ବାହାନା ଦେଖାଇ ଗାଡ଼ିରୁ ଓହ୍ଲାଇଲେ ନବବଧୂ, ଆଉ ତା’ପରେ କଲେ ଏମିତି କିଛି…

ଜୟପୁର: ବିବାହ ପରେ ସ୍ୱାମୀଙ୍କ ସହ ଶାଶୁ ଘର ଯାଉଥିବାବେଳେ, ହଠାତ୍‌ ଗାଡ଼ିରୁ ଓହ୍ଲାଇ କେହି କିଛି ବୁଝିବା ଆଗରୁ ଜଣେ ନବବଧୂ ଏକ ଚରମ ପଦକ୍ଷେପ ନେଇଛନ୍ତି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଦୁଃଖ ମଧ୍ୟ ଆଣି ଦେଇଛି। ଶାଶୁ ଘରକୁ ଯିବା ବାଟରେ ନବବଧୂ ଜଣକ ବାହାନା ଦେଖାଇ ଗାଡ଼ିରୁ ଓହ୍ଲାଇଥିଲେ ଓ ଏହାପରେ ନଦୀକୁ ଡେଇଁ ପଡ଼ିଲେ। ରାଜସ୍ଥାନର ସୱାଇ ମାଧୋପୁରରେ ଏଭଳି କିଛି ଘଟଣା ଘଟିଛି। 

ସୂଚନା ଅନୁସାରେ, ସୱାଇ ମାଧୋପୁରର ଅଲ୍ଲାହପୁର ଗାଁରେ ଜଣେ ଯୁବତୀଙ୍କ ବିବାହ ବହୁ ଧୁମ୍‌ଧାମ୍‌ରେ ସମ୍ପନ୍ନ ହୋଇଥିଲା। ବିବାହ ପରେ ନବବଧୂ ସ୍ୱାମୀଙ୍କ ସହ ଶାଶୁ ଘର ବାହାରିଥିଲେ। ହେଲେ ବାଟରେ ନବବଧୂ ଜଣକ ବାନ୍ତି କରିବା ବାହାନାରେ ଗାଡ଼ି ଅଟକାଇ ଥିଲେ। ଏହାପରେ ଚମ୍ବଲ ନଦୀକୁ ଡେଇଁ ପଡ଼ିଥିଲେ। କେହି କିଛି ବୁଝିବା ପୂର୍ବରୁ ନବବଧୂ ଜଣକ ଏହି ଚରମ ନିଷ୍ପତ୍ତି ନେଇଥିଲେ।ଏହାଦେଖି ନବବଧୂଙ୍କ ସ୍ୱାମୀ ଓ ପରିବାର ଲୋକଙ୍କ ମୁଣ୍ଡରେ ହଠାତ୍‌ କିଛି ପଶି ନ ଥିଲେ। ସେମାନେ ଚିତ୍କାର କରିବା ଆରମ୍ଭ କରିଦେଇଥିଲେ। ଏହାଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ପୁଲିସ୍‌କୁ ଖବର ଦେଇଥିଲେ।

ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି‌ ସ୍ଥାନୀୟ ଲୋକଙ୍କ ସହାୟତାରେ ଡଙ୍ଗା ସାହାଯ୍ୟରେ ନବବଧୂଙ୍କୁ ବହୁ ଖୋଜାଖୋଜି କରିଥିଲେ। ହେଲେ ତାଙ୍କର କୌଣସି ପତ୍ତା ମିଳିପାରି ନ ଥିଲା। ଏହି ଘଟଣାକୁ ନେଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ସମ୍ପର୍କୀୟଙ୍କ କହିବା ଅନୁଯାୟୀ, ବିବାହ ସମୟରେ ଯୁବତୀ ଜଣକ ବେଶ୍‌ ଖୁସି ଥିଲେ। ଏପରିକି ସେ ତାଙ୍କ ସ୍ୱାମୀଙ୍କ ସହ ବିବାହରେ ଖୁବ୍‌ ଡ୍ୟାନ୍ସ ମଧ୍ୟ କରିଥିଲେ।

କେଉଁ କାରଣରୁ ଯୁବତୀ ଜଣକ ହଠାତ୍‌ ନଦୀକୁ ଡେଇଁ ପଡ଼ିଲେ, ତାହା ଏଯାଏ ଜଣାପଡ଼ିନାହିଁ।

ପୁଲିସ୍‌ ଯୁବତୀଙ୍କୁ ଖୋଜାଖୋଜି କରିବା ସହ ଘଟଣାର ତଦନ୍ତ କରୁଛି।

You might also like