ନ୍ୟୁୟର୍କ ଆସେମ୍ଲିରେ କାଶ୍ମୀରକୁ ନେଇ ପ୍ରସ୍ତାବ ପାରିତ୍, ବିରୋଧ କଲା ଭାରତ

ନ୍ୟୁୟର୍କ: ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍। ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଭାରତୀୟ ବଂଶୋଦ୍ଭବ କମଲା ହାରିସ୍‌। କମ୍‌ଲା ହାରିସ୍‌ ଉପରାଷ୍ଟ୍ରପତି ହେବା ପରେ ଭାରତରେ ମଧ୍ୟ ଖୁସିର ମାହୋଲ ଖେଳି ଯାଇଥିଲା। ଖାଲି କମ୍‌ଳା ନୁହେଁ, ବାଇଡେନଙ୍କ ଟିମ୍‌ରେ ୨୦ ଜଣ ଭାରତୀୟଙ୍କୁ ସ୍ଥାନ ପାଇଥିବାରୁ ପରବର୍ତ୍ତୀ ସମୟରେ ଭାରତ-ଆମେରିକା ସମ୍ପର୍କରେ ଉନ୍ନତି ଆସିବ ବୋଲି ଆଶା କରାଯାଉଥିଲା।

ହେଲେ ଏହି ଆଶା କେତେଦୂର ସତ ହେବ ସେ ନେଇ ଏବେଠାରୁ ଆଶଙ୍କା ପ୍ରକାଶ ପାଇଲାଣି।  କାରଣ ନିକଟରେ ନ୍ୟୁୟର୍କ ଷ୍ଟେଟ ଆସେମ୍ଲିରେ ୫ ଫେବ୍ରୁଆରୀକୁ କାଶ୍ମୀର ଆମେରିକା ଦିବସ (Kashmir American Day) ଭାବେ ଘୋଷିତ କରିବା ପାଇଁ ପ୍ରସ୍ତାବ ପାରିତ ହୋଇଛି।  ପାକିସ୍ତାନ କଥାରେ ଆମେରିକା ଏପରି ପଦକ୍ଷେପ ନେଇଥିବା କୁହାଯାଉଛି। ଏହାକୁ ନେଇ ଭାରତ  କଡ଼ା ଜବାବ ଦେଇଛି।

କାହିଁକି ହେଲା ଏମିତି ଘୋଷଣା  ?

ଭାରତ କହିଛି, କାଶ୍ମୀର ଭାରତର ଅବିଚ୍ଛିନ୍ନ ଅଙ୍ଗ, ଯାହାକୁ କେବେ ଅଲଗା କରି ହେବ ନାହିଁ। ଏଥିସହିତ ଭାରତ ନ୍ୟୁୟର୍କ ଷ୍ଟେଟ୍‌ର ନିର୍ବାଚିତ ପ୍ରତିନିଧିଙ୍କୁ ଭାରତୀୟ ସମୁଦାୟଙ୍କ ସହ ଜଡ଼ିତ ସବୁ ସମସ୍ୟା ଉପରେ ଆଲୋଚନା କରିବାକୁ କହିଛି। ତେବେ ନ୍ୟୁୟର୍କ ଷ୍ଟେଟ ଆସେମ୍ଲି ଫେବ୍ରୁଆରୀ ୫ ତାରିଖକୁ କାଶ୍ମୀର ଆମେରିକା ଦିବସ ଭାବେ ପାଳନ କରିବା ପାଇଁ  ପ୍ରସ୍ତାବ ପାସ୍‌ କରିବାକୁ ଗଭର୍ଣ୍ଣର ଏନଡ୍ୟୁ କୁଓମୋଙ୍କୁ ଅନୁରୋଧ କରିଥିଲେ। ତେବେ ଫେବ୍ରୁ୍ଆରୀ ୫ ତାରିଖକୁ ହିଁ କାହିଁକି ବାଛିଲା ନ୍ୟୁୟର୍କ ଷ୍ଟେଟ୍  ଆସେମ୍ଲି ?

ଏଠି କହିରଖିବୁ, ପାକିସ୍ତାନ ଏହି ଦିନକୁ କାଶ୍ମୀର ଏକତା ଦିବସ ଭାବେ ମାନିଥାଏ। ଭାରତ ଏ ନେଇ ପ୍ରତିକ୍ରିୟା ପ୍ରକାଶ କରି କହିଛି, ଜମ୍ମୁକାଶ୍ମୀରର ସମୃଦ୍ଧ ସାଂସ୍କୃତିକ ଏବଂ ସାମାଜିକ ବ୍ୟବସ୍ଥାକୁ ଭୁଲ ଭାବେ ବ୍ୟାଖ୍ୟା କରି ଏଠିକାର ଲୋକଙ୍କୁ ବିଭାଜିତ କରିବା ଉଦ୍ଦେଶ୍ୟରେ ଏପରି କରାଯାଇଛି ଯାହା ଭାରତ ପାଇଁ ଚିନ୍ତାର ବିଷୟ। ଏହି ପ୍ରସ୍ତାବକୁ ଆସେମ୍ଲିର ସଦସ୍ୟ ନାଦର ସାୟଘ ଏବଂ ଅନ୍ୟ ୧୨ ଜଣ ସଦସ୍ୟ ଉଦ୍ଦେଶ୍ୟମୂଳକ ଭାବେ  ଆଣିଛନ୍ତି।

କ’ଣ ରହିଛି ଏହି ଆସେମ୍ଲି ପ୍ରସ୍ତାବରେ ?

ଷ୍ଟେଟ ଆସେମ୍ଲି ପ୍ରସ୍ତାବରେ କୁହାଯାଇଥିଲା, କାଶ୍ମୀର ସମୁଦାୟ ସବୁ କଠିନ ପରିସ୍ଥିତିକୁ ପାର କରି ଦୃଢତାର ପରିଚୟ ଦେଇ ସାରିଛନ୍ତି। ସେମାନେ ନିଜକୁ ନ୍ୟୁୟର୍କ ପ୍ରବାସୀ ସମୁଦାୟଙ୍କର ଏକ ସ୍ତମ୍ଭ ପରି ସ୍ଥାପିତ କରିଛନ୍ତି। ଏଥିରେ କୁହାଯାଇଛି, ନ୍ୟୁୟର୍କ  ବିବିଧ ସାଂସ୍କୃତିକ, ଜାତୀୟ ଏବଂ ଧାମିର୍କ ପରିଚୟକୁ ମାନ୍ୟତା ଦେଇ କାଶ୍ମୀରବାସୀଙ୍କ ଧାର୍ମିକ ଅଭିବ୍ୟକ୍ତିର ସ୍ୱତନ୍ତ୍ରତା ସହ ମାବନାଧିକାରକୁ ସମର୍ଥନ କରିବା ପାଇଁ ପ୍ରୟାସରତ ।

ୱାଶିଂଟନସ୍ଥିତ ଭାରତୀୟ ଦୂତାବାସର ପ୍ରବକ୍ତା ଏହି ପ୍ରସ୍ତାବ ଉପରେ ଟିପ୍ପଣି ଦେଇ କହିଛନ୍ତି, ଆମେ କାଶ୍ମୀରୀ ଆମେରିକୀ ଦିବସ ସମ୍ବନ୍ଧୀୟ ନ୍ୟୁୟର୍କ ଆସେମ୍ଲିର ପ୍ରସ୍ତାବ ଦେଖିଛୁ। ଆମେରିକା ପରି ଭାରତ ମଧ୍ୟ ଏକ ଗଣତାନ୍ତ୍ରିକ ଦେଶ ଅଟେ। ବିଭିନ୍ନତା ଏହାର ଗର୍ବ ଅଟେ। ଜମ୍ମୁ-କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ ଅଟେ ଯାହାକୁ ଅଲଗା କରାଯାଇ ପାରିବ ନାହିଁ। ଆମକୁ ବିଭାଜିତ କରିବା ପାଇଁ ଜମ୍ମୁ-କାଶ୍ମୀରର ସମୃଦ୍ଧ ସାଂସ୍କୃତିକ ଏବଂ ସମାଜିକ ପରମ୍ପରାକୁ ଭୁଲ ଭାବେ ଉପସ୍ଥାପିତ କରିବା ପାଇଁ ଚେଷ୍ଟା କରାଯାଉଛି।

ତେବେ ଏ ନେଇ  ନ୍ୟୁୟର୍କ ଷ୍ଟେଟର ନିର୍ବାଚିତ ପ୍ରତିନିଧିଙ୍କ ସହ ଆଲୋଚନା କରିବେ ବୋଲି ଭାରତୀୟ ଦୂତାବାସ ପ୍ରବକ୍ତା କହିଛନ୍ତି। ଏହି ପ୍ରସ୍ତାବ ଫେବ୍ରୁଆରୀ ୩ ତାରିଖ ନ୍ୟୁୟର୍କ ଆସେମ୍ଲିରେ ପାସ କରାଯାଇଛି ଯେଉଁଥିରେ ୫ ଫେବ୍ରୁଆରୀକୁ ‘କାଶ୍ମୀର ଆମେରିକୀ ଦିବସ’ ଭାବେ ଘୋଷଣା କରିବା ପାଇଁ ଅନୁରୋଧ କରାଯାଇଛି।

You might also like