ସଂସଦ ଭଙ୍ଗ କଲେ ରାଷ୍ଟ୍ରପତି; ନଭେମ୍ବରରେ ହେବ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ

କାଠମାଣ୍ଡୁ: ପଡୋଶୀ ରାଷ୍ଟ୍ର ନେପାଳରେ ରାଜନୈତିକ ଅସ୍ଥିରତା ଦିନକୁ ଦିନ ନୂଆ ମୋଡ ନେଉଛି। କୌଣସି ଦଳ ପାଖରେ ସଂଖ୍ୟା ଗରିଷ୍ଠତା ନ ଥିବାରୁ  ନେପାଳ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ମନ୍ତ୍ରୀମଣ୍ଡଳକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କେପି ଶର୍ମା ଓଲି ଜରୁରୀ ବୈଠକ ଡାକି ଆଲୋଚନା କରିଛନ୍ତି। ଆଲୋଚନା ପରେ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶାନୁସାରେ ପ୍ରତିନିଧି ସଭା ଭଙ୍ଗ କରିଛନ୍ତି। ଦେଶ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଆଡକୁ ମୁହାଁଉଛି। ୨୦୨୧  ନଭେମ୍ବର ୧୨ ଓ ୧୯ରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେବ ବୋଲି ଘୋଷଣା କରାଯାଇଛି।

ଏହା ପୂର୍ବରୁ ନେପାଳ ବିରୋଧୀ ଦଳ ପୂର୍ବତନ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବାଙ୍କ ନେତୃତ୍ୱରେ ସରକାର ଗଠନ କରିବ ବୋଲି ଦାବି କରିଥିଲା। ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ମଧ୍ୟ ବହୁମତ ସାବ୍ୟସ୍ତ କରିପାରିବେ ବୋଲି ଦାବି କରିଥିଲେ। ସେ CPN-UMLର ୧୨୧, ଜନତା ସମାଜବାଦୀ ପାର୍ଟି (JSP)ର ୩୨ ଏବଂ  ଅନ୍ୟ କେତେକ ଛୋଟ ଦଳର ସମର୍ଥନ ସହ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କୁ ସାକ୍ଷାତ କରିଥିଲେ।

ଶେର ବାହାଦୂର ଦେଓବା ୨୦୧୭ରେ ସାଧାରଣ ନିର୍ବାଚନରେ ବିରୋଧୀ ଦଳ ନେତା ଭାବେ ମନୋନୀତ ହୋଇଥିଲେ। ରାଷ୍ଟ୍ରପତି ରାଜନୈତିକ ଦଳକୁ ନୂଆ ସରକାର ଗଠନ ପାଇଁ ଶୁକ୍ରବାର ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସମୟ ଦେଇଥିଲେ।  ଉଭୟ ଦଳ ପାଖରେ ସଂଖ୍ୟା ନଥିଲେ ହେଁ ସେମାନେ ସରକାର ଗଠନ କରିବାକୁ ଦାବି ଜଣାଇଥିଲେ। ହେଲେ ରାଷ୍ଟ୍ରପତି ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି। ଏଥିସହ ସେ ସଂସଦକୁ ଭଙ୍ଗ କରିଛନ୍ତି।

ରାଷ୍ଟ୍ରପତି ସାମ୍ବିଧାନିକ ନିୟମ ଅନୁଯାୟୀ, କୌଣସି ଦଳ  ସରକାର ଗଠନ କରିବା ସ୍ଥିତିରେ ନାହାନ୍ତି ବୋଲି କହିବା ସହ ସରକାରକୁ ଭାଙ୍ଗି  ନିର୍ବାଚନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଥାଉ କି, ବିରୋଧୀ ମେଣ୍ଟରେ ୧୪୯ ସାଂସଦଙ୍କ ହସ୍ତାକ୍ଷର ଥିବା ପତ୍ର ରାଷ୍ଟ୍ରପତି ବିଦ୍ୟା ଦେବୀଙ୍କ ପାଖରେ ଶୁକ୍ରବାର ପହଞ୍ଚିଥିଲା। ଅନ୍ୟପକ୍ଷେ ମାଓବାଦୀ କେନ୍ଦ୍ର ପ୍ରବକ୍ତା ନାରାୟଣ କାଜି ଶ୍ରେଷ୍ଟ କହିଛନ୍ତି, ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ସଂଖ୍ୟାଗରିଷ୍ଠତା ଥିବା ଦାବି କରି ରାଷ୍ଟ୍ରପତିଙ୍କ ପାଖରେ ପହଞ୍ଚିଥିଲେ। ତେବେ ସାମ୍ବିଧାନିକ ସ୍ତରରେ ବିଚାରି କରିବେ ବୋଲି କହି ରାଷ୍ଟ୍ରପତି ବିଦ୍ୟା ଦେବୀ ଉଭୟଙ୍କୁ ଫେରାଇ ଦେଇଥିଲେ। ବିପକ୍ଷ ଦଳ ଅଭିଯୋଗ କରିଥିଲା, ଓଲି ସାଂସଦଙ୍କ ହସ୍ତାକ୍ଷର ପ୍ରସ୍ତୁତ କରି ନ ଥିଲେ, ତେଣୁ ତାଙ୍କ ଦାବିର କୌଣସି ଅର୍ଥ ନାହିଁ।

You might also like