ପଜିଟିଭ ବାହାରିଲେ ହସ୍ପିଟାଲ, ନେଗେଟିଭ ବାହାରିଲେ ଆଇସୋଲେସନ

ନୂଆଦିଲ୍ଲୀ: ୟୁକେରେ ଆତଙ୍କ ସୃଷ୍ଟି କରିଛି କରୋନାର ନୂଆ ଷ୍ଟ୍ରେନ୍। ଏହା ବେକାବୁ ହୋଇଥିବା ନେଇ ଲୋକଙ୍କୁ ଚେତାଇବା ସହ ଲୋକଙ୍କ ଯାଆସ ଉପରେ କଟକଣା ଜାରି କରିଛନ୍ତି ବ୍ରିଟେନ୍ ସରକାର। ବଡ଼ଦିନ ପାଇଁ ସଂପର୍କୀୟଙ୍କୁ ଏକାଠି ହେବା ଉପରେ ମଧ୍ୟ କଟକଣା ଲଗାଯାଇଛି। ଏହାସହ ଅଣଅତ୍ୟାବଶ୍ୟକ ଦୋକାନ ନଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ବହୁ ୟୁରୋପୀୟ ଦେଶ ବ୍ରିଟେନକୁ ବିମାନ ଉଡ଼ାଣ ଉପରେ ନିଷେଧାଦେଶ ଜାରି କରିଛନ୍ତି। ସେପଟେ ୟୁକେରେ ଏଭଳି ସ୍ଥିତି ଦେଖାଦେବାପରେ ଭାରତ ସମେତ ବିଶ୍ୱର ଅନ୍ୟ ଦେଶ ବି ଚିନ୍ତିତ ହୋଇ ପଡ଼ିଛନ୍ତି।

ଇତିମଧ୍ୟରେ ବ୍ରିଟେନରୁ ମିଳିଥିବା ନୂଆ କରୋନା ଷ୍ଟ୍ରେନ ନେଇ କେନ୍ଦ୍ର ନୀତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପଲ୍ କହିଛନ୍ତି ଯେ ବ୍ରିଟେନରୁ ଯେଉଁ ନୂଆ ଷ୍ଟ୍ରେନ୍ ମିଳିଛି ତାହା କେବଳ ସଂକ୍ରମଣ ବଢ଼ାଉଛି। ସଂକ୍ରମଣ କରାଇଲେ ବି ରୋଗୀକୁ ବିଶେଷ ଭାବେ ଗୁରୁତର କରୁନାହିଁ। ଏହା କମ୍ ଘାତକ, ଏହାଦ୍ୱାରା ମୃତ୍ୟୁ ସଂଖ୍ୟା ବଢ଼ିବାର ସମ୍ଭାବନା କମ୍‌। ବ୍ରିଟେନରେ ଦେଖାଦେଇଥିବା ନୂଆ ଷ୍ଟ୍ରେନ ଏଯାବତ ଭାରତରେ ମିଳିନାହିଁ ବୋଲି ସେ କହିଛନ୍ତି।

ବ୍ରିଟେନରୁ ଆସୁଥିବା ସମସ୍ତ ଯାତ୍ରୀମାନଙ୍କ ପ୍ରତି କଡ଼ା ନଜର ରଖାଯାଇଛି। ବ୍ରିଟେନରୁ ଆସିଥିବା ସମସ୍ତ ଯାତ୍ରୀଙ୍କ RTPCR ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ପଜିଟିଭ ବାହାରିଲେ ହସ୍ପିଟାଲ, ନେଗେଟିଭ ବାହାରିଲେ ଆଇସୋଲେସନ ଯିବେ। ନଭେମ୍ବର ୨୫ରୁ ଡିସେମ୍ବର ୨୨ ମଧ୍ୟରେ ଆସିଥିବା ଯାତ୍ରୀଙ୍କ ଯାଞ୍ଚ ହେବ। ବ୍ରିଟେନରୁ ବା ବ୍ରିଟେନ ଦେଇ ଆସିଥିବା ଯାତ୍ରୀମାନଙ୍କ ଯାଞ୍ଚ କରାଯିବ। ଇମିଗ୍ରେସନ ସହାୟତାରେ ସମସ୍ତ ଯାତ୍ରୀଙ୍କ ତାଲିକା ରାଜ୍ୟମାନଙ୍କୁ ଦିଆଯିବ। ତାଲିକା ଅନୁସାରେ ରାଜ୍ୟ ସରକାର ସଂପୃକ୍ତ ଯାତ୍ରୀମାନଙ୍କ ଯାଞ୍ଚ କରିବେ ବୋଲି ପଲ୍‌ କହିଛନ୍ତି।

ସେପଟେ ଦେଶରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ ଦେଶରେ ଆକ୍ଟିଭ କେସ୍ କମୁଛି। ବିଗତ ୭ ସପ୍ତାହ ମଧ୍ୟରେ ଦେଶରେ ସଂକ୍ରମଣ ସଂଖ୍ୟା କମିଛି। ବିଶ୍ୱରେ ପ୍ରତି ୧୦ ଲକ୍ଷରେ ୧୦ ମୃତ୍ୟୁ ବେଳେ ଦେଶରେ ୨ ଜଣଙ୍କ ମୃତ୍ୟୁ ହେଉଛି। ଦେଶରେ ସୁସ୍ଥ ହାର ୯୫% ଥିବା ବେଳେ ମୋଟ ଆକ୍ରାନ୍ତରେ ଆକ୍ଟିଭ କେସ ୩% ରହିଛି।

You might also like