ପଶ୍ଚିମବଙ୍ଗ ଘମାସାନରେ ନୂଆ ଟ୍ୱିଷ୍ଟ ! କେନ୍ଦ୍ର ନିର୍ଦ୍ଦେଶକୁ ବେଖାତିର ପରେ ଦିଦି ହେଲେ ସାହା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଘମାସାନରେ ନୂଆ ଟ୍ୱିଷ୍ଟ । ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଆଲାପନ୍ ବନ୍ଦୋପଧ୍ୟାୟଙ୍କ କେନ୍ଦ୍ରୀୟ ଡେପୁଟେସନ ପ୍ରସଙ୍ଗକୁ ନେଇ ଉଗ୍ର ହୋଇଛି ବିବାଦ । ତାଙ୍କୁ ଏବେ ରାଜ୍ୟ ସରକାର ଛାଡି ପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ଦିଦି । ବାତ୍ୟା ୟାସ୍ କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଯାଇଥିବା ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଦିଦି ଯୋଗ ନଦେବା ଏବଂ ପ୍ରଧାନମନ୍ତ୍ରୀଙ୍କୁ ଏୟାରବେସରେ ଅଧ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରାଇବା ନେଇ ବିବାଦ ଦେଖାଦେଇଥିଲା । ଏହାପରେ କେନ୍ଦ୍ର ସରକାର ରାଜ୍ୟ ମୁଖ୍ୟ ଶାସନ ସଚିବ ଆଲାପନ୍ ବନ୍ଦୋପଧ୍ୟାୟଙ୍କୁ କେନ୍ଦ୍ରୀୟ ଡେପୁଟସେନରେ ଡାକିବା ସହ ସୋମବାର ରିପୋର୍ଟ କରିବାକୁ କହିଥିଲେ ।

ଆଲପନଙ୍କୁ ଦିଲ୍ଲୀ ଡାକରା ପରେ ପଶ୍ଚିମବଙ୍ଗରେ ହଇଚଇ । କେନ୍ଦ୍ର ସରକାରଙ୍କ ଦିଲ୍ଲୀ ଡାକରାକୁ ଖାତିର ନକରି ମୁଖ୍ୟ ଶାସନ ସଚିବ ପଦରୁ ଆଜି ହଠାତ୍ ଅବସର ନେଇଛନ୍ତି ଆଲାପନ । ଅନ୍ୟପଟେ ବନ୍ଦୋପାଧ୍ୟାୟ ଆସନ୍ତାକାଲିଠାରୁ ୩ ବର୍ଷ ପାଇଁ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ । ଏନେଇ ନିଜେ ମମତା ଘୋଷଣା କରିବା ସହ ଆଲାପନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ହରିକ୍ରିଷ୍ଣ ଦ୍ୱିବେଦୀ ପଶ୍ଚିମବଙ୍ଗର ନୂଆ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି । IAS ଆଲାପନ୍ ବନ୍ଦୋପାଧ୍ୟାୟଙ୍କର ଆଜି କାର୍ଯ୍ୟକାଳ ପୁରିବାର ଥିଲା । ତେବେ କରୋନା ମହାମାରୀକୁ ଦୃଷ୍ଟିରେ ରଖି, ପଶ୍ଚିମବଙ୍ଗ ସରକାରଙ୍କ ଅନୁରୋଧ କ୍ରମେ ଗତ ୨୪ ତାରିଖରେ ତାଙ୍କ କାର୍ଯ୍ୟକାଳକୁ ୩ ମାସ ବଢ଼ାଇଥିଲେ କେନ୍ଦ୍ର ସରକାର । ତେବେ ହଠାତ୍ କେନ୍ଦ୍ରୀୟ ଡେପୁଟେସନ୍ ପାଇଁ ଡାକରା ଆସିବା ପରେ ତାଙ୍କ ଆଗାମୀ ପଦକ୍ଷେପକୁ ନେଇ ସସପେନ୍ସ ଦେଖା ଦେଇଥିଲା ।

ତେବେ ବନ୍ଦୋପାଧ୍ୟାୟଙ୍କୁ ଏବେ ଦିଲ୍ଲୀ ଛାଡି ହେବନି ବୋଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଦିଦି । କହିଥିଲେ ଏହା ଏକଚାଟିଆ ନିଷ୍ପତ୍ତି । ଜବାବରେ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବ୍ବାସ ନକଭି କହିଥିଲେ, ପଶ୍ଚିମବଙ୍ଗରେ ସାମ୍ବିଧାନିକ ବ୍ୟବସ୍ଥାକୁ ଅହଙ୍କାର ଓ ଅରାଜକତା ହାଇଜାକ୍ କରିଛି । ଭାରତୀୟ ପ୍ରଶାସନିକ ସେବା ଅଧିକାରୀମାନେ ରାଜ୍ୟରେ ନିଯୁକ୍ତି ପାଉଥିଲେ ମଧ୍ୟ ଏହା କେନ୍ଦ୍ରର ସହମତିରେ ହୋଇଥାଏ । ତେବେ କୌଣସି କ୍ଷେତ୍ରରେ ମତଭେଦ ସୃଷ୍ଟି ହେଲେ ଚୂଡ଼ାନ୍ତ ନିଷ୍ପତ୍ତି କେବଳ କେନ୍ଦ୍ର ସରକାର ହିଁ ନେଇପାରିବେ । ସେ ଦୃଷ୍ଟିରୁ ମମତା କେନ୍ଦ୍ରୀୟ ନିଦ୍ଦେର୍ଶର ଖୋଲା ଅବମାନନା କରିବା Indian Administrative Service (Cadre) Rules, 1954ର ଉଲ୍ଲଙ୍ଘନ କରୁଛି ।

ପଶ୍ଚିମବଙ୍ଗ ନିର୍ବାଚନ ବେଳେ ମୁହାଁମୁହିଁ ହୋଇଥିଲେ ବିଜେପି ଓ ତୃଣମୂଳ କଂଗ୍ରେସ । ତେବେ ନିର୍ବାଚନ ଜିତି ମମତା ତୃତୀୟ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ବଦଳିନି ତାଙ୍କ କେନ୍ଦ୍ର ବିରୋଧୀ ଆଭିମୁଖ୍ୟ । ୟାସର ସମୀକ୍ଷା ଲାଗି ଯାଇଥିବା ପ୍ରଧାନମନ୍ତ୍ରୀଙ୍କ ବୈଠକରେ ଦିଦି ଓ ମୁଖ୍ୟ ଶାସନ ସଚିବ ଆଲାପନ ବନ୍ଦୋପାଧ୍ୟାୟ ଯୋଗ ନଦେବା ଓ ତାଙ୍କୁ ଏୟାରବେସରେ ଅଧ ଘଣ୍ଟାରୁ ଅଧିକ ସମୟ ଧରି ଅପେକ୍ଷା କରାଇଥିଲେ । ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ବନ୍ଦୋପାଧ୍ୟାୟଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଡାକିବା ସହ ଅଆଜି ଡିପାର୍ଟମେଣ୍ଟ ଅଫ୍ ପର୍ସୋନେଲ ଓ ଟ୍ରେନିଂରେ ରିପୋର୍ଟ କରିବାକୁ କହିଥିଲେ ।

You might also like