ଆଜିଠୁ ବଦଳିବ ଏହିସବୁ ନିୟମ

ନୂଆଦିଲ୍ଲୀ: ଯଦି କୌଣସି ଅନ୍‌ଲାଇନ୍‌ ପ୍ଲାଟଫର୍ମ କିମ୍ବା ଅଟୋ ଡେବିଟ୍‌ ମାଧ୍ୟମରେ ଆପଣଙ୍କ ଆକାଉଣ୍ଟରୁ ପଇସା କଟୁଛି, ତାହେଲେ ଆଜିଠୁ ଏ ସମ୍ପର୍କିତ ନିୟମରେ ପରିବର୍ତ୍ତନ ହେବ। ଯାହା ଆପଣଙ୍କ ଜାଣିବା ନିହାତି ଜରୁରୀ। ଏଣିକି ଏସବୁ ନେଣଦେଣ ପାଇଁ ଗ୍ରାହକଙ୍କ ପାଖକୁ ମେସେଜ ଆସିବ। ଆଉ ମେସେଜକୁ OK କଲେ ହିଁ ଟ୍ରାଞ୍ଜାକ୍ସନ ହୋଇପାରିବ। ଏଥିସହ ଆଜିଠୁ ଆୟକର ଦାଖଲ ନିୟମରେ ବି କିଛି ପରିବର୍ତ୍ତନ ହେବ।

ଓଟିଟି ପ୍ଲାଟ୍‌‌ଫର୍ମର ସବ୍‌ସ୍କ୍ରିପସନ୍ ହେଉ କିମ୍ବା ମୋବାଇଲ ଫୋନ୍‌ ଜରିଆରେ କରାଯାଉଥିବା ମାସିକ ରିଚାର୍ଜ ପାଇଁ ଅଟୋ-ଡେବିଟ୍ ପେମେଣ୍ଟ କରୁଛନ୍ତି, ତା’ହେଲେ ଆଜିଠୁ ଏହାର ପେମେଣ୍ଟ୍ ପାଇଁ ପ୍ରକ୍ରିୟା ବଦଳିବ। ନୂଆ ନିୟମ ଅନୁସାରେ, ଆକାଉଣ୍ଟରୁ ଟଙ୍କା କଟିବା ପୂର୍ବରୁ ଆପଣଙ୍କ ପାଖକୁ ଏକ ମେସେଜ ଆସିବ। ବ୍ୟାଙ୍କ, କିମ୍ବା କାର୍ଡ ସେବା ପ୍ରଦାନକାରୀ ସଂସ୍ଥା ଗ୍ରାହକଙ୍କୁ ପେମେଣ୍ଟ୍ କଟିବାର ନିର୍ଦ୍ଦିଷ୍ଟ ସମୟ ସୀମା ପୂର୍ବରୁ ଏକ ମେସେଜ ପଠାଇବେ। ଗ୍ରାହକ ପେମେଣ୍ଟ୍‌ ପାଇଁ ଅନୁମତି ଦେବା ପରେ ହିଁ ତାଙ୍କ ଆକାଉଣ୍ଟରୁ ଟଙ୍କା କଟିବ। ୫ ହଜାର ଟଙ୍କାରୁ ଅଧିକ ପେମେଣ୍ଟ୍ ପାଇଁ, ବ୍ୟାଙ୍କ ଗୁଡ଼ିକ ଗ୍ରାହକଙ୍କୁ ଓଟିପି ପଠାଇବା ବାଧ୍ୟତାମୂଳକ ବୋଲି ନୂତନ ନିୟମରେ ଉଲ୍ଲେଖ ରହିଛି।

ସେହିଭଳି ୭ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ପାସ୍‌ବୁକ୍‌ ଓ ଚେକ୍‌ବୁକ୍‌ ମଧ୍ୟ ଆଜିଠୁ ଅକାମି ହୋଇଯିବ। କାରଣ ଏସବୁ ବ୍ୟାଙ୍କ ଅନ୍ୟ ବ୍ୟାଙ୍କ ସହ ମିଶ୍ରଣ ହୋଇଯାଇଛି। ଏହି ବ୍ୟାଙ୍କ ଗୁଡିକ ହେଲା- Dena Bank, Vijaya Bank, Corporation Bank, Andhra Bank, Oriental Bank of Commerce, United Bank of India ଓ Allahabad Bank।

ସେହିଭଳି ଆୟକର ନିୟମରେ ବି ସରକାର ଆଣିଥିବା କିଛି ପରିବର୍ତ୍ତନ ଏପ୍ରିଲ ୧ରୁ ଲାଗୁ ହେବ। ନୂଆ ନିୟମ ଅନୁସାରେ, କର୍ମଚାରୀଙ୍କ ସୁବିଧା ତଥା ଆୟକର ରିଟର୍ଣ୍ଣ ଦାଖଲ ପ୍ରକ୍ରିୟାକୁ ସରଳ କରିବା ପାଇଁ ଏପ୍ରିଲ୧ରୁ ପ୍ରି-ଫିଲଡ୍ ITR ଫର୍ମ ଯୋଗାଇ ଦିଆଯିବ। ଫଳରେ ITR ଫାଇଲ୍ କରିବା ସହଜ ହୋଇପାରିବ। ସେହିପରି ଏପ୍ରିଲ ୧ରୁ ୭୫ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କୁ ITR ଫାଇଲ୍‌ କରିବାକୁ ପଡ଼ିବ ନାହିଁ। ପେନ୍‌ସନ୍ ଉପରେ ନିର୍ଭରଶୀଳ ବରିଷ୍ଠ ନାଗରିକମାନଙ୍କୁ ଏହି ରିହାତି ଦିଆଯାଇଛି।

ସେପଟେ ITR ଦାଖଲ ନ କରୁଥିବା ଲୋକଙ୍କ ପାଇଁ କେନ୍ଦ୍ର ସରକାର TDS ନିୟମକୁ କଡ଼ାକଡ଼ି କରିଛନ୍ତି। ଯଦି ଆପଣ ITR ଫାଇଲ୍ କରୁ ନାହାନ୍ତି ତେବେ ଦୁଇ ଗୁଣା ପର୍ଯ୍ୟନ୍ତ TDS ଦେବାକୁ ପଡ଼ିପାରେ। ଆଜିଠୁ ଲାଗୁ ଅନ୍ୟ ଏକ ଆୟକର ନିୟମ ଅନୁଯାୟୀ, ବାର୍ଷିକ ୫ ଲକ୍ଷରୁ ଅଧିକ ଆୟ କରୁଥିବା କର୍ମଚାରୀଙ୍କ PF ଅବଦାନ ଉପରେ ସୁଧ ଟିକସଯୁକ୍ତ ହେବ। ପରିବର୍ତ୍ତିତ ଇପିଏଫ ନିୟମରେ ବର୍ଷକୁ ଅଢେଇ ଲକ୍ଷରୁ ଅଧିକ ପ୍ରୋଭିଡେଣ୍ଟ ଫଣ୍ଡ ଅବଦାନ ଉପରେ ମିଳୁଥିବା ସୁଧ ଉପରେ ଏଣିକି ଆୟକର ସଂଗ୍ରହ କରାଯିବ।

You might also like