ଭାରତୀୟ ସେନାଙ୍କ ଅଭ୍ୟାସ ଇଲାକାରେ ସ୍ଥିତି ମଜବୁତ୍‌ କଲା ଚୀନ୍

ନୂଆଦିଲ୍ଲୀ:ଲଦାଖରେ ଚୀନ-ଭାରତ ଉତ୍ତେଜନା ଦିନକୁ ଦିନ ବଢିବାରେ ଲାଗିଛି । ଭାରତୀୟ ସେନାର କିଛି ଯବାନ କରୋନା ସଂକ୍ରମିତ ହେବା ପରେ ନିୟନ୍ତ୍ରଣ ରେଖା ପାଖରେ ମାର୍ଚ୍ଚରେ ଆରମ୍ଭ ହେବାକୁ ଥିବା ଅଭ୍ୟାସକୁ କିଛି ସମୟ ପାଇ ଘୁଞ୍ଚାଇ ଦେଇଥିଲା ଭାରତ। ଏହାର ଫାଇଦା ନେଇ ଚୀନ ସେନା ଭାରତୀୟ ସେନାର ପାଟ୍ରୋଲିଂ କରୁଥିବା ଇଲାକାକୁ ମାଡି ଆସି ସେଠାରେ ନିଜ ସ୍ଥିତି ସୁଦୃଢ କରି ନେଇଛି। ଏହା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି।

ଜାତୀୟ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭାରତୀୟ ତିବ୍ଦତ ସୀମା ପୋଲିସର ସବ୍‌ ସେକ୍ଟର ନର୍ଥରେ ମାର୍ଚ୍ଚରେ ହେବାକୁ ଥିବା ଭାରତୀୟ ସେନାର ଅଭ୍ୟାସକୁ ଘୁଞ୍ଚାଇ ଦିଆଯାଇଛି। ସେନାର କିଛି ଯବାନ କରୋନା ଆକ୍ରାନ୍ତ ହେବା ପରେ ଏହି ନିଷ୍ପତ୍ତି ନିଆ ଯାଇଥିଲା। ଏହି ଅଭ୍ୟାସରେ ହିମାଚଳ ବେସ୍‌ର ଯବାନମାନେ ସାମିଲ ହୋଇଥାନ୍ତି।

ଏହାର ସୁଯୋଗ ନେଇ ଚୀନ ସେନା ଭାରତୀୟ ସେନାର ଇଲାକାକୁ ପଶି ଆସିଛନ୍ତି।  ତେବେ ଚୀନର ଏପରି ଚାଲ ଦେଖିବା ପରେ ଭାରତୀୟ ସେନା କୋବିଡ-୧୯ ପ୍ରୋଟୋକଲ ଭାଙ୍ଗି ଲେହରେ ମୁତୟନ ହୋଇଥିବା ସେନାକୁ ତୁରନ୍ତ ଏହି ଇଲାକାକୁ ପଠାଇ ଦେଇଛନ୍ତି।

ତେବେ ଚୀନ ଆରମ୍ଭରୁ ଚାଲାକି କରି ଭାରତୀୟ ଇଲାକାର ଗଲବାନ ଓ ଫିଙ୍ଗର ଇଲାକାରେ ନିଜର ସ୍ଥିତି ମଜବୁତ କରିପାରିଛି। ଗଲବାନରେ ପ୍ରାୟ ୩୪୦୦ ସେନା ମୁତୟନ ଥିବାବେଳେ ପୈଂଗୋଂଗରେ ପ୍ରାୟ ୩୬୦୦ ସେନା ମୁତୟନ କରିଛି ଚୀନ। ସରକାରୀ ସୂତ୍ର ଅନୁସାରେ ସୀମାରେ ବର୍ତ୍ତମାନସୁଦ୍ଧା ସେପରି କୌଣସି ହିଂସାତ୍ମକ ଘଟଣା ଘଟିନାହିଁ।

ସାଟେଲାଇଟ୍‌ ଫଟୋରୁ ମଧ୍ୟ ଏକଥା ଜଣାପଡ଼ୁଛି, ଚୀନ ସୈନିକ ଭାରତୀୟ ସେନାର ପାଟ୍ରୋଲିଂ ଏରିଆକୁ ମାଡ଼ି ଆସି ନିଜ ସ୍ଥିତି ସୁଦୃଢ କରି ନେଇଛି। ଏହି ଅଞ୍ଚଳ ରାଜନୈତିକ ଦୃଷ୍ଟି କୋଣରୁ ବେସ୍ ଗୁରୁତ୍ୱପୂର୍ଣ୍ଣ। ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ପୂର୍ବରୁ କହିଥିଲେ, ଏହି ବିବାଦର ସମାଧାନ ପାଇଁ ଭାରତ ଚୀନ ସହ ଅଲୋଚନା ଜାରି ରଖିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଚୀନ ସୀମନ୍ତରେ ସେନା ମୁତୟନ କରୁଛି ଏବଂ ମାମଲାର ସମାଧାନ ପାଇଁ କଥାବାର୍ତ୍ତା ଚାଲିଛି ବୋଲି କହିଥିଲେ।

You might also like