୩ ହଜାର କରୋନା ରୋଗୀ ନିଖୋଜ, ଫୋନ ବି ସ୍ବିଚ ଅଫ

ବେଙ୍ଗାଲୁରୁ: ସାରା ଦେଶରେ କରୋନା ସଂକ୍ରମଣ ଯେଉଁଭଳି ଭାବରେ ବୃଦ୍ଧି ପାଉଛି ତାହା ଚିନ୍ତାର ବିଷୟ ପାଲଟିଛି। ସଂକ୍ରମଣକୁ ରୋକିବା ପାଇଁ କିଛି ରାଜ୍ୟ ସରକାର ରାଜ୍ୟରେ ଲକଡାଉନ ଘୋଷଣା କରିଥିବା ବେଳେ ଆଉ କେଉଁଠି କର୍ଫ୍ୟୁ ଜାରି ହୋଇଛି। କର୍ଣ୍ଣାଟକରେ ମଧ୍ୟ ଲକଡାଉନ ଜାରି ହୋଇଛି। ହେଲେ ଏବେ କର୍ଣ୍ଣାଟକ ସରକାରଙ୍କ ପାଇଁ ଏକ ନୂଆ ସଙ୍କଟ ସୃଷ୍ଟି ହୋଇଛି। ଏକ ରିପୋର୍ଟରେ ଦାବି କରାଯାଇଛି, କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ପାଖାପାଖି ୩ ହଜାର କରୋନା ରୋଗୀ ନିଖୋଜ ଅଛନ୍ତି। ଖାଲି ଏତିକି ନୁହେଁ ଏମାନଙ୍କ କଣ୍ଟାକ୍ଟ ନମ୍ବର ମଧ୍ୟ ସ୍ବିଚ ଅଫ ଆସୁଛି। ଏଭଳି ସ୍ଥିତିରେ ନିଖୋଜ ସଂକ୍ରମିତଙ୍କୁ ଖୋଜିବା ପାଇଁ ପ୍ରଶାସନ ପାଇଁ ମୁସ୍କିଲ ହୋଇପଡ଼ିଛି। ଏମାନଙ୍କୁ ଖୋଜିବା ପାଇଁ ପୋଲିସ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କୁ ସମସ୍ତଙ୍କୁ କୁହାଯାଇଛି।

ମିଳିଥିବା ସୂଚନା ଅନୁସାରେ, ବେଙ୍ଗାଲୁରୁ ସହରରେ ପାଖାପାଖି ୩ ହଜାର କରୋନା ରୋଗୀ ନିଖୋଜ ଅଛନ୍ତି। ଏମାନଙ୍କ ମଧ୍ୟରୁ  ଅଧିକାଂଶଙ୍କ ଫୋନ ସ୍ବିଚ ଅଫ ଆସୁଛି। ଏମାନଙ୍କୁ ଟ୍ରାକ କରିବା ପାଇଁ ସରକାର ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। କର୍ଣ୍ଣାଟକର ରାଜସ୍ବ ମନ୍ତ୍ରୀ ଆର ଅଶୋକ ଦାବି କରିଛନ୍ତି, ନିଖୋଜ ଲୋକ ଅନ୍ୟମାନଙ୍କୁ ସଂକ୍ରମିତ କରୁଛନ୍ତି।

ମନ୍ତ୍ରୀ ଆର ଅଶୋକ କହିଛନ୍ତି, ଆମେ ଲୋକଙ୍କୁ ମାଗଣାରେ ଔଷଧ ଦେଉଛୁ। ଯାହାକି ୯୦% କେସ ନିୟନ୍ତ୍ରଣ କରିପାରିବ। ହେଲେ ସେମାନେ(କରୋନା ସଂକ୍ରମିତ) ସେମାନଙ୍କର ଫୋନ ସ୍ବିଚ ଅଫ କରି ଦେଇଛନ୍ତି। ସେମାନେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ପହଞ୍ଚିଥିଲେ ଓ ICU ବେଡ଼ ଖୋଜୁଥିଲେ। ହେଲେ ବର୍ତ୍ତମାନ ଏମିତି ସବୁ ଘଟିଛି।

ମନ୍ତ୍ରୀ ଆହୁରି କହିଛନ୍ତି, ଯେଉଁମାନେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି, ସେମାନଙ୍କୁ ମୁଁ ଅନୁରୋଧ କରୁଛି ସେମାନେ ସେମାନଙ୍କ ଫୋନ ଅନ ରଖନ୍ତୁ। ଫଳରେ କଣ୍ଟାକ୍ଟ ଟ୍ରେସିଙ୍ଗ କରାଯାଇ ସେମାନଙ୍କ ପାଖରେ ଅଧିକାରୀ ମାନେ ପହଞ୍ଚି ପାରିବେ। ଅଧିକାଂଶ ଲୋକ ଫୋନ ସ୍ବିଚ ଅଫ କରି କେଉଁଠି ଅଛନ୍ତି, ସେସମ୍ପର୍କରେ ଲୁଚାଇବାକୁ ଚାହୁଁଛନ୍ତି। ୨ ହଜାରରୁ ୩ ହଜାର ଲୋକ ସେମାନଙ୍କ ଫୋନ ସ୍ବିଚ ଅଫ କରି ଘର ଛାଡ଼ି ପଳାଇଛନ୍ତି। ସେମାନେ କେଉଁ ଆଡ଼େ ଯାଇଛନ୍ତି, ତାହା ଆମେ ମଧ୍ୟ ଜାଣିନୁ।

ବୁଧବାର କର୍ଣ୍ଣାଟକରେ ୩୯,୦୪୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୨୯ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୮,୮୮୪ ରେ ପହଞ୍ଚିଛି। ବୁଧବାର ଚିହ୍ନଟ ୩୯,୦୪୭ ଆକ୍ରାନ୍ତଙ୍କ ମଧ୍ୟରୁ ବେଙ୍ଗାଲୁରୁରୁ କେବଳ ୨୨,୫୯୬ ଚିହ୍ନଟ ହୋଇଥିଲେ। ଏଠାରେ ଆମେ କହିରଖୁଛୁ ଯେ, କର୍ଣ୍ଣାଟକ ସରକାର ରାଜ୍ୟରେ ୧୪ ଦିନିଆ ଲକଡାଉନ ଘୋଷଣା କରିଛନ୍ତି।

You might also like