ମେଘାଳୟ ସାନ୍ କୋଇଲା ଖଣିରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ: ମେଘାଳୟ ଜଇନ୍ତିଆ ପର୍ବତର ସାନ୍ କୋଇଲା ଖଣିରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଏବେ ବି ଚାଲିଛି। ନୌସେନା ଟିମ୍‌ର ବୁଡ଼ାଳି ମାନେ ଖଣିର ୭୦ ଫୁଟ୍ ତଳକୁ ଯାଇ ପହଞ୍ଚିଛନ୍ତି। ତେବେ ପାଣି ଅତ୍ୟଧିକ ଥଣ୍ଡା ଏବଂ ରାଟ୍ ହୋଲ୍ ହୋଇଥିବାରୁ ଖଣି ଭିତରକୁ ପଶିବାରେ ସମସ୍ୟା ଦେଖାଦେଉଛି।

ଗତକାଲି ରାତି ସାରା ଉଦ୍ଧାରକାରୀ ଟିମ୍ ଅପରେସନ୍ ଜାରି ରଖିଥିଲା। ଆଜି ପୁଣି ଥରେ ଅପରେସନ୍‌କୁ ଜାରି ରଖାଯାଇଛି। ନୌସେନାର ୧୮ ଜଣ ସଦସ୍ୟ ନିଜର ଯନ୍ତ୍ରପାତି ସହ ଭିତରକୁ ପ୍ରବେଶ କରିଛନ୍ତି। ଏହାସହ ବୋଟ୍ ମଧ୍ୟ ଖଣି ଭିତରକୁ ନିଆଯାଇଛି। ଓଡ଼ିଶା ଅଗ୍ନିଶମ ବାହିନୀ, ନୌସେନା ଏବଂ ଏନ୍‌ଡିଆରଏଫ୍ ଯବାନ ଖଣିରେ ଫସି ଥିବା ୧୫ ଶ୍ରମିକଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ଲାଗିଛନ୍ତି।

ଅନ୍ୟପଟେ ଏହି ଉଦ୍ଧାର କାର୍ଯ୍ୟରେ ଓଡ଼ିଶା ଅଗ୍ନିଶମ ବାହିନୀ ଉଚ୍ଚ କ୍ଷମତା ସଂପନ୍ନ ମଟର ଲଗାଇ ପାଣି ନିଷ୍କାସନ କରୁଛି। ତେବେ ୧୯ ଦିନ ପରେ ବି ଉଦ୍ଧାରକାରୀ ଟିମ୍ ଖଣି ଭିତରୁ କାହାରି ପତ୍ତା ପାଇ ନାହାନ୍ତି। ଦୁଇ ଦିନ ତଳେ କେବଳ ଫସିଥିବା ଶ୍ରମିକଙ୍କ ତିନିଟି ହେଲ୍‌ମେଟ୍‌ ମିଳିଥିଲା।

You might also like