କରୋନା ରୋଗୀଙ୍କ ହସ୍ପିଟାଲ ଡିସଚାର୍ଜକୁ ନେଇ ଆସିଲା ନୂଆ ଗାଇଡଲାଇନ୍‌

ନୂଆଦିଲ୍ଲୀ: ଦେଶରେ କୋଭିଡ ରୋଗୀଙ୍କ ପାଇଁ ହସ୍ପିଟାଲ ଡିସଚାର୍ଜ ଗାଇଡଲାଇନରେ ପରିବର୍ତ୍ତନ। ଏଣିକି ଜଣେ କରୋନା ରୋଗୀ ୧୦ ଦିନରେ ବି ଡିସଚାର୍ଜ ହୋଇପାରିବେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପରିବର୍ତ୍ତିତ ଡିସଚାର୍ଜ ଗାଇଡଲାଇନରେ ଏହି ସୂଚନା ଦିଆଯାଇଛି। ନୂଆ ଗାଇଡଲାଇନ ଅନୁଯାୟୀ ସାମାନ୍ୟ, ଅତି ସାମାନ୍ୟ କିମ୍ବା ଲକ୍ଷଣ ନଥିବା କରୋନା ପଜିଟିଭ ଏବେ ୧୦ଦିନରେ ଡିସଚାର୍ଜ ହୋଇପାରିବେ।

ଲଗାତାର ୩ ଦିନ ତାଙ୍କ ଦେହରେ ଜ୍ୱର ନହେଲେ, ସେମାନେ ଡିସଚାର୍ଜ ହୋଇପାରିବେ। ଏହା ଆଗରୁ ୨ ଥର ଟେଷ୍ଟ କରାଯାଇ ନେଗେଟିଭ ଆସିବା ପରେ ହିଁ ସେମାନଙ୍କୁ ଡିସଚାର୍ଜ କରାଯାଉଥିଲା। ଏଣିକି ସେମାନଙ୍କୁ ବିନା ଟେଷ୍ଟରେ ଛଡାଯାଇପରିବ। ତେବେ ଡିସଚାର୍ଜ ପରେ ସେମାନଙ୍କୁ ୭ ଦିନ ହୋମ ଆଇସୋଲେସନରେ ରହିବାକୁ ପଡିବ।

ସେହିପରି ମଧ୍ୟମ ବର୍ଗର କରୋନା ରୋଗୀଙ୍କ ଦେହରେ ଯଦି ୩ ଦିନ ଧରି ଜ୍ୱର ନରହୁଛି ଓ ଅକ୍ସିଜେନ ସପୋର୍ଟ ଆବଶ୍ୟକ ହେଉନାହିଁ, ସେମାନଙ୍କୁ ମଧ୍ୟ ୧୦ ଦିନ ଭିତରେ ଡିସଚାର୍ଜ କରାଯାଇପାରିବ। ଏଭଳି ରୋଗୀଙ୍କ କ୍ଷେତ୍ରରେ ଶରୀରର ତାପମାତ୍ରା ଏବଂ ଅକ୍ସିଜେନ ସାଚୁରେସନର ମନିଟରିଂ ହେବ। ଏଭଳି କ୍ଷେତ୍ରରେ ଡିସଚାର୍ଜ ପୂର୍ବରୁ ଟେଷ୍ଟିଂର ଆବଶ୍ୟକତା ହେବନି କିନ୍ତୁ ସେମାନଙ୍କୁ ମଧ୍ୟ ୭ ଦିନ ହୋମ ଆଇସୋଲେସନରେ ରହିବାକୁ ପଡିବ।

ତେବେ ଗୁରୁତର ରୋଗୀଙ୍କ ଲକ୍ଷଣ ବନ୍ଦ ହୋଇ ସମ୍ପୂର୍ଣ୍ଣ ଆରୋଗ୍ୟ ହେବା ପରେ ଏବଂ RT-PCR ଟେଷ୍ଟରେ ନେଗେଟିଭ ଆସିଲେ ହିଁ ସେମାନଙ୍କୁ ଛଡାଯିବ। ଆଗକୁ ଗୁରୁରତ କରୋନା ରୋଗୀଙ୍କ ସଂଖ୍ୟା ବଢିବା ଆଶଙ୍କା ଥିବାରୁ ହସ୍ପିଟାଲ ଗୁଡିକ ଉପରେ ବୋଝ କମାଇବାକୁ କେନ୍ଦ୍ର ଏହି ଗାଇଡଲାଇନ ପ୍ରସ୍ତୁତ କରିଥିବା କୁହାଯାଉଛି।

You might also like