ଏଭରେଷ୍ଟ ଚଢି ନାହାନ୍ତି, ମିଛ ପ୍ରମାଣ ଦେଖାଇ ହାସଲ କଲେ ସାର୍ଟିଫିକେଟ

ନୂଆଦିଲ୍ଲୀ: ଏଭରେଷ୍ଟ ଆରୋହଣ କରି ନାହାନ୍ତି। ହେଲେ ସାର୍ଟିଫିକେଟ  ହାସଲ କରି ନେଇଛନ୍ତି। ମିଛ ପ୍ରମାଣ ଦେଖାଇ ନେଇଛନ୍ତି ସାର୍ଟିଫିକେଟ। ଏପରି ଅଭିଯୋଗ ପାଇବା ପରେ ନେପାଳ ସରକାର ୩ ପର୍ବତାରୋହୀଙ୍କୁ ୬ ବର୍ଷ ପାଇଁ ବ୍ୟାନ କରିଛନ୍ତି। ୩ ଜଣ ପର୍ବତାରୋହୀ ଭାରତୀୟ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ୨୦୧୬ରେ ମାଉଣ୍ଟ ଏଭରେଷ୍ଟ ଆରୋହଣ ଅଭିଯାନରେ ହରିୟାଣାର ନରେନ୍ଦ୍ର ସିଂ ଯାଦବ ଓ ସୀମାରାଣୀ ଗୋସ୍ୱାମୀ ନେପାଳ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏଭରେଷ୍ଟ ଶିଖର ଅର୍ଥାତ୍ ୮ ହଜାର ୮୪୮.୮୬ ମିଟର ଉଚ୍ଚତାରେ ପହଞ୍ଚିଥିବା ସାର୍ଟିଫିକେଟ୍ ହାସଲ କରିଥିଲେ ।  ହେଲେ ପରେ ଏନେଇ ଅଭିଯୋଗ ହୋଇଥିଲା।

ତଦନ୍ତରୁ ଜଣାପଡ଼ିଥିଲା ଯେ, ସେମାନେ ଦାଖଲ କରିଥିବା ସମସ୍ତ ପ୍ରମାଣ ଜାଲ୍ । ଏଭଳି ନକଲି ପ୍ରମାଣ ଦାଖଲ ହୋଇଥିବା ଜଣାପଡ଼ିବା ପରେ ନେପାଳ ସରକାରଙ୍କ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେମାନଙ୍କ ଏଭରେଷ୍ଟ ସମିଟ୍ ସାର୍ଟିଫିକେଟ୍ ଖାରଜ କରାଯିବା ସହ, ସେମାନେ ୬ ବର୍ଷ ପାଇଁ ନେପାଳର କୌଣସି ପାହାଡ଼ ଚଢ଼ିପାରିବେନି ବୋଲି ବ୍ୟାନ୍ କରାଯାଇଛି।

ରୋଚକ କଥା ହେଉଛି, ଦୁଃସାହସିକ କ୍ରୀଡ଼ା କ୍ଷେତ୍ରରେ ଭାରତ ସରକାରଙ୍କ ସର୍ବୋଚ୍ଚ ପୁରସ୍କାର ତେଞ୍ଜିଙ୍ଗ୍ ନୋର୍ଗେ ଆଓ୍ୱାର୍ଡ ପାଇଁ ନରେନ୍ଦ୍ର ସିଂ ଯାଦବଙ୍କ ନାଁ ସୁପାରିଶ ହୋଇଥିଲା। ତେବେ ଏଭଳି ଜାଲିଆତି ଧରାପଡ଼ିବା ପରେ ତାଙ୍କୁ ପୁରସ୍କାର ମିଳିବନି ବୋଲି କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ସ୍ପଷ୍ଟ କରିଛି।

କେବଳ ନରେନ୍ଦ୍ର କି ସୀମାରାଣୀ ନୁହନ୍ତି, ସେମାନଙ୍କ ଭାରତୀୟ ଟିମ୍ ଲିଡର୍ ନବ କୁମାର ଫୁକୋନଙ୍କୁ ମଧ୍ୟ ୬ ବର୍ଷ ପାଇଁ ବ୍ୟାନ୍ କରାଯାଇଛି । ଭାରତୀୟଙ୍କ ପାଇଁ ଏହି ଅଭିଯାନ ଆୟୋଜନ କରିଥିବା ସେଭେନ୍ ସମ୍ମିଟ୍ ଟ୍ରେକ୍ସ ସଂସ୍ଥାକୁ ୫୦ ହଜାର ଟଙ୍କା ଫାଇନ୍ କରାଯାଇଛି । ମିଛ ତଥ୍ୟ ଦାଖଲ କରିଥିବା ସେର୍ପାକୁ ମଧ୍ୟ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେତିକି ନୁହେଁ, ଏହି ଟିମ୍ ସହ ଯୋଗସୂତ୍ର ରକ୍ଷା କରୁଥିବା ଅଧିକାରୀ ପବନ କୁମାର ଘିମିରେଙ୍କୁ ଏଭଳି ଭୁଲ୍ ନ ଦୋହରାଇବା ପାଇଁ ଚେତାବନୀ ଦିଆଯାଇଛି ।  ତେବେ ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଏଭଳି ହୋଇଛି । ସେହି ୨୦୧୬ରେ ଆଉ ଏକ ଅଭିଯାନରେ ଦିନେଶ୍ ଓ ତାରକେଶ୍ୱରୀ ରାଠୋଡ୍ ନାମକ  ଏକ ଦଂପତି ମଧ୍ୟ ଏଭଳି ଜାଲ୍ ତଥ୍ୟ ଦେଇ ପ୍ରମାଣପତ୍ର ହାସଲ କରିଥିଲେ ଓ ପରେ ଧରାପଡ଼ିଥିଲେ । ଏଭଳି କାର୍ଯ୍ୟକଳାପକୁ ରୋକିବା ପାଇଁ ପର୍ବତ ଗୁଡ଼ିକରେ ଜିପିଏସ୍ ଟ୍ରାକର୍ ଲଗାଇବାକୁ ଚିନ୍ତା କରୁଛନ୍ତି ନେପାଳ ସରକାର  ।

 

You might also like