ସ୍ୱାମୀଙ୍କ ଆଖି ସାମ୍ନାରେ ଜୀଅନ୍ତା ଜଳିଗଲେ ନବବିବାହିତା

ଆଗ୍ରା: ସ୍ୱାମୀଙ୍କ ଆଖି ସାମ୍ନାରେ ଜୀଅନ୍ତା ଜଳିଗଲେ ନବବିବାହିତା। ସ୍ୱାମୀଙ୍କ ସହ କାର୍‌ରେ ଯାଉଥିବା ବେଳେ ହଠାତ୍‌ ଗାଡ଼ିରେ ନିଆଁ ଲାଗି ଯିବାରୁ ନବବିବାହିତାଙ୍କ ମୃତ୍ୟୁଙ୍କ ଘଟିଛି। ଉତ୍ତରପ୍ରଦେଶର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ୱେରେ ଏହି ଦୁଃଖଦାୟକ ଘଟଣା ଘଟିଛି। ଶୁକ୍ରବାର ଭୋର ସମୟରେ ଏହି ଅଭାବନୀୟ ଘଟଣା ଘଟିଥିବା ପୋଲିସ୍ କହିଛି।

ମୋହନଲାଲ୍‌ଗଞ୍ଜର ବିକାଶ ଯାଦବ ଡିସେମ୍ବର ୨ରେ କ୍ରିଷ୍ଣା ନଗରରେ ରହୁଥିବା ରୀମାଙ୍କୁ ବିବାହ କରିଥିଲେ। ଭଗବାନଙ୍କ ଦର୍ଶନ ପାଇଁ ସେମାନେ ମଥୁରା ଓ ବୃନ୍ଦାବନ ଯାଇଥିଲେ। ବୁଧବାର ରାତିରେ ସେମାନେ ମଥୁରାରେ ରହିଥିଲେ ଓ ଗୁରୁବାର ରାତିରେ ଲକ୍ଷ୍ନୌ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ।

ଏକ୍ସପ୍ରେସ୍‌ୱେରେ ଆଗ୍ରାରୁ ୩୦ କି.ମି. ଯାତ୍ରା କରିବା ପରେ କାର୍‌ ଇଞ୍ଜିନ୍‌ରେ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ ନବ ଦମ୍ପତି। ପାଖାପାଖି ବିଳମ୍ବିତ ରାତି ୨ଟା୩୦ରେ ବିକାଶ କାର୍‌ ଅଟକାଇ ବୋନଟ୍‌ ଖୋଲି ଏହାକୁ ଚେକ୍‌ କରୁଥିବା ସମୟରେ ସଙ୍ଗେସଙ୍ଗେ ନିଆଁ ଲାଗି ଆଖି ପିଛୁଳାକେ ଏହା କାର୍‌ ଭିତରକୁ ବ୍ୟାପି ଯାଇଥିଲା।

ତେବେ ସେଣ୍ଟ୍ରାଲ୍‌ ଲକିଂ ସିଷ୍ଟମ୍‌ ଜାମ୍‌ ଯୋଗୁ ରୀମା ଗାଡ଼ି ଭିତରେ ଫସି ଯାଇଥିଲେ। ପତ୍ନୀଙ୍କୁ ରକ୍ଷା କରିବାକୁ ଯାଇ ବିକାଶ ମଧ୍ୟ ନିଆଁରୁ ବର୍ତ୍ତି ପାରିନଥିଲେ। ତାଙ୍କ ଶରୀରର ବିଭିନ୍ନ ସ୍ଥାନ ପୋଡ଼ି ଯାଇଛି। ଖବରପାଇ ପୋଲିସ୍‌ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା। ନିଆଁରେ ପୋଡ଼ି ହୋଇ ରୀମା ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ।

ଘଟଣା ସମ୍ପର୍କରେ ଖବରପାଇ ଫତେହାବାଦ ପୋଲିସ୍‌ ଷ୍ଟେସନରେ ପରିବାର ସଦସ୍ୟ ପହଞ୍ଚିଥିଲେ।

ସୂଚନାଥାଉ କି, ଗତ ଡିସେମ୍ବର ୨୭ରେ ଯାତ୍ରୀବାହୀ ବସ୍ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଯୋଗୁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଜଣ ଆହତ ହୋଇଥିଲେ। ଆସାମର କୋକରାଝର ଜିଲ୍ଲା ବୋଗରିବାଡି ଜାତୀୟ ରାଜପଥ ୧୭ରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା। ଯାତ୍ରୀବାହୀ ବସ୍‌ଟି ସପ୍ତଗ୍ରାମରୁ ଘୁବରୀ ଅଭିମୁଖେ ଯାଉଥିବ ବେଳେ ଟ୍ରକଟି ଗୌହାଟି ଅଭିମୁଖେ ଯାଉଥିଲା। ଏହି ସମୟରେ ବୋଗରିବାଡିରେ ୨ ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ୭ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଜଣ ଆହତ ହୋଇଥିଲେ।

ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ୍‌ ବସ୍‌ ଭିତରୁ ଯାତ୍ରୀମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ପୋଲିସ୍‌ ସୂଚନା ଦେଇଥିଲା। ଦୁର୍ଘଟଣାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ୱାଲା ଶୋକ ପ୍ରକାଶ କରିଥିଲେ।

You might also like