କମି ଯାଇଛି କି ମାଉଣ୍ଟ ଏଭେରେଷ୍ଟର ଉଚ୍ଚତା?

କାଠମାଣ୍ଡୁ: ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଭେରେଷ୍ଟର ଉଚ୍ଚତା ପୁଣି ଥରେ ମପା ହେବ। ଏନେଇ ଚୀନ ଓ ନେପାଳ ପକ୍ଷରୁ ମିଳିତ ଭାବେ ନିଷ୍ପତ୍ତି ନିଆଯାଇଛି।

୨୦୧୫ ଏପ୍ରିଲରେ ନେପାଳରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କାରୀ ଭୂମିକମ୍ପ ପରେ ମାଉଣ୍ଟ ଏଭେରେଷ୍ଟର ଉଚ୍ଚତା କମି ଯାଇଥିବା ନେଇ ଚର୍ଚ୍ଚା ହେବା ପରେ ଚୀନ ଓ ନେପାଳ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରଳୟଙ୍କାରୀ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୬ ଥିଲା।

ନିକଟରେ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ନେପାଳ ଗସ୍ତରେ ଯାଇଥିବା ବେଳେ ଏଭେରେଷ୍ଟର ଉଚ୍ଚତା ପୁଣି ଥରେ ମାପିବା ପାଇଁ ଘୋଷଣା କରାଯାଇଥିଲା। ଭୂମିକମ୍ପ ପରେ ମାଉଣ୍ଟ ଏଭେରେଷ୍ଟର ଉଚ୍ଚତା ପ୍ରାୟ ତିନି ସେ.ମି. କମି ଯାଇଥିବା ଭୂତତ୍ତ୍ୱବିତ୍‌ ମାନେ ମତ ଦେଉଛନ୍ତି। ବର୍ତ୍ତମାନ ମାଉଣ୍ଟ ଏଭେରେଷ୍ଟର ଉଚ୍ଚତା ୮,୮୪୮ ମିଟର ରହିଛି।

୧୯୫୪ ମସିହାରେ ଭାରତୀୟ ସର୍ଭେ ଟିମ୍ ପକ୍ଷରୁ ପ୍ରଥମଥର ପାଇଁ ମାଉଣ୍ଟ ଏଭେରେଷ୍ଟର ଉଚ୍ଚତା ମପା ଯାଇଥିଲା। ପରବର୍ତ୍ତୀ ସମୟରେ ବିିଭିନ୍ନ ସର୍ଭେ ଟିମ୍ ପକ୍ଷରୁ ମାଉଣ୍ଟ ଏଭେରେଷ୍ଟର ଉଚ୍ଚତା ମପାଯାଇଥିଲେ ବି ଭାରତୀୟ ସର୍ଭେ ଟିମ୍‌ର ମାପକୁ ସମସ୍ତେ ଗ୍ରହଣ କରିଛନ୍ତି।

You might also like