ନୂଆଦିଲ୍ଲୀ : ଦେଶରେ ଆଜି ଠାରୁ ନୂଆ ଭ୍ୟାକ୍ସିନେସନ୍ ନୀତି ଲାଗୁ ହୋଇଛି । ଅନ୍ତର୍ଜାତୀୟ ଯୋଗ ଦିବସ ଠାରୁ  ଅର୍ଥାତ୍ ଆଜି ଠାରୁ ଦେଶର ୧୮ ବର୍ଷରୁ ଅଧିକ ବୟସ୍କ ପ୍ରତ୍ୟେକ ନାଗରିକଙ୍କୁ ମାଗଣାରେ କରୋନା ଟିକା ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଦେଶବାସୀଙ୍କୁ ସମ୍ବୋଧନ କରି ମାଗଣା ଟିକାକରଣ ଘୋଷଣା କରିଥିଲେ । ନୂତନ ନୀତି ଅନୁସାରେ ୧୮ ରୁ ୪୪ ବର୍ଷ ବୟସର ଲୋକମାନେ ସିଧାସଳଖ ଟୀକାକରଣ କେନ୍ଦ୍ରକୁ ଯାଇ ଟିକା ନେଇପାରିିବେ । ଏହାପୂର୍ବରୁ, ୧୮ ରୁ ୪୪ ବର୍ଷ ବୟସର ଲୋକମାନେ ଟିକା ନେବା ପାଇଁ  CoWIN ପୋର୍ଟାଲ ମାଧ୍ୟମରେ ଆପଏଣ୍ଟମେଂଟ ନେବାକୁ ପଡ଼ିଥିଲା ।

ନୂତନ ନୀତି ଅନୁଯାୟୀ ୧୮ ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତିଙ୍କୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଜରିଆରେ ମାଗଣା ଟିକା ଦିଆଯିବ । ବର୍ତ୍ତମାନ ୪୫ ବର୍ଷରୁ କମ୍ ଲୋକଙ୍କ ଟିକାକରଣ କରୁନାହିଁ କେନ୍ଦ୍ର । ରାଜ୍ୟ ସରକାର ଏବଂ ବେସରକାରୀ ଡାକ୍ତରଖାନା ଗୁଡ଼ିକ ଏମାନଙ୍କ ଟିକାକରଣ କରାଉଥିଲେ । ଏହି ଟିକାକରଣ ଅଭିଯାନର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ କେନ୍ଦ୍ର ସରକାର । ରାଜ୍ୟ ଗୁଡ଼ିକୁ ଏଥି ପାଇଁ କୌଣସି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ । ସେପଟେ ଘରୋଇ ଡାକ୍ତରଖାନା ଗୁଡ଼ିକରେ ଟିକା ନେବା ପାଇଁ ମୂଲ୍ୟ ଦେବାକୁ ପଡ଼ିବ ।

ଦେଶର ସବୁଠାରୁ ଅଧିକ ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶରେ ମଧ୍ୟ ମାଗଣା ଟିକାକରଣ ଅଭିଯାନ ଆରମ୍ଭ ହୋଇସାରିଛି । ୩୧ ଅଗଷ୍ଟ ସୁଦ୍ଧା ୧୦ କୋଟି ଟିକା ଡୋଜ ଦେବାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଯୋଗ ଦିବସ ଅବସରରେ ଅର୍ଥାତ୍ ଜୁନ୍ ୨୧ ରୁ ୧୮ ବର୍ଷରୁ ଅଧିକ ନାଗରିକଙ୍କୁ ମାଗଣା ଟିକା ଦିଆଯିବ । ସୋମବାର ଠାରୁ ଦୈନିକ ସାତ ଲକ୍ଷ ଡୋଜ ଦେବାର ଲକ୍ଷ୍ୟ ମଧ୍ୟ ଧାର୍ଯ୍ୟ କରାଯାଇଛି । ଜୁଲାଇ ୧ ରୁ ଦୈନିକ ୧୨ ଲକ୍ଷ ଟିକା ଦିଆଯିବାର ବ୍ୟବସ୍ଥା ନିଶ୍ଚିତ କରିବାକୁ  ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି ।

Other Stories