• translate
Rajalaxmi Sahoo

ଅହମଦାବାଦ: ୨୩ ବର୍ଷୀୟ ଆୟଶା ନାମକ ଜଣେ ମହିଳା ସାବରମତୀ ନଦୀକୁ ଡେଇଁ ଆତ୍ମହତ୍ୟା  ଘଟଣାରେ ଗୋଟିଏ ପରେ ଗୋଟିଏ ଖୁଲାସା ହେବାରେ ଲାଗିଛି। ଆତ୍ମହତ୍ୟା ପୂର୍ବରୁ ସେ ଏକ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯାହା ବେଶ୍‌ ଭାଇରାଲ୍‌ ହୋଇଥିଲା।

ଆତ୍ମହତ୍ୟା ପୂର୍ବରୁ ସାବରମତୀ ନଦୀ ସାମ୍ନାରେ ଛିଡ଼ା ହୋଇ ଆୟଶା କରିଥିବା ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଆୟଶାଙ୍କ ଓକିଲଙ୍କ କହିବା ଅନୁସାରେ, ବିବାହର ୨ ମାସ ପରେ ଆୟଶାଙ୍କ ଜୀବନରେ ଝଡ଼ ଆରମ୍ଭ ହୋଇଯାଇଥିଲା। ଅନ୍ୟ ଜଣେ ଝିଅଙ୍କୁ ଭଲ ପାଆନ୍ତି ବୋଲି ନିଜେ ଆରିଫ୍‌ ଏହି କଥା ଆୟଶାଙ୍କୁ କହିଥିଲେ। ହେଲେ ଆୟଶା ଏହିକଥା ବାପାମା’ଙ୍କୁ କହିନଥିଲେ। ଏପରିକି ଆରିଫ୍‌ ଆୟଶାଙ୍କ ସାମ୍ନାରେ ଗର୍ଲଫ୍ରେଣ୍ଡ୍‌ ସହ ଭିଡିଓ କଲ୍‌ରେ ମଧ୍ୟ କଥା ହେଉଥିଲେ।

ଆୟଶାଙ୍କ ଓକିଲ ଆହୁରି କହିଛନ୍ତି, ‘ଆୟଶା ପାଠପଢ଼ା ବ୍ୟତୀତ ଘରର ସବୁ କାମ କରୁଥିଲେ। ଛୋଟବେଳେ ଯେଭଳି ଭାବରେ ସେ ନିଜ ଘରର ସବୁ ଦାୟିତ୍ୱ ସମ୍ଭାଳୁଥିଲେ ବିବାହ ପରେ ମଧ୍ୟ ଠିକ୍‌  ସେଭଳି ଭାବରେ ଦାୟିତ୍ୱ ସମ୍ଭାଳୁଥିଲେ।

ଥରେ ଆରିଫ୍, ଆୟଶାଙ୍କୁ‌ ଅହମଦାବାଦରେ ଛାଡ଼ିବାକୁ ଆସିଥିଲେ। ସେହି ସମୟରେ ଆୟଶା ଗର୍ଭବତୀ ଥିଲେ। ଆୟଶାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଦେଢ଼ ଲକ୍ଷ ଟଙ୍କା ଦେଲେ ଆୟଶାଙ୍କୁ ସାଥିରେ ନେବେ ବୋଲି ଆରିଫ୍‌ କହିଥିଲେ। ଆରିଫ୍‌ଙ୍କ ଏଭଳି ବ୍ୟବହାରରେ ଆୟଶା ଭାଙ୍ଗି ପଡ଼ିଥିଲେ ଓ ଡିପ୍ରେସନକୁ ଚାଲି ଯାଇଥିଲେ। ଆୟଶାଙ୍କ ସର୍ଜରୀ ହୋଇଥିଲା। ହେଲେ ଗର୍ଭରେ ଥିବା ତାଙ୍କର ସନ୍ତାନ ନଷ୍ଟ ହୋଇଯାଇଥିଲା।

ସୂଚନାଥାଉ କି, ଗୁଜରାଟର ଅହମଦାବାଦରେ ଫେବୃଆରୀ ୨୮ରେ ଆୟଶା ସାବରମତୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ସେ ଏକ ଭିଡିଓ କରି ସୋସିଆଲ୍‌ ମିଡିଆରେ ଶେଆର କରିଥିଲେ। ଯାହା ବି କିଛି ଜୀବନରେ ମିଳିଛି, ବହୁତ ଭଲ। ବର୍ତ୍ତମାନ ମୁଁ ଭଗବାନଙ୍କୁ ଭେଟିବାକୁ ଚାହୁଁଛି ବୋଲି ଆୟଶା ଭିଡିଓରେ କହୁଥିବା ଦେଖିବାକୁ ମିଳିଥିଲା।

Other Stories