ଜମ୍ମୁ-କଶ୍ମୀର ଗଲେ ଅତିରିକ୍ତ ୧୦୦ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ବଢ଼ିଲା ସୁରକ୍ଷା ବ୍ୟ‍ବସ୍ଥା। ଗତକାଲି ରାତିରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତତ୍କାଳ ୧୦୦ କମ୍ପାନୀ ଅର୍ଦ୍ଧସାମରିକ ବାହିନୀଙ୍କୁ ଜମ୍ମୁ-କଶ୍ମୀର ପଠାଇଛି। ଏହି ସୁରକ୍ଷାକର୍ମୀମାନେ ପୁଲିସ୍‌ ଓ ସେଠାରେ ଥିବା ଯବାନମାନଙ୍କ ସହ ମିଶି କାର୍ଯ୍ୟ କରିବେ।

ବିଚ୍ଛିନ୍ନତାବାଦୀ ନେତା ଓ ଜମାତ-ଇ-ଇସ୍‌ଲାମି ସଂଗଠନର ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ଗୃହ ମନ୍ତ୍ରଣାଳୟର ଏଭଳି ନିଷ୍ପତ୍ତି ସାମ୍‌ନାକୁ ଆସିଥିଲା। ଗତକାଲି ବିଳମ୍ବିତ ରାତିରେ ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ ମାଲିକଙ୍କୁ ପୁଲିସ୍‌ ଗିରଫ କରିଥିଲା। ତେବେ ସରକାର ଏତେ ସଂଖ୍ୟକ ସୁରକ୍ଷାକର୍ମୀ କାହିଁକି ହଠାତ ମୁତୟନ କରାଗଲା, ତାହାର କାରଣ ନିର୍ଦ୍ଦିଷ୍ଟ ଭାବେ କିଛି କହିନାହାନ୍ତି।

ଗତ କିଛିଦିନ ଧରି କଶ୍ମୀର ଉପତ୍ୟକାରେ ଉତ୍ତେଜନା ଲାଗି ରହିଛି। ପୁଲ୍‌ୱାମା ହମ୍‌ଲାରେ ସିଆର୍‌ପିଏଫ୍‌ର ୪୦ ଜଣ ଯବାନ ସହିଦ ହେବା ଘଟଣା ମନରୁ ନଲିଭୁଣୁ ଏହାର କିଛିଦିନ ପରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ଗୁଳି ବିନିମୟ ବେଳେ ୪ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ। ଏହି ଘଟଣାରେ ଜଣେ ଜୈଶ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିଲା। ଏହି ଆତଙ୍କବାଦୀକୁ ପୁଲ୍‌ୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି।

ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ପୁଲ୍‌ୱାମା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା।

You might also like