ଟାକ୍ସ ସିଷ୍ଟମକୁ ନେଇ ପ୍ରଧାନମନ୍ତ୍ରୀ କଲେ ବଡ଼ ଘୋଷଣା, ଏଣିକି ଘରେ ବସି ବି ଦେଇପାରିବେ ଟାକ୍ସ

ନୂଆଦିଲ୍ଲୀ: ଦେଶର ଟିକସଦାତାଙ୍କୁ ଉତ୍ସାହିତ କରିବା ପାଇଁ  ଟିକସ ବ୍ୟବସ୍ଥାରେ ସୁଧାର ଆଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଆଜି ଟିକସଦାତାଙ୍କ ପାଇଁ ନୂଆ ନିୟମର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଟ୍ରାନ୍ସପରେଣ୍ଟ ଟ୍ୟାକ୍ସେସନ-ଅନରିଂ ଦି ଅନେଷ୍ଟର ନାମକ ଏକ ନୂଆ ପ୍ଲାଟଫର୍ମ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ।

ଫେସ୍ ଲେସ୍ ହେବ ଟ୍ୟାକ୍ସ ସିଷ୍ଟମ । ୨୫ ସେପ୍ଟେମ୍ବରରେ ଫେସ୍ ଲେସ୍ ଅପିଲର ଶୁଭାରମ୍ଭ ହେବ। ଏହାଦ୍ୱାରା ଘରେ ବସି ଟେକ୍ନୋଲଜି ସାହାଯ୍ୟରେ ଟାକ୍ସ ଭରି ପାରିବେ କରଦାତା। ଟାକ୍ସ ଭରିବା ପାଇଁ କରଦାତାଙ୍କୁ ଆଉ ଚିହ୍ନାମୁହଁ ଖୋଜିବାକୁ ପଡ଼ିବ ନାହିଁ।

ପ୍ରଧାନମନ୍ତ୍ରୀ କହିଛନ୍ତି, ରାଷ୍ଟ୍ରଗଠନରେ କରଦାତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ହେଲଷ ଭାରତ ପରି ଏତେ ବଡ ଦେଶରେ କରଦାତାଙ୍କ ସଂଖ୍ୟା ବହୁତ୍‌ କମ୍‌। ୧୩୦ କୋଟିରୁ ମାତ୍ର ଦେଢ କୋଟି ଟିକସ ପ୍ରଦାନ କରୁଛନ୍ତି। ଏହା ଅତି ନଗଣ୍ୟ। ନୂଆ ଭାରତର ନୂଆ ଟ୍ୟାକ୍ସ ମଡେଲ ପ୍ରସ୍ତୁତ ହେବ। ନୂଆ ବ୍ୟବସ୍ଥାରେ ସରକାରୀ ଦଖଲ କମ ରହିଛି। ତେଣୁ ନୂଆ କ୍ୟାସଲେସ ଟିକସ ବ୍ୟବସ୍ଥା ଆସିବା ପରେ ଏହି ସଂଖ୍ୟାରେ ସୁଧାର ଆସିବ ବୋଲି ସେ କହିଥିଲେ।

ଏହି ନୂଆ ବ୍ୟବସ୍ଥା ଦ୍ୱାରା ଦେଶରେ ଆୟକର ଟିକସ ବ୍ୟବସ୍ଥାର ସରଳୀକରଣ ହୋଇପାରିଛି। ନୂଆ ନିୟମର ଶୁଭାରମ୍ଭ ଅବସରରେ ସମ୍ବୋଧନ କରି  ଟିକସଦାତାଙ୍କୁ ସମ୍ମାନିତ କଲେ ଦେଶ ଆଗକୁ ବଢ଼ିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

You might also like