ବିଜାପୁର ମାଷ୍ଟରମାଇଣ୍ଡ୍ ହିଡ଼ମା : ସ୍କୁଲ ମାଟି ନମାଡ଼ି ଅନର୍ଗଳ ଇଂରାଜୀ କହେ ମାଓ ନେତା

ମାଓବାଦୀଙ୍କ ନରସଂହାରରେ ସମଗ୍ର ଦେଶବାସୀ ସ୍ତବ୍ଧ । ୩ ପଟୁ ଘେରିଥିବା ମାଓବାଦୀଙ୍କ ଆକ୍ରମଣରେ ଜୀବନ ହାରିଲେ ୨୨ ବୀର ଯବାନ ।  ବିଜାପୁର ମାଷ୍ଟରମାଇଣ୍ଡ ବିଛାଇଥିଲା ମୃତ୍ୟୁର ଜାଲ । ଆଉ ପିପୁଲ ଲିବରେଶନ ଅଫ ଗରିଲା ଆର୍ମିର ମୁଖ୍ୟ କମାଣ୍ଡର ହିଡ଼ମା ଚକ୍ରବ୍ୟୁହରେ ଫସିଗଲେ ବୀର ଯବାନ । ୪ ଶହ ମାଓବାଦୀ ଏବଂ ୨୦୦ରୁ ଅଧିକ ସ୍ଥାନୀୟ ସମର୍ଥକଙ୍କୁ ଧରି  ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲା ହିଡ଼ମା । ଆଗରୁ ଘଟିଥିବା ଏକାଧିକ ମାଓ ହିଂସା ଘଟଣା ପଛରେ ତା’ର ହାତ ଥିବା ବେଳେ ପୁଣି ସେ ରକ୍ତର ହୋଲି ଖେଳିଛି । ଯାହାକୁ ଧରିବା ଏବେ ପୋଲିସ ପାଇଁ ଚାଲେଞ୍ଜ ହୋଇଛି ।  ଗତ କିଛି ଦିନ ହେବ ବିଜାପୁର, ଜୋନାଗୁଡା, ଟେକେଲଗୁଡ଼ା, ଜିରାଗାଓଁରେ ହିଡମା ଏବଂ ତାଙ୍କ ସହଯୋଗୀଙ୍କୁ ଧରିବା ପାଇଁ ମାଓ ବିରୋଧୀ ଅପରେସନ୍ ଆରମ୍ଭ ହୋଇଥିଲା । ସ୍ୱତନ୍ତ୍ର ରୂପେ ହିଡ଼ମାକୁ ଧରିବା ପାଇଁ ଏହି ମିଶନ ଆରମ୍ଭ କରାଯାଇଥିଲା ।

ହିଡ଼ମାଙ୍କର ପୂରା ନାମ ମାଣ୍ଡଭି ହିଡ଼ମା ଉର୍ଫ ଇଦମୁଲ ପୋଡିୟାମ୍ ଭୀମା । ସେ ସୁକମା ଜିଲ୍ଲାର ଜଗାରଗୁଣ୍ଡା ଅଞ୍ଚଳର  ବାସିନ୍ଦା। କେବେ ସ୍କୁଲ ଯାଇନଥିଲେ ସୁଦ୍ଧା ଅନର୍ଗଳ ଇଂରାଜୀ କୁହେ ହିଡ଼ମା । କମ୍ପ୍ୟୁଟରରେ ମଧ୍ୟ ତା’ର ବିଶେଷ ଦକ୍ଷତା ରହିଛି । ମାଓ ଲିଡ଼ର ହିଡ଼ମା ଗରିଲା ଯୁଦ୍ଧରେ ମାହିର । ଦୁଇଟି ବିବାହ କରିଥିବା ବେଳେ ଦୁଇ ପତ୍ନୀ ମଧ୍ୟ ନକ୍ସଲ କାର୍ଯ୍ୟକଳାପରେ ଜଡିତ । ହିଡ଼ମାଙ୍କର ତିନି ଭାଇ ଅଛନ୍ତି । ମାଣ୍ଡବୀ ଦେବ ଏବଂ ମାଣ୍ଡଭି ଦୁଲ୍ଲା ଗାଁ ଚାଷ କରନ୍ତି । ତୃତୀୟ ମାଣ୍ଡଭି ନନ୍ଦା ଗ୍ରାମରେ ନକ୍ସଲମାନଙ୍କୁ ଶିକ୍ଷା ଦିଅନ୍ତି ।

ପୋଲିସ ରେକର୍ଡ଼ କହୁଛି ହିଡ଼ମାଙ୍କ ମାଓ ସାମ୍ରାଜ୍ୟ ଖୁବ୍‌ ଲମ୍ବା। ସୁକମା, ଦନ୍ତେୱାଡ଼ା, ବସ୍ତର ଏବଂ ବିଜାପୁର ଅଞ୍ଚଳରେ ହିଡ଼ମାଙ୍କ ଖୁବ୍‌ ଦବଦବା ରହିଛି। ବଡ଼ଧରଣର ମାଓ ହିଂସା ଘଟାଇବାରେ ହିଡ଼ମା ମାହିର।  ହିଡମା  ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟିର ଜଣେ ମୁଖ୍ୟ ନକ୍ସଲ ନେତା। ଚାରି ବର୍ଷ ପୂର୍ବେ ତାଙ୍କୁ ସୁକମାର ଅପରେସନ୍ ’ପ୍ରହାରରେ ଗୁଳି ଲାଗିଥିଲା, କିନ୍ତୁ ସେ ବଞ୍ଚିଯାଇଥିଲା । ହିଡ଼ମା ନକ୍ସଲମାନଙ୍କ ସବୁଠାରୁ ଭୟଙ୍କର ବାଟାଲିୟନର ନେତୃତ୍ୱ ନେଉଛି । ତେବେ ସେହି ବାଟାଲିୟନର  ଅନ୍ୟ ସମସ୍ତ ମାଓନେତା ଆନ୍ଧ୍ରପ୍ରଦେଶର।

ଶନିବାର ଦିନ, DRG, STF ଏବଂ CRPF ର ସାହସୀ ଯବାନମାନେ ନକ୍ସଲାଇଟ୍ କମାଣ୍ଡର ହିଡ଼ମା  ଅଞ୍ଚଳରେ ପ୍ରବେଶ କରିଥିଲେ । ହିଡ଼ମାର ବାଟାଲିୟନ ନମ୍ବର 1 ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ସେମାନଙ୍କୁ ଆକ୍ରମଣ କରିଥିଲେ । ମାଓବାଦୀମାନେ ସୁରକ୍ଷା ବାହିନୀର ପ୍ରତ୍ୟେକଟି ଗତିବିଧି ଉପରେ ପୂର୍ବରୁ ନଜର ରଖିଥିଲେ । ଆଉ ସର୍ଚ୍ଚ ଅପରେସନ ବେଳେ ଯୋଜନା ମୁତାବକ ଯବାନମାନେ ଘଞ୍ଚ ଜଂଗଲ ଭିତରେ ୩ ପଟୁ ଘେରାବନ୍ଦୀ କରି ଆକ୍ରମଣ ଆରମ୍ଭ କରିଦେଇଥିଲେ । ଯବାନ ପୋଜିସନ୍‌ ନେବା ପୂର୍ବରୁ ସେମାନଙ୍କ ଉପରେ  ଗୁଳି ବର୍ଷା ଆରମ୍ଭ ହୋଇଯାଇଥିଲା। ପ୍ରାୟ ୪ ଶହ ମାଓବାଦୀ ଏବଂ୨୦୦ରୁ ଅଧିକ ସ୍ଥାନୀୟ ସମର୍ଥକ ଆକ୍ରମଣରେ ସାମିଲ ଥିଲେ। ତେବେ ଏହି ଆକ୍ରମଣରେ ୨୨ ଜଣ ସହିଦ ହୋଇଯିବା ସହ ଘଟଣାସ୍ଥଳରେ ପାଖାପାଖି ୧୫ ମାଓବାଦୀ ନିହତ ହୋଇଥିଲେ ।

You might also like