ ସତ୍ୟ ପ୍ରମାଣିତ କରିଛି। ଏବେ ସୁଦ୍ଧା ୨୩ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଲାଣି। ବିଲ୍‌ ନିଜ ବ୍ଲଗ୍‌ରେ ଲେଖିଛନ୍ତି, ୨୦୬୦ରେ ଜଳବାୟୁ ପରିବର୍ତ୍ତନ ଏକ ଭୟଙ୍କର ମହାବାରୀ ପରି ବିପଦ ସୃଷ୍ଟି କରିବ ଏବଂ ଏହା ଦ୍ୱାରା ୫ ଗୁଣରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିବ। ଏଥିପାଇଁ ଆଜିଠୁ ପ୍ରସ୍ତୁତ ରହିବାକୁ ମଧ୍ୟ ସେ କହିଛନ୍ତି।

You might also like